ଭୁବନେଶ୍ୱର: ଅତୀତର ଛାତ୍ରନେତା, ଓକିଲ ଏବଂ ଏବେ ବିଜେପି ଭଳି ଜାତୀୟ ଦଳର ରାଜ୍ୟ ପ୍ରବକ୍ତା ଓ ଉପସଭାପତି । ଏବେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ପ୍ରାର୍ଥୀ । ଏତେବଡ଼ ଖାଦିର ଅଧିକାରୀ ପୀତାମ୍ବର ଆଚାର୍ଯ୍ୟଙ୍କ ପଛରେ ସମ୍ମାନ ଗୋଡ଼ାଇବା କଥା । ମାତ୍ର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଭିଡ଼ିଓ ଫୁଟେଜ୍ କୁ ଦେଖିବା ପରେ ତାଙ୍କ ସମ୍ମାନର ସ୍ତର ପୀତାମ୍ବର ବାବୁଙ୍କୁ ନିଜ ଆଡୁ କହିବାର ଆବଶ୍ୟକତା ନାହିଁ ।
ନିର୍ବାଚନ ମଇଦାନର ପ୍ରଥମ ପଦାର୍ପଣରେ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବାରୁ ପୀତାମ୍ବର ବାବୁ ଗର୍ବିତ ଓ ଅହଂକାରୀ ହେବାରେ ମନା ନାହିଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼ୁଥିବାରୁ ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ଭାବିଦେଇଥିବା ତାଙ୍କ ଆଚରଣ କହିଦେଉଛି । ହିଞ୍ଜିଳିରେ ସେ ଜିତି ସାରିଲେଣି ବୋଲି ନିଜକୁ ନିଜେ ଘୋଷଣା କରି ଆନନ୍ଦ ପାଆନ୍ତୁ କାହାର ଆପତ୍ତି ନାହିଁ । ହେଲେ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଡ୍ୟୁଟି କରୁଥିବା ସରକାରୀ କର୍ମଚାରୀଙ୍କୁ ନାଲିଆଖି ଦେଖାଇ ନିଜର ଆତ୍ମବଡ଼ିମା ଦେଖାଇବା ତାଙ୍କ ବ୍ୟକ୍ତିତ୍ୱର ଶୋଭା ବଢ଼ାଉନି । ଲୋକେ ଛିଛାକର କରୁଛନ୍ତି ।
ପୀତାମ୍ବରଙ୍କ ଭିଡ଼ିଓଟି ଭାଇରାଲ୍ ହୋଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ତାଙ୍କ ଆକ୍ରୋଶର ଶିକାର ହୋଇଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଆଜି ଆସିକା ଥାନାରେ ପୀତାମ୍ବରଙ୍କ ବିରୋଧରେ ଏତଲା ଦେଇଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ନାଲିଆଖି ଦେଖାଇ ସେମାନଙ୍କ କାର୍ଯ୍ୟରେ ପୀତାମ୍ବର ଆଚାର୍ଯ୍ୟ ବାଧା ସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି । ପୁଲିସ ଏହି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।
ଭିଡ଼ିଓଟି କ’ଣ ତାହା ସମସ୍ତେ ଦେଖିଲେଣି ।
ପୀତାମ୍ବର ଆଚାର୍ଯ୍ୟ ଯାଉଥିଲେ ହିଞ୍ଜିଳି । ନିର୍ବାଚନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କ୍ୱାଡ୍ ତାଙ୍କ ଗାଡ଼ିକୁ ଅଟକାଇଲା ରୁଟିନ୍ ଚେକିଂ ପାଇଁ । ସ୍କ୍ୱାଡ୍ ରେ ଥିଲେ ଜଣେ ଭାରପ୍ରାପ୍ତ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ଜଣେ ପୁଲିସ ଏସଆଇ । ତାଙ୍କ ଗାଡ଼ି ଅଟକାଇବା ପରେ ନିଆଁ ହୋଇଗଲେ ପୀତାମ୍ବର । ସେମାନଙ୍କୁ କୁକୁର ମାଙ୍କଡ଼ ଭଳିଆ ଆଚରଣ କଲେ । ତମେ ସବୁ ସରକାରଙ୍କ ଚାମଚା ବୋଲି କହି ଗର୍ଜିଲେ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିଲେ, ହଇଓ ବାବୁ ତମେ କୋଉଠି ଚାକିରି କରିଛ । ଜଣେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ବୋଲି ବିନମ୍ରତାର ସହ ସେ ପରିଚୟ ଦେବା ପରେ ତାଙ୍କୁ ଛିଗୁୁଲେଇଲେ । କହିଲେ, ଓଃ.. କଣ୍ଟ୍ରାଚୁଆଲ୍ (ଠିକା) ଚାକିରି ତ.. । କ’ଣ ବିଏସସି ଏଜି । ମତେ ତମେ ଜାଣିଛ, ମୁଁ କିଏ?
ମୁଁ ଅଶୀ ଦଶକର ଛାତ୍ରନେତା । ବିଜେପି କଲେଜରେ ପ୍ରେସିଡେଣ୍ଟ , ସେକ୍ରୋଟାରୀ ଥିଲି । ୟୁନଭରସିଟି ଲ କଲେଜରେ ପ୍ରେସିଡେଣ୍ଟ ଥିଲି । ବାଣୀବିହାରରେ ପ୍ରେସିଡେଣ୍ଟ ପାଇଁ ଛିଡ଼ା ହୋଇଥିଲି । ହାରିଥିଲି ଗୋଟେ ବସ୍ ପୋଡ଼ିକି । ସୁରେନ୍ଦ୍ର ସ୍ୱାଇଁ ଏସପି, ବିନୟ ବେହେରା ଆଡ଼ିସିନାଲ୍ ଏସପି, ପ୍ରଫୁଲ୍ଲ ରଥ ଆଇଜି ଆଡମିନିଷ୍ଟ୍ରେସନ୍ ମୋର ବନ୍ଧୁ । ଏମିତି ବହୁତ ପୁଲିସକୁ ମୁଁ ଜାଣେ । ମୁଁ ଜଣେ ପ୍ରତିଷ୍ଠିତ ଓକିଲ । ମତେ ନିର୍ବାଚନ ଆଇନ ପାଠ ପଢ଼ାନ୍ତୁନି । ଅଭୟ ରଥ, ସଞ୍ଜୀବ ହୋତା, ଅଜିତ୍ ତ୍ରିପାଠୀ, ରବି ନାରାୟଣ ସେନାପତିଙ୍କ ଭଳି ବ୍ୟକ୍ତିଙ୍କ ସହ ମୋର ସମ୍ପର୍କ ଥିଲା । ୨୦ ବର୍ଷ ଧରି ହାଇକୋର୍ଟରେ ସେମାନଙ୍କ କେସ୍ ଲଢ଼ୁଥିଲି ।
ମୁଁ ଏଠାରେ ନବୀନ ପଟ୍ଟନାୟକଙ୍କର ପ୍ରତିଦ୍ୱନ୍ଦୀ(ଭୁଲ୍ ରେ ପ୍ରତିନିଧି ବୋଲି ଆଗ କହିଦେଇଛନ୍ତି) । ନବୀନ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ । ଗୋଟେ ରିଜିଓନାଲ୍ ପାର୍ଟିଟେ । ମୁଁ ହେଉଛି ଗୋଟେ ଜାତୀୟ ଦଳର ପ୍ରାର୍ଥୀ । ଆପଣ ଏଇଟା ଜାଣିଛନ୍ତି ନା ନାଇଁ?
ନାଇଁ ସାରେ, ଯୋଉ ଦଳର ହେଲେ ଆମର ସେଥିରେ କିଛି ନାଇଁ ବୋଲି ସ୍କ୍ୱାଡ୍ କର୍ମଚାରୀ କହିବାରୁ ପୀତାମ୍ବର ଚିହିଁକି ଉଠିଛନ୍ତି ।
କ’ଣ? ଯୋଉ ଦଳ କେମିତି କହିଦେବେ । ଆପଣ ଶାସକ ଦଳର ଚାମଚାଗିରି କରିବେ । ବିଜେପି କଥା ଶୁଣିଲା ବେଳେ ନାହି ଥରଥର ହେବ । ଆପଣଙ୍କୁ ପାଣ୍ଡିଆନ୍ ଏଠାକୁ ପଠେଇଚି । ପୀତାମ୍ବର ଆଚାର୍ଯ୍ୟ ପଛରେ ଲାଗ । ଏସପି, କଲେକ୍ଟର, ଡିଆଇଜି ତ ତା’ର ନା । ଉଦେ୍ଦଶ୍ୟ, ମୁଁ ଯୁଆଡେ ଯିବି ପୁଲିସ ଲଗାଇ ଅଟକାଇବ । କିନ୍ତୁ ମତେ ପାରିବନି ।
ମୁଁ ପ୍ରତିଷ୍ଠିତ ଓକିଲ । କଟକ ଲୋକସଭା ଆସନରେ ମୋ ନାଁ ଚୂଡ଼ାନ୍ତ ହୋଇ ଘୋଷଣା ହେବାକୁ ଯାଉଥିଲା । ଶେଷ ମୁହୁର୍ତ୍ତରେ କୁହାଗଲା, ନାଇଁ ତମେ ହିଞ୍ଜିଳି ଯାଇ ନବୀନ ପଟ୍ଟନାୟକଙ୍କ ସହ ଲଢ଼ । ମୁଁ ଏଠାକୁ ଆସିଛି ତମ ନବୀନଙ୍କୁ ହରାଇବାକୁ । ହରାଇବି କ’ଣ ସେ ହାରିସାରିଲେଣି । ଆପଣ ଚାହିଁଲେ ବି ତାଙ୍କୁ ଅଟକାଇପାରିବେନି । ତମେ ପୁଲିସ, ଏଗ୍ରିକଲଚର ଅଫିସର କ’ଣ ଅଟକାଇପାରିବ । ମୋ ସାଥୀରେ ଲାଗନି । ଆଇ ଆମ ଏ ଫାୟାର୍ । ମରିବି ପଛେ ମରିବା ପୂର୍ବରୁ ଦୁଇ ଚାରିଜଣଙ୍କୁ.. ।
ଏଇଠି ଗୋଟେ କଥା ମନେ ପକାଇ ଦେବାକୁ ଚାହୁଁ ଯେ କିଛି ଦିନ ତଳେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏକ ‘ଗୁଇନ୍ଦା’ ଚିଠି ଦେଖାଯାଇଥିଲା । ଚିଠିଟି ଜାଲ୍ ବୋଲି ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ତୁରନ୍ତ ସ୍ପଷ୍ଟୀକରଣ ଦେଇଥିଲେ । ଜାଲ୍ ଚିଠି କୋଉଠୁ ଆସିଲା ତାହାର ତଦନ୍ତ ହେବ ବୋଲି କହିଥିଲେ । ତେବେ ପୀତାମ୍ବର ଏଥିରେ ଉତକ୍ଷିପ୍ତ ହୋଇପଡ଼ିଥିଲେ । ଏକ ସାମ୍ବାଦିକ ସମ୍ମିଳନୀ ଡାକି ଡିଜିଙ୍କୁ ଆହ୍ୱାନ ଦେଇଥିଲେ ‘ଦମ୍ ଅଛି ତ ଆମକୁ ବାନ୍ଧିକି ଦେଖ’ । ଗୋଟିଏ ବେଆଇନ କାମ ସପକ୍ଷରେ ଓକିଲାତି କରିବାକୁ ଯାଇ ଡିଜିଙ୍କୁ ନାଲି ଆଖି ଦେଖାଇଥିଲେ ।
ପୀତାମ୍ବର ବିଜେପିରେ ଯୋଗଦେଲା ପରଠୁ ଏଭଳି ଅନେକ ଉଦାହରଣ ରହିଛି । ବିରୋଧୀ ପକ୍ଷଙ୍କୁ କଥା କଥାକେ ତାଙ୍କ ପାଟିରୁ ବାହାରୁଛି ଚୋର, ଚାଣ୍ଡାଳ, ଡକାୟତ । ତାଙ୍କ ଦଳର କିଛି ନେତା/ନେତ୍ରୀଙ୍କ ଆଚରଣଠାରୁ ବଳିପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହିଞ୍ଜିଳିରେ ପ୍ରାର୍ଥୀ ହେବା ପରଠାରୁ ପୀତାମ୍ବରଙ୍କ ଔଦ୍ଧତ୍ୟ, ଅହଂକାର ଭୟଙ୍କର ହୋଇଯାଇଥିବା ଭିଡ଼ିଓରୁ ସ୍ପଷ୍ଟ ହେଉଛି । ସତେ ଯେମିତି ସେ ଇନ୍ଦ୍ର ଏବଂ ଡ୍ୟୁଟି କରୁଥିବା ସରକାରୀ କର୍ମଚାରୀ ତାଙ୍କର ଚାକର, ବୋଲକରା । କାରଣ ସେ ଏକ ଜାତୀୟ ଦଳରୁ ଲଢ଼ୁଛନ୍ତି ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ । ଲଢ଼ୁ ତ ନାହାନ୍ତି ଜିତିସାରିଲେଣି ବୋଲି ଭାବିଦେଇଛନ୍ତି ।