– ଚନ୍ଦ୍ରପୃଷ୍ଠର ୨.୧ କିମି ଉପରୁ ଚନ୍ଦ୍ରଯାନ ସମ୍ପର୍କ ବିଚ୍ଛିନ୍ନ
– ଇସ୍ରୋ ବୈଜ୍ଞାନିକଙ୍କ କଠୋର ପରିଶ୍ରମକୁ ଦେଶବାସୀଙ୍କ ସଲାମ୍
– ବୈଜ୍ଞାନିକମାନଙ୍କ ସାଙ୍ଗରେ ରହି ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ୪୮ ଦିନର ଯାତ୍ରା ସରିଥାଆନ୍ତା ଆଉ ମାତ୍ର ମିନିଟ୍ କି ଦି ମିନିଟ୍ ପରେ । ଚନ୍ଦ୍ରପୃଷ୍ଠ ଛୁଇଁବାକୁ ବାକି ଥିଲା ୨.୧କିଲୋମିଟରର ରାସ୍ତା । ଯୋଜନା ମୁତାବକ ନିର୍ଦ୍ଧାରିତ ଗତିପଥରେ ଆଗୋଉଥିଲା ଲ୍ୟାଣ୍ଡର ବିକ୍ରମ । ଇସ୍ରୋ କଣ୍ଟ୍ରୋଲ୍ ରୁମ୍ ବୈଜ୍ଞାନିକମାନଙ୍କ ମୁହଁରୁ ଗଭୀର ଆତ୍ମବିଶ୍ୱାସର ଝଲକ ଆସୁଥିଲା । ବିକ୍ରମର ବେଗ ସହ ତାଳ ଦେଉଥିଲା ଖୁସିର କରତାଳି । ସେଠାରେ ବସି ଚନ୍ଦ୍ରଯାନ ଅଭିଯାନର ଲାଇଭ୍ ଦୃଶ୍ୟ ଦେଖୁଥିବା ପ୍ରଧାନମନ୍ତ୍ରୀ ମୋଦି ବି ଆନନ୍ଦର ତାଳି ମାରୁଥିଲେ । ଟିଭିରେ ଏ ଦୃଶ୍ୟ ଦେଖୁଥିବା ଭାରତର କୋଟି କୋଟି ଜନତାଙ୍କ ମନରେ ଥିଲା ପ୍ରବଳ ଉକ୍ରଣ୍ଠା । କେତେବେଳେ ସେଇ ମୁହୁର୍ତ୍ତ ଆସିବ । ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଦେଇ ଇତିହାସ ରଚିବ ।
ମାତ୍ର ସବୁ କିଛି ଓଲଟିଗଲା । ନିର୍ଦ୍ଧାରିତ ଗତିପଥରୁ ବିକ୍ରମ ବିଚୁ୍ୟତ ହେଉଥିବାର ଗ୍ରାଫିକ୍ସ ଦେଖିବାକୁ ମିଳିଲା । ତାପରେ ପରେ ଆଉ କିଛି ଖବର ମିଳିଲା ନାହିଁ । ଇସ୍ରୋ କଣ୍ଟ୍ରୋଲ୍ ରୁମ୍ ରେ ଛାଇଗଲା ନିରାଶର ନିରବତା । ବୈଜ୍ଞାନିକମାନଙ୍କ ମୁହଁରେ ଖେଳିଗଲା ଅବସାଦ । ଯାହା ହେଉଥିଲା କେହି ବୋଧେ ଗ୍ରହଣ କରିପାରୁ ନ ଥିଲେ । ହାତପାଆନ୍ତାରୁ ସଫଳତା ଚାଲିଯାଉଥିବାର ଆଭାସ ସମ୍ଭବତଃ ସେମାନଙ୍କୁ ଆଚ୍ଛନ୍ନ କରିଦେଇଥିଲା । ଏଣେ ଟିଭିରେ ଏସବୁ ଦେଖୁଥିବା ଦେଶବାସୀ କିଛି ବୁଝି ପାରୁ ନ ଥିଲେ । କିଛି ଗଡ଼ବଡ଼ର ଆଭାସ ମିଳୁଥିବାରୁ ସମସ୍ତଙ୍କ ଉକ୍ରଣ୍ଠା ବଢ଼ିଯାଇଥିଲା । ପ୍ରଧାନମନ୍ତ୍ରୀ ବି କିଛି ବୁଝିପାରୁ ନ ଥିଲେ । ଏହି ସମୟରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ୍ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଇ କାନରେ କିଛି କହିଲେ । ଆଉ ପ୍ରଧାନମନ୍ତ୍ରୀ ତୁରନ୍ତ ନିଜ ଜାଗାରୁ ଉଠି ଚାଲିଗଲେ । କ’ଣ ହେଉଛି ଜାଣିବାକୁ ଦେଶବାସୀଙ୍କ ଉକ୍ରଣ୍ଠା ଆହୁରି ବଢ଼ିଗଲା । ଶେଷରେ ରାତି ୨.୧୫ ମିନିଟ୍ ରେ ଇସ୍ରୋରୁ ଆସିଲା ଅଫିସିଆଲ୍ ଷ୍ଟେଟମେଣ୍ଟ । ଚନ୍ଦ୍ରଯାନ ସହ ସମ୍ପର୍କ ଛିନ୍ନ ହୋଇଥିବା ଡ. ଶିବନ୍ ଘୋଷଣା କରିଥିଲେ ।
କିଛି ସମୟ ପୂର୍ବରୁ ନିଜ ଆସନରୁ ଉଠି ଚାଲିଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ସେଠାକୁ ଆସିଥିଲେ । ଚନ୍ଦ୍ରଯାନ-୨ର ବିଫଳତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରବଳ ପ୍ରଶଂସା କରିଥିଲେ । ସେମାନଙ୍କ ମନରେ ବିଶ୍ୱାସ ଫେରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ, ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ କେବେ ବୃଥା ଯିବ ନାହିଁ । ଆପଣମାନେ ଉଦ୍ୟମ ଜାରି ରଖନ୍ତୁ । ମୁଁ ଆପଣମାନଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କେବଳ ସେତିକି ନୁହେଁ, ଆଜି ସକାଳ ୮ଟା ବେଳେ ପଧାନମନ୍ତ୍ରୀ ଶ୍ରୀ ମୋଦି ବୈଜ୍ଞାନିକମାନଙ୍କୁ ଶାନ୍ତ୍ୱନା ଦେବାକୁ ପୁଣି ଥରେ ଇସ୍ରୋ ହେଡ଼କ୍ୱାଟରରେ ପହଞ୍ଚି ଥିଲେ । ଦୀର୍ଘ ଅଧଘଣ୍ଟା ଧରି ପ୍ରଧାନମନ୍ତ୍ରୀ ତାଙ୍କ ଆବେଗଭରା ଭାଷଣରେ ଇସ୍ରୋ ବୈଜ୍ଞାନିକଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ । ସମଗ୍ର ଦେଶବାସୀ ଆପଣମାନଙ୍କ ସାଙ୍ଗରେ ଅଛନ୍ତି । ବେଷ୍ଟ ଇଜ ୟେଟ୍ ଟୁ କମ୍ । ବୈଜ୍ଞାନିକମାନଙ୍କୁ ଏଭଳି ଭାଷାରେ ସମ୍ଭାଷଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।