ବେଙ୍ଗାଲୁରୁ: ଦୀର୍ଘ ୧୧ ବର୍ଷର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଚନ୍ଦ୍ରଯାନର ସଫଳତା ପାଇ ନ ଥିବାରୁ ବେଶୀ ଭାଙ୍ଗିପଡ଼ିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ୍ । ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଇସ୍ରୋ ଯାଇ ବୈଜ୍ଞାନିକଙ୍କ ବିଶ୍ୱାସ ଓ ସାହାସ ଅତୁଟ ରଖିବାକୁ ପ୍ରୟାସ କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ କଇଁ କବଁ କାନ୍ଦି ପକାଇଥିଲେ ଡ. ଶିବନ୍ । ଶିବନ୍ ଙ୍କ କାନ୍ଦ ଦେଖି ମୋଦି ବି ଭାବପ୍ରବଣ ହୋଇଯାଇଥିଲେ । ଶିବନ୍ ଙ୍କୁ କୋଳେଇ ନେଇଥିଲେ ମୋଦି ।
ଚନ୍ଦ୍ରଯାନର ବିଫଳତାରେ ଚନ୍ଦ୍ରଯାନ-୨ ର ବିଫଳତା ଦେଶବାସୀଙ୍କୁ ମି୍ରୟମାଣ କରିଥିଲେ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସାହାସିକ ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମକୁ ସବୁଆଡ଼େ ତାରିଫ୍ କରାଯାଇଛି । ଇସ୍ରୋ ବୈଜ୍ଞାନିକମାନଙ୍କ ପାଇଁ ସବୁ ଭାରତୀୟ ଆଜି ଗର୍ବିତ । ବିିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଏମିତି କେଇ ପଦ କଥା ଆଜି ଛାଇ ହୋଇଯାଇଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକଙ୍କ ପ୍ରଶଂସାରେ ଶତମୁଖର ହୋଇଛନ୍ତି । ଚନ୍ଦ୍ରଯାନର ବିଫଳତାକୁ ପଛରେ ପକାଇ ବୈଜ୍ଞାନିକଙ୍କ ବିଶ୍ୱାସ ଓ ଦମ୍ଭ ଅତୁଟ ରଖିବାକୁ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଗତକାଲି ସାରା ରାତି ଅନିଦ୍ରା ରହିଥିବା ପ୍ରଧାନମନ୍ତ୍ରୀ ଆଜି ସକାଳ ୮ଟା ବେଳେ ପୁଣି ଥରେ ଇସ୍ରୋ ହେଡ଼କ୍ୱାର୍ଟର ଯାଇ ବୈଜ୍ଞାନିକଙ୍କୁ ଭେଟିଥିଲେ । ସେମାନଙ୍କୁ ଉଦବୋଧନ ଦେବା ପରେ ଜଣ ଜଣ କରି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇ କରମର୍ଦ୍ଦନ କରୁଥିବା ବେଳେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ ନିଜର କୋହ ସମ୍ଭାଳି ପାରି ନ ଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସହ ହାତ ମିଳାଉଥିବା ବେଳେ ଶିବନ୍ କାନ୍ଦି ଉଠିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଖାଲି ଶାନ୍ତ୍ୱନା ଦେଇ ନ ଥିଲେ ବରଂ ତାଙ୍କ କୋଳକୁ ଟାଣି ଆଣିଥିଲେ । ଏହି ଆବେଗଭରା ଦୃଶ୍ୟ ଆଜି ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଛାଇ ହୋଇଯାଇଛି । ଦେଶର ପ୍ରଧାନମନ୍ତ୍ରୀଙ୍କ ଏହି ମହାନତା ଦେଶବାସୀଙ୍କ ହୃଦୟ ଛୁଇଁଛି । ଇସ୍ରୋ ଓ ମୋଦିଙ୍କ ପାଇଁ ନିଜକୁ ଗୋ÷ରବ ମଣିଛନ୍ତି ଭାରତବାସୀ ।