ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାପ୍ରଭୁଙ୍କ ନବକଳେବର ଅବସରରେ ପୁରୀରେ ଏକ ଟୁରିଷ୍ଟ କମ୍ପ୍ଲେକ୍ସ ନିର୍ମିତ ହୋଇଥିଲା । ସେଥିପାଇଁ ୧୩ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଯାଇଛି । ପୁରୀ ଟାଉନ୍ ପାଇଁ ବିଜୁଳି ବିତରଣ ବ୍ୟବସ୍ଥାକୁ ନୂଆ ରୂପ ଦେବାରେ ଖର୍ଚ୍ଚ ହୋଇଛି ୧୬୧ କୋଟି ଟଙ୍କା । ବୁଲା ଗାଈ ଓ ଷଣ୍ଢ ସମ୍ଭାଳିବା ପାଇଁ ନିର୍ମିତ କାଞ୍ଜିଆହତା ପାଇଁ ପଶୁପାଳନ ବିଭାଗ କୋଟିଏ ୯୫ ଲକ୍ଷ ଖର୍ଚ୍ଚ କରିଥିବା ବେଳେ ନଗର ଉନ୍ନୟନ ବିଭାଗ ଖର୍ଚ୍ଚ କରିଛି ୧୫ ଲକ୍ଷ । ସିସିଟିଭି ଓ ସମନ୍ୱିତ ମଡ଼ର୍ଣ୍ଣ କଣ୍ଟ୍ରୋଲ୍ ରୁମ୍ ବାବଦରେ ଖର୍ଚ୍ଚ ହୋଇଛି ୧୩ କୋଟି ୩୪ ଲକ୍ଷ ୯୦ ହଜାର । ଏହିଭଳି ଭାବେ ଗତବର୍ଷର ନବକଳେବରରେ ରାଜ୍ୟ ସରକାରଙ୍କ ତହବିଲରୁ ୧୮୪ ଟି ପ୍ରକଳ୍ପ ପାଇଁ କାଗଜପତ୍ରରେ ଖର୍ଚ୍ଚ ହୋଇଛି ସମୁଦାୟ ୧୨୫୪ କୋଟି ୧୧ ଲକ୍ଷ ୬୪ ହଜାର ୪୬୧ ଟଙ୍କା । ତେବେ ଏହି ବିପୁଳ ଟଙ୍କା ବଡ଼ଠାକୁରଙ୍କ କ୍ଷେତ୍ରକୁ ଆଖିଦୃଶିଆ କ’ଣ ପରିବର୍ତ୍ତନ କରିଛି ତାହା ମା ଗଙ୍ଗେଇ ଜାଣନ୍ତି ।
ନବକଳେବର ପ୍ରସ୍ତୁତିର ଟିକନିକ୍ ହିସାବନିକାସ ସରକାର ଦେଇଛନ୍ତି । ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକଳ୍ପ ନିର୍ମାଣରେ ଖର୍ଚ୍ଚର ପରିମାଣ ଦେଖିଲେ ଆଖି ଟେରା ହୋଇଯାଉଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଛି ୩୬୫ କୋଟି ୭୪ ଲକ୍ଷ ଟଙ୍କା । ସେଥିମଧ୍ୟରେ ମାଳତୀପାଟପୁର ବସ୍ଷ୍ଟାଣ୍ଡ ନିର୍ମାଣରେ ଲାଗିଛି ୭୩ କୋଟି ୫୪ ଲକ୍ଷ ଟଙ୍କା । ଡେଲାଙ୍ଗ-ପୁରୀ ରାସ୍ତା ଦୋହରୀକରଣରେ ଖର୍ଚ୍ଚ ହୋଇଛି ୨୩୫ କୋଟି । ସେହିଭଳି ଶକ୍ତି ବିଭାଗ ଖର୍ଚ୍ଚ କରିଛି ୩୩୩ କୋଟି ୮୦ ଲକ୍ଷ ୯୯ ହଜାର ୬୦୦ ଟଙ୍କା । ବିଭାଗର ବିଭିନ୍ନ ପ୍ରକଳ୍ପ ହିସାବ ଏହିଭଳି । ପୁରୀ ସହରରେ ବିଜୁଳି ବିତରଣକୁ ନୂଆ ରୂପ ଦେବାରେ ୧୬୧ କୋଟି, ବିଭିନ୍ନ ରାସ୍ତାରେ ଏଲଇଡ଼ି ଲାଇଟିଂ ପ୍ରୋଜେକ୍ଟରେ ୧୧ କୋଟି ୯୪ ଲକ୍ଷ । ଟ୍ରାନସମିସନ୍ ପ୍ରୋଜେକ୍ଟରେ ୭୮୦ କୋଟି ଟଙ୍କା । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖର୍ଚ୍ଚ କରିଛି ୬୫ କୋଟି ୮୧ ଲକ୍ଷ ୭୧ ହଜାର । ସେଥିରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ସମ୍ପ୍ରସାରଣ ଓ ଆଧୁନୀକିକରଣରେ ଲାଗିଛି ଏହି ଟଙ୍କା ।
ଗୃହ ବିଭାଗ ପକ୍ଷରୁ ୨୭ କୋଟି ୫୫ ଲକ୍ଷ ୩୩ ହଜାର ଖର୍ଚ୍ଚ ହୋଇଛି । ସେଥିରୁ ମୋଟା ୧୩ କୋଟି ୩୪ ଲକ୍ଷ ୯୦ ହଜାର ଖର୍ଚ୍ଚ ହୋଇଛି ସିସିଟିଭି ଓ ପୁଲିସ କଣ୍ଟୋ୍ରଲ୍ ରୁମ୍ ବାବଦ । ନଗର ଉନ୍ନୟନ ବିଭାଗ ଖର୍ଚ୍ଚ କରିଛି ୧୨୨ କୋଟି ୮୧ ଲକ୍ଷ ୭୯ ହଜାର ୪୬୫ ଟଙ୍କା । ନବକଳେବର ବେଳେ ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ପାଇଖାନା ନିର୍ମାଣରେ ଖର୍ଚ୍ଚ ଚକିତ କଲା ଭଳି । ସେଥିରେ ୩ କୋଟି ୨୬ ଲକ୍ଷର ବିଶାଳ ଖର୍ଚ୍ଚର ବିଲ୍ ହୋଇଛି । କାଞ୍ଜିଆହତା ପାଇଁ ପଶୁପାଳନ ବିଭାଗ ୧ କୋଟି ୯୫ ଲକ୍ଷ ଖର୍ଚ୍ଚ କରିଥିବା ବେଳେ ନଗର ଉନ୍ନୟନ ବିଭାଗ ୧୫ ଲକ୍ଷ ଖର୍ଚ୍ଚ କରିଛି । ବୁଲା ଷଣ୍ଢ ଓ ଗାଈଗୋରୁକୁ ରଖିବା ପାଇଁ କାଞ୍ଜିଆହତାରେ ଦୁଇ ଦୁଇଟି ବିଭାଗ ଏତେ ଟଙ୍କା ଖର୍ଚ୍ଚ ଦେଖାଇଥିଲେ ମଧ୍ୟ ତାହା ଯେ ଭୂତ ଖାଇଦେଇଛି ତାହା ଜାଗା ଦେଖିଲେ ଜାଣିହେଉଛି । ନବକଳେବର ପାଇଁ ନଗର ଉନ୍ନୟନ ବିଭାଗ ୫୪ ଟି ନୂଆ ରାସ୍ତା ନିର୍ମାଣ କରିଥିଲା । ସେଥିପାଇଁ ଖର୍ଚ୍ଚ କରିଥିଲା ୩ କୋଟି ୫୪ ଲକ୍ଷ ୯୬ ହଜାର ୨୨୧ । ପୁରୀ ମ୍ୟୁନିସିପାଲିଟି ଅଞ୍ଚଳରେ ରହିଥିବା କ୍ଷୁଦ୍ର ଓ ମଧ୍ୟମ ଡ୍ରେନ୍ଗୁଡ଼ିକୁ ଟିକେ ଛୁଇଁଦେବା ପାଇଁ ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୪୬ ହଜାର ୨୪୪ ଟଙ୍କା । ଗ୍ରାଣ୍ଡ ରୋଡ୍ ଓ ଶ୍ରୀମନ୍ଦିର ଆଖପାଖ ସଫାସୁତୁରାରେ ଖର୍ଚ୍ଚ ହୋଇଛି ୯୭ ଲକ୍ଷ । ମ୍ୟୁନିସିପାଲିଟି ବଜ୍ୟବସ୍ତୁ ପରିଚାଳନାରେ ଖର୍ଚ୍ଚ ପରିମାଣ ୨୦ କୋଟି ୭୧ ଲକ୍ଷ ୭୧ ହଜାର ।
ଆଇଟି ବିଭାଗ ଖର୍ଚ୍ଚ କରିଛି ୨୯ ଲକ୍ଷ ୪ ହଜାର ୬୯୮ ଟଙ୍କା । ଏହି ସବୁ ଟଙ୍କା କେବଳ ୱେବ୍ ପୋର୍ଟାଲ୍, ମୋବାଇଲ୍ ଆପ୍ ସେବା ଓ ସୋସିଆଲ୍ ମିଡ଼ିଆ କ୍ୟାମ୍ପନ୍ ବାବଦରେ ଖର୍ଚ୍ଚ ହୋଇଛି । ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଖର୍ଚ୍ଚ କରିଛି ୮ କୋଟି ୯ ଲକ୍ଷ ୭୬ ହଜାର । ପାଇଖାନା କମ୍ପ୍ଲେକ୍ସ ପାଇଁ ପୁଣି ଏହି ବିଭାଗ ଖର୍ଚ୍ଚ କରିଛି ୧ କୋଟି ୧୨ ଲକ୍ଷ ଟଙ୍କା । ଜଳସମ୍ପଦ ବିଭାଗର ନବକଳେବର ଖର୍ଚ୍ଚ ହୋଇଛି ୩୬ କୋଟି ୭୦ ଲକ୍ଷ ୪୦ ହଜାର ହୋଇଥିଲା ବେଳେ ପୂର୍ତ୍ତ ବିଭାଗର ଖର୍ଚ୍ଚ ୨୯୧ କୋଟି ୪ ଲକ୍ଷ ୫୬ ହଜାର । ଆଶ୍ଚର୍ଯ୍ୟର କଥା ଏକା ପ୍ରକଳ୍ପ ପାଇଁ ଏକାଧିକ ବିଭାଗ ସେମାନଙ୍କ ଖର୍ଚ୍ଚ ଦେଖାଇଛନ୍ତି । ଅର୍ଥାତ୍ ଗୋଟିଏ ଗୋଟିଏ ପ୍ରକଳ୍ପ ନାଁରେ ଏକାଧିକ ବିଭାଗ ଟଙ୍କା ହରିଲୁଟ୍ କରିଛନ୍ତି ।
ଗୋଟି ଗୋଟି ଏମିତି ହିସାବ ଦେଖିଲେ ମୁଣ୍ଡ ଖରାପ ହୋଇଯିବ । ଦେଖି ନ ଥିବା ଲୋକର ମନେହେବ ପୁରୀ ସେହି ପୂର୍ବ ପୁରୀ ହୋଇ ରହିନାହିଁ । ଚାରିଆଡେ ଫିନ୍ ଫିନ୍ । ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ବିଜୁଳି କେଉଁଥିରେ ଅଭାବ ନାହିଁ । ହେଲେ ବାସ୍ତବରେ ଏବେ ନବକଳେବରର ବର୍ଷେ ପରେ ପୁରୀ ଦେଖିଲେ ବିଶ୍ୱାସ କରିହେଉନି ୧୨୫୪ କୋଟି ଖର୍ଚ୍ଚ ହୋଇଥିଲା ବୋଲି । ସତରେ ଏତେ ଟଙ୍କା ଖର୍ଚ୍ଚ ହୋଇଥିଲା ନା ନବକଳେବର ନାଁରେ ମିଛ ବିଲ୍ କରି ନେତା, ଅଫିସର ଓ ଠିକାଦାର ଟଙ୍କା ଲୁଟିନେଇଛନ୍ତି ତାହାର ତଦନ୍ତ ହେଲେ ଧରାପଡ଼ନ୍ତା । ଯେଉଁଠି ମାତ୍ର ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚରେ ଜଗମୋହନ ଫାଟ ମରାମତି ପାଇଁ ଭିଡ଼ାଭିଡ଼ି ଚାଲିଛି ସେଠି ନବକଳେବର ନାଁରେ କୋଟି କୋଟି ଟଙ୍କା ବାଟମାରଣ ହୋଇଯାଇଛି । ସ୍ୱଂୟ ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ରାଜ୍ୟ ରାଜକୋଷକୁ ଭୂତ ହୋଇ ଲୁଟିବାରେ ଡରିନାହାନ୍ତି ସରକାରୀ ପ୍ରାୟୋଜିତ ମୁନାଫା ଗୋଷ୍ଠୀ ।