ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶ୍ରୀଜଗନ୍ନାଥଙ୍କ ଜଗମୋହନ ଫାଟକୁ ନେଇ ହଠାତ୍ ଚେଇଁ ଉଠିଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବୁଧବାର ଦିନ ଅଚାନକ ମୁଖ୍ୟମନ୍ତ୍ରୀ ଜଗମୋହନ ଫାଟ ପରିଦର୍ଶନ କରିଥିବା ବେଳେ ତାଙ୍କୁ ବାଦେଣିଆ ପ୍ରସାଦ ହରିଚନ୍ଦନ ଫାଟ ଦେଖିଛନ୍ତି । ସେପଟେ ଫାଟର ଗମ୍ଭୀରତା ନେଇ ଜି.ସି.ମିତ୍ର କୋର୍ କମିଟି ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବାର କେଇ ଘଣ୍ଟା ପରେ ଦିଲ୍ଲୀରେ ଗତ ୧୬ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧରି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସ୍ଥିର ହେଲା, ୨୦ ତାରିଖରେ ସଂସ୍କୃତି ସଚିବ ମନୋଜ କୁମାର ସିହ୍ନାଙ୍କ ନେତୃତ୍ୱରେ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଆସି ଜଗମୋହନ ଫାଟ ଅନୁଧ୍ୟାନ କରିବେ ଏବଂ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ ।
ଜଗମୋହନ ଛାତରେ ଫାଟ ଆଜିକାଲିକା ନୁହେଁ । ଗତବର୍ଷ ଜୁଲାଇରୁ ଏହା ଜଣାପଡ଼ିଲାଣି । ଏଏସ୍ଆଇର ବିଶେଷଜ୍ଞ ଦଳ ଏହାର ଅନୁଧ୍ୟାନ କରି ରିପୋର୍ଟ ବି ଦେଇଛନ୍ତି । ସମ୍ପୂର୍ଣ୍ଣ ଜଗମୋହନ ସୁପର୍ ଷ୍ଟ୍ରକଚର୍ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରିଥିବା ରିପୋର୍ଟରେ ଦର୍ଶାଯାଇଥିଲା । ମାତ୍ର ଏହି ରିପୋର୍ଟ ଉପରେ ନା ରାଜ୍ୟ ସରକାର ସିରିୟସ୍ ହୋଇଥିଲେ ନା କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ ଖଣ୍ଡିଏ ଚିଠି ଲେଖି ଅଚିନ୍ତା ହୋଇଯାଉଥିବା ବେଳେ ସ୍ୱ-ଭାବିତ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥରୁଟିଏ ଏ ବିଷୟରେ ଚିନ୍ତା କରିଥିବା କେହି ଜାଣିନାହାନ୍ତି । କେନ୍ଦ୍ରରେ ସୁପର୍ ପାୱାର ଉପଭୋଗ କରୁଥିବା ଧର୍ମେନ୍ଦ୍ରଙ୍କର ଆନ୍ତରିକତା ଥିଲେ ଫାଟ ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ଅଟକି ନ ଥାଆନ୍ତା ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଳରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଲୋକଙ୍କ ଜନହିତକର କାର୍ଯ୍ୟରେ ତାହା କେତେ ଲାଗୁଛି, ନେତା ଓ ଅଫିସରଙ୍କ ପକେଟକୁ କେତେ ଯାଉଛି ତାହା ସମସ୍ତେ ଜାଣନ୍ତି । ମାତ୍ର ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିଲେ ବି ସେଥିକୁ ଚିନ୍ତା ନ କରି ଶାସନଡୋରି ଧରିଥିବା ମୁଣ୍ଡିମାନେ ନିଜର ସଂକୀର୍ଣ୍ଣ ରାଜନୀତି ଭିତରେ ସୀମିତ ରହିଛନ୍ତି । ଜଗମୋହନ ଫାଟ ମରାମତି ପାଇଁ ମାତ୍ର ଅଢ଼େଇରୁ ତିନି କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଥିଲେ ମଧ୍ୟ ଟଣାଭିଡ଼ା ଯୋଗୁଁ ବର୍ଷେ ହେଲା କାମ ହୋଇପାରୁନି । ମନ୍ଦିରର ରକ୍ଷଣାବେକ୍ଷଣ ଏଏସ୍ଆଇ ଦାୟିତ୍ୱ ଦର୍ଶାଇ ମୁଖ୍ୟମନ୍ତ୍ରୀ ଚିଠି ଲେଖି କାମ ସାରିଦେଉଛନ୍ତି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହାପ୍ରଭୁଙ୍କ ସୁରକ୍ଷା ଚିନ୍ତା ଛାଡ଼ି ବିଦେଶ ଭ୍ରମଣରେ ମାତିଛନ୍ତି । ସରକାରୀ ପଇସାରେ ୬ ମାସରେ ଥରେ ବିଦେଶ ବୁଲିବା ସଉକାରେ ପଡ଼ିଥିବା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପକ୍ଷରୁ କେବେ ବି ଏଥିନେଇ ତତ୍ପରତା ପ୍ରକାଶ ପାଇନି ।
ଆଉ ଆମ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରରେ ଭାରି ଖାଦି ତାଙ୍କର । ଉଭୟ ଦଳ ଓ ସରକାରରେ ତାଙ୍କୁ ଦ୍ୱିତୀୟ ପ୍ରମୋଦ ମହାଜନ କୁହାଯାଉଛି । କେନ୍ଦ୍ର କ୍ଷମତାକୁ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ବିଭୋର ସେ । ଦୁଧିଆଳି ପେଟ୍ରୋଲିୟମ୍ ବିଭାଗର ଦାୟିତ୍ୱ ପାଇଥିବା ଧର୍ମେନ୍ଦ୍ର ଓଡ଼ିଶାରେ ନିଜ ପ୍ରଚାର ଓ ପ୍ରସାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଲମ୍ବା ଭାଷଣବାଜି କରୁଛନ୍ତି । ମାତ୍ର ବର୍ଷେ ଭିତରେ ଜଗମୋହନଙ୍କ ଫାଟ ମରାମତି ଉପରେ ତତ୍ପରତା ଦେଖାଇବା ଛାଡ଼ନ୍ତୁ, ଚିନ୍ତା ବି କରିନାହାନ୍ତି । ନେଡିଗୁଡ଼ କହୁଣୀକୁ ବୋହୁଥିବା ବେଳେ ବିଜେଡ଼ି, ବିଜେପି ଓ କଂଗ୍ରେସ ଜଗମୋହନ କାନ୍ଦବୋବାଳି ପକାଇବା ପଛର ପଲିଟିକ୍ସ ଲୋକେ ବୁଝିସାରିଲେଣି । କିଏ ବାହାବା ନେଉଛି ନେଉ, ହେଲେ ଶ୍ରୀମନ୍ଦିର ସୁରକ୍ଷିତ ରହୁ ଏହା ଜଗନ୍ନାଥପ୍ରେମୀଙ୍କ ପ୍ରାର୍ଥନା ।