ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଂଖ୍ୟାର ତାକତ୍ ବିଧାନସଭାକୁ ଜିତିଲା ପରେ ବାକି ରହିଥିଲା ମିଡ଼ିଆ । ନିଜର ଅପକର୍ମ ଘୋଡାଇବା ପାଇଁ ବିଜେଡ଼ି ସରକାର ଏବେ ମିଡ଼ିଆକୁ କିଣିବା ଆରମ୍ଭ କରିଛନ୍ତି । ପ୍ରଥମ ଉଦ୍ୟମରେ ବୁଧବାର ସବୁ ଖବରକାଗଜର ଗୋଟିଏ ଲେଖାଏଁ ପୃଷ୍ଠା ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଚାଲିଯାଇଛି । ସରକାରଙ୍କ ପଞ୍ଚାୟତିରାଜ ବିଭାଗ ନିଜ ସଫଳତାର କାହାଣୀକୁ ଖବର ଆକାରରେ ଏମିତି ଛାପିଛି ତାହା ଜାଣିବା ଶୁଣିବା ଲୋକଙ୍କୁ ଟେରା କରିଦେଇଛି । ଖବରକାଗଜ ଅଙ୍କରେ ଏହା ବିଜ୍ଞାପନ ହୋଇଥିଲେ ମଧ୍ୟ ସାଧାରଣ ପାଠକଙ୍କ ପାଇଁ ବିଜ୍ଞାପନର ନାଁ ଗନ୍ଧ ନାହିଁ । ଓଲଟି ପାଠକଙ୍କ ପାଇଁ ଏହା ହୋଇଛି ଦୈନନ୍ଦିନ ଖବର । ପଞ୍ଚାୟତିତରାଜ ବିଭାଗ ସୁଚିନ୍ତିତ ବୁଦ୍ଧି ଘଟାଇ ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ଏବଂ ଖବରକାଗଜବାଲା ମୋଟା ଅଙ୍କ ବଦଳରେ ପୂରା ଗୋଟିଏ ପୃଷ୍ଠା ଛାଡ଼ିବାରେ ଦ୍ୱିଧା ରଖିନାହାନ୍ତି । ସିଧା ସିଧା ଅର୍ଥରେ ଖବରକାଗଜକୁ ମାଧ୍ୟମ କରି ସରକାର ସାଧାରଣ ଜନତାଙ୍କୁ ପୂରା ଭକୁଆ ବନେଇ ଦେଇଛନ୍ତି ।
ସାଧାରଣତଃ ସରକାର କିମ୍ବା ଦଳୀୟ ବିଜ୍ଞାପନରେ ଚିହ୍ନ ବର୍ଣ୍ଣ ରହିବା କଥା । ସରକାରୀ ବିଜ୍ଞାପନରେ ବିଭାଗର ଲୋଗୋ ରହିବାର ନିୟମ ଥିଲା ବେଳେ ଦଳୀୟ ବିଜ୍ଞାପନରେ ଦଳୀୟ ଲୋଗୋ କି ସିମ୍ବଲ ରହେ । କିଛି ନ ହେଲେ ସରକାରୀ ବିଭାଗର ସଫଳତାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ବିଜ୍ଞାପନ ଆକାରରେ ଛାପିଥାଏ । ମାତ୍ର ବୁଧବାର ଦିନର ସବୁ ପ୍ରମୁଖ ଖବର କାଗଜର ଦୁଇ କି ତିନି ପୃଷ୍ଠା ଲେଉଟାଇଲେ ସେଥିରେ ପଞ୍ଚାୟତିରାଜ ବିଭାଗର ପକ୍କାଘର ଯୋଜନାର ସଫଳତା ସ୍ଥାନ ପାଇଛି । ଖବରର ବିଭିନ୍ନ ଆଇଟମ୍ରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଭଞ୍ଜନଗର, ମାଲକାନଗିରି, ଝାରସୁଗୁଡ଼ା ଓ ପଟ୍ଟାଙ୍ଗୀ ଡେଟଲାଇନ୍ ଦିଆଯାଇଛି । ଯେଭଳି ସାଧାରଣ ପାଠକ ତାକୁ ପଡ଼ିଲେ ସେହି ଅଞ୍ଚଳର ଖବର ବୋଲି ନିଶ୍ଚିତ ହେବେ । ଭୁବନେଶ୍ୱରଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗର ପକ୍କାଘର ଯୋଜନାର ସଫଳତାକୁ ବାହାବା ଦେବେ ।
ଖବରକାଗଜ ଜଟିଳ ବିଜ୍ଞାପନ ଗଣିତର ଅପହଞ୍ଚରେ ଥିବା ସାଧାରଣ ପାଠକଙ୍କଠାରୁ ବାହାବା ଗୋଟାଇବା ପାଇଁ ଏଭଳି ଉର୍ବର ମସ୍ତିଷ୍କ ଖଟାଯାଇଛି । ନିଜ ନିଜର ସ୍ୱାର୍ଥ ପାଇଁ ଉଭୟ ସରକାର ଓ ଖବରକାଗଜ ସଂସ୍ଥା କମନ୍ ଏଥିକ୍ସକୁ ଜଳାଞ୍ଜଳି ଦେବାକୁ ପଛାଇନାହାନ୍ତି । ପଖାଳଖିଆ ଦୀନ ଦରିଦ୍ରଙ୍କଠାରୁ ଆରମ୍ଭ କରି ପାଠପଢ଼ୁଆ ଉଚ୍ଚଗୋଷ୍ଠୀ ଏହି ଖବର ଭ୍ରମର ଶିକାର ହୋଇଥିଲେ ବି ସେଥିପ୍ରତି ପରବାଏ ନାହିଁ । ଏହା ହିଁ ଆମ ଓଡ଼ିଶାବାସୀଙ୍କ ଦୁର୍ଭାଗ୍ୟ ।