ଭୁବନେଶ୍ୱର: ଆସନ୍ତାକାଲି ଅକ୍ଟୋବର ୧୬ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ । ଏହି ଦିନକୁ ଧୁମଧାମ୍ ରେ ପାଳନ କରିବା ପାଇଁ କର୍ମୀମାନେ ଅପେକ୍ଷାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ଆଜି ଘୋଷଣା କରିଛନ୍ତି । ଚଳିତବର୍ଷ ଫନି ବାତ୍ୟାରେ ରାଜ୍ୟର ବିପୁଳ କ୍ଷତି ଘଟିଥିବାରୁ ଆସନ୍ତାକାଲି ତାଙ୍କ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
କର୍ମୀ ଓ ଶୁଭେଚ୍ଛୁମାନେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
“କେବଳ ମୋର ଜନ୍ମଦିନ ନୁହେଁ, ଆପଣଙ୍କ ଜୀବନର ସବୁ ସ୍ମରଣୀୟ ଦିନ ଯଥା ଆପଣଙ୍କ ଜନ୍ମଦିନ, ଆପଣଙ୍କ ପିଲାମାନଙ୍କ ଜନ୍ମ ଦିନ, ବିବାହ ବାର୍ଷିକୀ ଆଦି ଦିନମାନଙ୍କରେ ଏହି ପିଲାମାନଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କ ପାଇଁ କିଛି କାମ କରନ୍ତୁ । ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ । ଯେତେବେଳେ ଆପଣ ଅନାଥାଶ୍ରମ ବି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ବିଦ୍ୟାଳୟକୁ ଯାଉଛନ୍ତି, ସେତେବେଳେ ଆପଣଙ୍କ ପରିବାର ଓ ପିଲାମାନଙ୍କୁ ସାଥୀରେ ନେଇ ଯାଆନ୍ତୁ” ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି । ଆପଣମାନଙ୍କ ଆଶିର୍ବାଦ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା । ମୁଁ ବହୁତ ଖୁସି ଯେ ଆସନ୍ତାକାଲି ସାରା ରାଜ୍ୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।