ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟରେ ପ୍ରବଳ ଖରା ଓ ତାତି । ଟିଟିଲାଗଡ଼ରେ ପାରଦ ୪୮ ଟପିଥିବା ବେଳେ ଅଧିକାଂଶ ଜାଗାରେ ପାରଦ ୪୦ ଉପରେ । ଚଳିତବର୍ଷର ତାତି ସବୁ ରେକର୍ଡ ଭାଙ୍ଗିଦେଇଛି । ଖରା ଓ ତାତିର ଦାଉ ମଣିଷକୁ ସିଝୋଉ ଥିବା ବେଳେ ପାଣି ପାଇଁ ହାହାକାର ପଡ଼ିଛି ସାରା ରାଜ୍ୟରେ । ବନ୍ୟା ଓ ମରୁଡ଼ିଠାରୁ ଭୟଙ୍କର ହୋଇଛି ଜଳସଙ୍କଟ । ଟୋପେ ପାଣି ପାଇଁ ମହିଳାମାନେ ମୁଣ୍ଡଫଟା ଖରାରେ ଗରା, ମାଠିଆ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମାନ ସ୍ଥିତି ।
ଠିକ୍ ଏତିକିବେଳେ ଆମେରିକା ଭ୍ରମଣରେ ବାହାରିଛନ୍ତି ରାଜ୍ୟବାସୀଙ୍କ ଜଳ ସମସ୍ୟା ସହ ଉଣା ଅଧିକେ ଜଡ଼ିତ ୪ ବରିଷ୍ଠ ଆଇଏଏସ୍ । ସେମାନେ ହେଲେ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ବିଶାଳ ଦେବ, ବିଡ଼ିଏ ଉପାଧ୍ୟକ୍ଷ ଡାକ୍ତର କ୍ରିଷ୍ଣନ କୁମାର ଏବଂ ସାମାଜିକ କଲ୍ୟାଣ ନିର୍ଦେଶକ ରବୀନ୍ଦ୍ର ପ୍ରତାପ ସିଂ । ସାଧାରଣ ଓ ପ୍ରଶାସନ ବିଭାଗର ଚିଠି ନମ୍ବର ୮୨୯୭ରେ ମଂଜୁର ହୋଇଛି ସେମାନଙ୍କ ବିଦେଶ ଗସ୍ତ । କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ୍ ୩୦ରେ ସେମାନେ ଭୁବନେଶ୍ୱର ଛାଡ଼ି ୯ ତାରିଖକୁ ଫେରିବେ । ଆମେରିକାର ହାର୍ଭାଡା କେନେଡ଼ି ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବୁମାନେ ଯୋଗଦେବେ । କାର୍ଯ୍ୟକ୍ରମଟି ମେ ୨ ତାରିଖରୁ ୬ ତାରିଖ ଯାଏଁ ଚାଲିବ ।
ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି “ସ୍କେଲିଂ ଆର୍ଲି ଚାଇଲଡ୍ହୁଡ୍ ଇନସେଟିଭ୍’’ । ଛୋଟ ଛୁଆଙ୍କ ବିକାଶ ନିମିତ୍ତ ଜ୍ଞାନ ଆହରଣ କାର୍ଯ୍ୟକ୍ରମଟିକୁ ଗୁରୁତ୍ୱହୀନ କେହି କହୁନାହାନ୍ତି । ମାତ୍ର ସଚିବସ୍ତରର ଏହି ଆଇଏଏସ୍ମାନେ ସେଠୁଁ କ’ଣ ଜ୍ଞାନ ଆଣିବେ ଓ ତାକୁ ଆଣି କେଉଁଠି ଉପଯୋଗ କରିବେ ତାହା ବୁଝାପଡୁନାହିଁ । ରାଜ୍ୟର ଜଳସଙ୍କଟ ସମସ୍ୟା ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ବିଦେଶରେ ଛୁଆ ଜ୍ଞାନ ଆହରଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହାର ଜବାବ ସରକାର ହିଁ ଦେଇପାରିବେ । ଏମିତିରେ ବି ଏବେ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେସନର ବେଳ । ଏଭଳି ମୁହୁର୍ତ୍ତରେ ସରକାର ସେମାନଙ୍କୁ ବିଦେଶ ଭ୍ରମଣର ଅନୁମତି ଦେବା ଆଶ୍ଚର୍ଯ୍ୟଜନକ । ମଳିମୁଣ୍ଡିଆ ଓଡ଼ିଶାବାସୀଙ୍କ ପାଇଁ ତାହାର ଉତ୍ତର ଦୁର୍ବୋଧ୍ୟ ।