ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନାଁ ଟି କୁଆଡେ ତାଙ୍କର ସୋନିଆ । ସମ୍ବ୍ରାନ୍ତ ବେଶଭୂଷା । କଥା କହିବାର ଠାଣିରେ ଭରପୂର ସମ୍ବ୍ରାନ୍ତୀୟ ଆଦବ କାଇଦା । ଅର୍ଥ ଲୋଭରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ରେ ଗୋଡ଼ ଥାପିଛି । ସୁନୀଲ୍ ମେହେର ଆବିଷ୍କୃତ ପେଡ୍-ଗାର୍ଲ ଫ୍ରେଣ୍ଡର ପରିଚୟରେ ବଞ୍ଚିଛି । ଆଉ ଏମିତି ଜଣେ ଉଚ୍ଚଶିକ୍ଷିତ ଯୁବତୀଙ୍କୁ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ ବାଲା କ୍ୟାମେରା ସାମ୍ନାକୁ ଆଣି ଜେରା କରୁଛନ୍ତି ।
ସୋନିଆ ନାମ୍ନୀ ତଥାକଥିତ ପେଡ୍ ଗାର୍ଲ ଫ୍ରେଣ୍ଡକୁ ଟିଭିବାଲା ଏକ ହୋଟେଲ ରୁମ୍ରେ ଠାବ କରିଛନ୍ତି ଅଥବା ଟିଭି ଇଣ୍ଟରଭ୍ୟୁ ପାଇଁ ତାକୁ ହୋଟେଲକୁ ଆଣିଛନ୍ତି । ଦେହ ଓ ଶରୀରକୁ କଳାକନାରେ ଘୋଡାଇ କ୍ୟାମେରାକୁ ଫେସ୍ କରୁଛି ଯୁବତୀ । ମାଗି ଆଣିଲା ଭଳି କଳା ଗଗଲେସ୍ରେ ଆଖି ଯୋଡିକ ଛପାଇଛି । ହାଇଫାଇ ଗେଟ୍ ଅପ ଓ ଠାଣିକୁ ଗଗଲେସ୍ଟି ଭାରି ଖାପଛଡ଼ା ଲାଗୁଛି । ନିଶ୍ଚିତ ଭାବରେ ଏହା ତାଙ୍କର ନୁହେଁ । ସୁଟିଂ ପାଇଁ ମାଗିଯାଚି କୌଣସି ପୁରୁଷ ଚଷମା ସେ ଆଣିଛି ଅଥବା ତାକୁ ତାହା ପିନ୍ଧିବାକୁ ଦିଆଯାଇଛି ।
ପ୍ରଶ୍ନ- ତମର ମାସିକ ରୋଜଗାର କେତେ? ଯୁବତୀଙ୍କ ଉତ୍ତର- ଭାଗରେ ପଡୁଛି ୫/୬ ହଜାର । ସେତିକି ଟଙ୍କାରେ ମାସ ହିସାବରେ ୫୦ରୁ ଅଧିକ ଜଣ ପୁରୁଷଙ୍କୁ ଦେଉଛି ସାନ୍ନିଧ୍ୟ । ଘଣ୍ଟିକିଆ ଗାର୍ଲ ଫ୍ରେଣ୍ଡ ସାଜି ମିଛି ମିଛିକା ବୟ ଫ୍ରେଣ୍ଡ ସାଙ୍ଗେ ଶଯ୍ୟାସଙ୍ଗିନୀ ହେଉଛି । ଯୁବତୀ ମୁହଁରୁ ଏଭଳି ଉତ୍ତର ଶୁଣିଲା ପରେ ଦର୍ଶକଙ୍କ ମନ ଚହଲିଯାଇଥିବ । ମାସକୁ ୧୦ ହଜାର ରୋଜଗାର ଛୁଉଁ ନ ଥିବା ଜଣେ ଉଚ୍ଚଶିକ୍ଷିତ, ସମ୍ବ୍ରାନ୍ତ ଯୁବତୀ ଯେ ଦେହ ବ୍ୟବସାୟ ଭଳି କୁତ୍ସିତ କାର୍ଯ୍ୟକୁ ଆପଣେଇଛି ତାହା ଜମାରୁ ବିଶ୍ୱାସ କରିପାରୁ ନ ଥିବେ । ରାଜଧାନୀର ଦେହ ବଜାରରେ ତା ପରି ଯୁବତୀ ପାଇଁ ଗରାଖ ପିଛା ୫ ରୁ ୧୦ ହଜାର ମାମୁଲି କଥା । ଆଉ ଯୁବତୀଙ୍କ କହିବା କଥା ସତ ହୋଇଥିଲେ ସେ ନିବୃତ୍ତ କୋଠରୀରେ ଦିନକୁ ନିହାତି ଜଣେ କିମ୍ବା ଦୁଇଜଣ ଗରାଖଙ୍କ ମନଖୁସି କରିପାରୁଛନ୍ତି । ଆଃ.. ମାନିବାକୁ ପଡ଼ିବ ସେମିତିକା ଯୁବତୀଙ୍କୁ ।
ତେବେ ଭୁବନେଶ୍ୱର ଭଳି ସହର ଓ ସେ ଯୁବତୀର କାଟାଗୋରିକୁ ନିରୀକ୍ଷଣ କଲେ ଏହା ସତ ଓ ସମ୍ଭବ ତ? ତାହାର ଗୋଟିଏ ଉତ୍ତର ବିଲକୁଲ୍ ଅସମ୍ଭବ । କେବଳ କଳ୍ପନାରେ ସେକ୍ସ ଷ୍ଟୋରିକୁ ଏଭଳି ନାଟକ ରୂପାନ୍ତର କରାଯାଇପାରେ । ଏମିତିକା ପ୍ଲଟ୍ ଆଙ୍କି ଏବଂ କୌଣସି ଯୁବତୀଙ୍କୁ ଅଭିନୟ ଶିଖାଇ ଦର୍ଶକଙ୍କୁ ବୋକା ବନାଇବାର କୌଶଳ। ଦର୍ଶକଙ୍କୁ ବୋକା ବନାଇ ମନ କିଣିବା ପଛରେ ଟିଆରପି ଚକ୍କର ବାରି ହୋଇପଡୁଛି । ତେବେ ଦର୍ଶକମାନେ ଏତେ ବୋକା ନୁହଁ ଯେ ସତ ଆଉ ନାଟକର ଫରକ ଜାଣିପାରିବେନି । ଅନ୍ତତଃପକ୍ଷେ ଟିଆରପି ପ୍ରତିଯୋଗିତାରେ ଏଭଳି ନାଟକ ଲୋକଙ୍କ ପାଇଁ ଗ୍ରହଣୀୟ ତ ନୁହେଁ ବରଂ ଗଣମାଧ୍ୟମର ବିଶ୍ୱାସନୀୟତା ଉପରେ କୁଠାରଘାତ ନିଶ୍ଚିତ ।