ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଇଁ ଏହି ଉକ୍ତିଟି ଏବେ ଅକ୍ଷରେ ଅକ୍ଷରେ ସତ ହୋଇଛି । ଯୁବ ବ୍ରିଗେଡ୍ ସହଯୋଗୀମାନେ ତାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଯେଝା ବାଟରେ ଯେଝା । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସେମାନେ ନିଜ ସୁରକ୍ଷାରେ ସଞ୍ଜୟଙ୍କଠାରୁ ଛତ୍ରଭଙ୍ଗ ଦେଇଛନ୍ତି । କିଏ ବୈଷ୍ଣୋଦେବୀ ଭ୍ରମଣରେ ମଉଜମସ୍ତି କରୁଛନ୍ତି ତ ଆଉ କିଏ ଦିଲ୍ଲୀରେ ବୁଲୁଛନ୍ତି । ନିଜ କର୍ମ ଓ ଭାଗ୍ୟକୁ ଆଦରି ଏକା ହୋଇଯାଇଛନ୍ତି ସଞ୍ଜୟ ।
ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇତିହାସ ପେଡ଼ି ଧରି ଘନ ଘନ ଆକ୍ରମଣ ଜାରି ରଖିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ଉପସଭାପତି ସମୀର ମହାନ୍ତି ସଞ୍ଜୟଙ୍କୁ ପ୍ରଶ୍ନବାଣରେ ଛନ୍ଦିଥିବା ବେଳେ ଲୁଲୁ ମହାପାତ୍ର ତାଙ୍କର ପୁରୁଣା ଫଟୋ ଧରି ଚିଟ୍ ଫଣ୍ଡ ସଂପୃକ୍ତିର ପୁଣି ଏକ ଖିଅ କାଢ଼ିଛନ୍ତି । ତେବେ ବିରୋଧୀଙ୍କ ପ୍ରଶ୍ନବାଣର ବିଜେଡ଼ି ତୁଣ୍ଡ ଚିରାଚରିତ ଜବାବ ଦେଇ କାମ ଚଳେଇ ଦେଉଛନ୍ତି । ସଞ୍ଜୟଙ୍କ ସପକ୍ଷରେ କିମ୍ବା ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାରେ ଦଳୀୟ ମୁଖପାତ୍ରମାନଙ୍କ ମୁହଁରେ ଏବଂ କଥାରେ ଆକ୍ରମଣାତ୍ମକ ଢ଼ଙ୍ଗ ନାହିଁ । ଯୁବ ମୁଖପାତ୍ରମାନେ କ୍ୟାମେରା ଆଗରେ ଦଳକୁ ବଞ୍ଚାଇ କହୁଥିଲେ ମଧ୍ୟ କ୍ୟାମେରା ବାହାରେ ସାମ୍ବାଦିକମାନଙ୍କୁ ଓଲଟି ସଞ୍ଜୟଙ୍କ ବିରୋଧରେ ଉସକାଉଛନ୍ତି । ମନ୍ତ୍ରୀ ପଗଡି ପିନ୍ଧି ବସିଥିବା ନିମାପଡ଼ା ବିଧାୟକ ତଥା ବିଜେଡ଼ିର କୁହାଳିଆ ମୁଖପାତ୍ର ସମୀର ଦାଶ ଏ କ୍ଷେତ୍ରରେ ସମସ୍ତଙ୍କଠାରୁ ଆଗରେ । ସଞ୍ଜୟ ଖସିଲେ ଚୌକି ପାଇବାର ଆକାଂକ୍ଷାରେ ସେ ମସଗୁଲ୍ । ମୁଖପାତ୍ର ପ୍ୟାନେଲର୍ ହାରୁ ବିଧାୟକ ପ୍ରତାପ ଦେବ ଓ ବିଧାୟକ ପ୍ରତାପ ଜେନାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା । ଜାତିଭାଇ ସଞ୍ଜୟଙ୍କ ପ୍ରତିପତ୍ତି ଓ କ୍ଷମତାରେ ସେମାନେ ଇର୍ଷାନ୍ୱିତ । ତେଣୁ ସଞ୍ଜୟଙ୍କ ସପକ୍ଷରେ ସେମାନଙ୍କଠାରୁ ଆନ୍ତରିକତା ଆଶା କରା ନ ଯିବା ସ୍ୱାଭାବିକ ।
ସବୁଠାରୁ ବଡ଼କଥା, ପାଜେରୋର ତତଲା କରେଇରେ ସଞ୍ଜୟ ଦରମରା ହେଉଥିଲା ବେଳେ ଜିଗିରି ଦୋସ୍ତ ମନ୍ତ୍ରୀ ଅରୁଣ ସାହୁ ନିଜ ସହଚରଙ୍କୁ ଧରି ବୈଷ୍ଣୋବଦେବୀର ମଉଜମସ୍ତି କରିବା ବିଜେଡ଼ି ଯୁବ ମହଲକୁ ଆଚମ୍ବିତ କରିଛି । ସଞ୍ଜୟଙ୍କ ବିପଦ ବେଳେ ଡି-ବ୍ରଦର୍ସ ଲିଙ୍କ୍ କଳଙ୍କିତ ଚେଲା ବାପି ରାୟଙ୍କ ସୁରକ୍ଷା ପାଇଁ ବୈଷ୍ଣୋବଦେବୀଙ୍କ ଦର୍ଶନରେ ଯିବା ତାଙ୍କର ସଞ୍ଜୟ ଆନ୍ତରିକତାକୁ ପଦାରେ ପକାଇଛି । ଯୁବ ବ୍ରିଗେଡ୍ର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସ ଇତିମଧ୍ୟରେ ସଞ୍ଜୟଙ୍କ ଘରକୁ ଯାଇ ଅନେକବାର ମନ୍ତ୍ରଣା କରିଥିଲେ ମଧ୍ୟ ଗଣମାଧ୍ୟମରେ ତାଙ୍କ ସପକ୍ଷରେ ପଦୁଟିଏ କହିନାହାନ୍ତି । ଏହାଦ୍ୱାରା ସଞ୍ଜୟଙ୍କୁ ସୁରକ୍ଷା ଦେବାରେ ସେମାନଙ୍କର ଆନ୍ତରିକତା ବି ପ୍ରଶ୍ନଘେରରେ । ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ତାଙ୍କ କାମ ଓ ବେପାରରେ କେତେବେଳେ ଦିଲ୍ଲୀ ତ ଆଉ ନିଜ ଅଞ୍ଚଳରେ ବୁଲୁଛନ୍ତି । ସଞ୍ଜୟଙ୍କ ଆଡକୁ ତାଙ୍କର ପରବାଏ ନାହିଁ । ପ୍ରଦୀପ ପାଣିଗ୍ରାହୀ ବି ସଞ୍ଜୟଙ୍କ ଆଡୁ ମୁହଁ ବୁଲାଇ ନିଜ ଭାବମୂର୍ତ୍ତିକୁ ଜାବୁଡ଼ି ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁନଜରରେ ଥିବା ଯୁବ ବ୍ରିଗେଡ୍ଙ୍କ ଏଭଳି ଅବସ୍ଥା ପଛରେ ରହିଛି ପରଷ୍ପର ଗୋଛି କଟାକଟି ଗୁଣ । ନିଜ ଭାବମୂର୍ତ୍ତି ଜଗି ସଞ୍ଜୟଙ୍କ ବଦନାମରେ କେହି ଭାଗିଦାରୀ ହେବାକୁ ଚାହୁଁନାହାନ୍ତି । ରାଜନୀତିରେ କେହି କାହାର ବନ୍ଧୁ ନୁହଁନ୍ତି ଏହା ତାହାର ସଦ୍ୟତମ ଉଦାହରଣ ।
ଆଉ ରହିଲେ ଦାମ ରାଉତ, ବିଜୟଶ୍ରୀ ରାଉତରାୟଙ୍କ ଭଳି ସିନିୟର୍ ନେତା । ଯୁବମନ୍ତ୍ରୀଙ୍କ ଆଧିପତ୍ୟରେ ସେମାନେ ଅତିଷ୍ଠ ଓ ଅସହ୍ୟ । ତୃତୀୟ ମହଲାର ଛତ୍ରଛାୟା ତଳେ ଯୁବମନ୍ତ୍ରୀଙ୍କ ଉତ୍ପାତରେ ଖପ୍ପା ଥିବା ବିଜେଡ଼ି ସିନିୟରଙ୍କ ପାଇଁ ସଞ୍ଜୟଙ୍କ ଚିଟ୍ ଫଣ୍ଡ ଲିଙ୍କ୍ ଅଭିଯୋଗ ବଢ଼ିଆ ମୌକା ହୋଇଛି । ସଞ୍ଜୟଙ୍କ ବିରୋଧରେ ସେମାନେ ଗଣମାଧ୍ୟମରେ ଖାଲି ବୟାନ ଦେଉନାହାନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବାରେ ପଛଘୁଞ୍ଚା ଦେଇନାହାନ୍ତି । ସଞ୍ଜୟଙ୍କୁ ବଳି ପକାଇ ସେମାନେ ଯୁବମନ୍ତ୍ରୀ ଦମନ ଅଭିଯାନର ଷଡ଼ଯନ୍ତ୍ର ରଚିଛନ୍ତି । ଦୁଇଦିନ ତଳେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ମଧ୍ୟରେ ଦୀର୍ଘ ସମୟର କବାଟକୀଳା ଆଲୋଚନାରେ ଜୁନିୟର୍ଙ୍କ ବିରୋଧରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ସଞ୍ଜୟଙ୍କ ମାମଲାରେ ବିଜେଡ଼ିରେ ସିନିୟର୍-ଜୁନିୟର୍ କନ୍ଦଳର ବରାବର ଫାଇଦା ନେଉଛନ୍ତି ବିରୋଧୀ ।