ଭୁବନେଶ୍ୱର: ଜଷ୍ଟିସ୍ ସି.ଆର.ଦାସଙ୍କ ଘରେ ସିବିଆଇ ଟିମ୍ ର ରାତିଅଧିଆ ଚଢ଼ଉ ଘଟଣା ଉପରେ ସୁପ୍ରିମକୋର୍ଟ ରିପୋର୍ଟ ତଲବ କଲା । ମାସେ ମଧ୍ୟରେ ରିପୋର୍ଟ ଦେବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲା । ମାତ୍ର ମାସେ ପୂରିବାକୁ ହାତରେ ଦିନେ ଥିଲା ବେଳେ ସିବିଆଇର ରିପୋର୍ଟ କଥା ମନେପଡ଼ିଛି । ୬ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହେବାକୁ ଥିବା ବେଳେ ଆଜି ଦିଲ୍ଲୀରୁ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚିଛନ୍ତି ଓଡ଼ିଶାରେ । ଦିନକରେ ଅନୁଧ୍ୟାନ/ତଦନ୍ତ କରି ପରଦିନ ରିପୋର୍ଟ ଦେବେ । ସେଥିରେ ତଦନ୍ତ କିଭଳି ହେବ ତାହା ସିବିଆଇବାଲାଙ୍କୁ ଜଣାଥିବ । ଦେଶର ଏକ ନମ୍ବର ତଦନ୍ତକାରୀ ସଂସ୍ଥା ଦେଶର ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶ ଉପରେ ମନମୋଟିଆ ହୋଇ କିଭଳି ବେଖାତିର କରୁଛି ତାହା ଏହି ଘଟଣା ସ୍ପଷ୍ଟ କରୁଛି ।
ଗତ ସେପ୍ଟେମ୍ବର ୧୯ ଅଧାରାତିରେ ଓଡ଼ିଶାର ହାଇକୋର୍ଟ ମାନ୍ୟବର ବିଚାରପତି ଜଷ୍ଟିସ୍ ସି.ଆର.ଦାସଙ୍କ କଟକସ୍ଥିତ ସରକାରୀ ବାସଭବନ ଉପରେ ସିବିଆଇ ଇନସପେକ୍ଟର ପି.ସି.ମିଶ୍ରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଚଢ଼ାଉ ଉଦ୍ଦେଶ୍ୟରେ ଆସିଥିଲେ । ଏହି ଟିମ୍ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଆଇ.ଏମ୍. କୁଦ୍ଦସିଙ୍କ ଘର ଖୋଜୁଥିଲେ । ତେବେ ଜଷ୍ଟିସ୍ କୁଦ୍ଦସି ଅବସର ନେଇ ୩ ବର୍ଷ ତଳୁ ସେହି ସରକାରୀ ବାସଭବନ ଛାଡ଼ିଦେଇଛନ୍ତି । ସେହି ଘରେ ଏବେ ରହୁଛନ୍ତି ଜଷ୍ଟିସ୍ ଦାସ । ଘରର ଗେଟ୍ ରେ ବଡ଼ ବଡ଼ ଅକ୍ଷରରେ ତାଙ୍କର ନେମ୍ ପ୍ଲେଟ୍ ବି ରହିଛି । ମାତ୍ର ସିବିଆଇ ଟିମ୍ ମନ ମତାଣିଆ ହୋଇ ଜଷ୍ଟିସ୍ କୁଦ୍ଦସିଙ୍କୁ ଖୋଜିବା ଆଳରେ ଜଷ୍ଟିସ୍ ଦାସଙ୍କ ଘରେ ପଶିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏଭଳି ବେଆଇନ ଚଢ଼ାଉ ବିରୋଧରେ ଜଷ୍ଟିସ୍ ଦାସଙ୍କ ଘରର ସୁରକ୍ଷାକର୍ମୀ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଥିଲା । ପରେ ଓଡ଼ିଶା ହାଇକୋର୍ଟରେ ବାର୍ ଆସୋସିଏସନ୍ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ଓଡ଼ିଶା ହାଇକୋର୍ଟ ଏହା ଉପରେ ସିବିଆଇକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା । ସିବିଆଇ ଏହି ଘଟଣା ପାଇଁ ଭୁଲ ମାଗିବା ସହ ଓଡ଼ିଶା ହାଇକୋର୍ଟରୁ ମାମଲା ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆବେଦନ କରିଥିଲା । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ହାଇକୋର୍ଟରେ ଥିବା ଶୁଣାଣି ଉପରେ ରହିତାଦେଶ ଜାରି କରିଥିଲେ ।
ନିଜର ଭୁଲ୍ ସ୍ୱୀକାର କରିବା ସହ ବୁଝାମଣା ଭିତ୍ତିରେ ମାମଲାର ରଫାଦଫା ପାଇଁ ସିବିଆଇର ଗୁହାରିକୁ ସୁପ୍ରିମକୋଟ ର୍ବି ଗ୍ରହଣ କରିଥିଲେ । ଗତ ଡିସେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଚୂଡ଼ାନ୍ତ ରିପୋର୍ଟ ମାଗି ସିବିଆଇକୁ ମାସେ ସମୟ ଦେଇଥିଲେ । ଆସନ୍ତା ୬ ତାରିଖରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ସିବିଆଇ ଟିମ୍ ହଲି ଦୋହଲି ଆଜି ଆସିଛନ୍ତି ଓଡ଼ିଶା । ଜଷ୍ଟିସ୍ ଦାସ, ଜଷ୍ଟିସ୍ ଙ୍କ ବାସଭବନର ସୁରକ୍ଷାକର୍ମୀ, କ୍ୟାଣ୍ଟନମେଣ୍ଟ ପୁଲିସକୁ ପଚରାଉଚୁରା କରି ସିବିଆଇ ଟିମ୍ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ସୁପ୍ରିମକୋର୍ଟରେ ଦାଖଲ କରିବେ । ଏତେବଡ଼ ଘଟଣାରେ ନିଜର ଭୁଲ୍ ବୁଝି ମାମଲାର ଅନ୍ତ ଘଟାଇବାକୁ ସିବିଆଇ ଆତୁର ଦେଖାଉଥିଲେ ମଧ୍ୟ ଖୋଦ୍ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଏଭଳି ଖାମଖିଆଲ ଢ଼ଙ୍ଗରେ ନେଇ ଏକପ୍ରକାର ଅବଜ୍ଞା କରିଥିବା କୁହାଯାଉଛି । ହାତରେ ମାସେ ସମୟ ପାଇଥିଲେ ମଧ୍ୟ ମିଆଦି ପୁରିବାର ଦିନକ ଆଗରୁ ସିବିଆଇ ଟିମ୍ ରିପୋର୍ଟ ପ୍ରସ୍ତୁତ ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିବା କେବଳ ଆଇ ୱାସ୍ ବୋଲି କୁହାଯାଉଛି । ସିଟିଂ ଜଷ୍ଟିସ୍ ଙ୍କ ବାସଭବନରେ ରାତିଅଧିଆ ଭୁଲ୍ ଚଢ଼ାଉ ପାଇଁ ସିବିଆଇ ଅନୁତାପ କରିଥିବା ଜଣାପଡୁନାହିଁ ବୋଲି ବରିଷ୍ଠ ଓକିଲ ମହଲରେ ଆଲୋଚନା ହେଉଛି ।