ଫୁଲବାଣୀ: ୫ ଟି ଘଞ୍ଚପାହାଡ଼ ଘେରି ଭିତରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ନିଜ ଜନ୍ମମାଟି ଓ ଏକମାତ୍ର ପରିବାରକୁ ଦୁନିଆ ସହ ସଂଯୋଗ କରାଇବାର ସଂକଳ୍ପ ନେଇ ତାହାକୁ କାର୍ଯ୍ୟକାରୀ କରୁଥିବା ଜଣେ ମଣିଷ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । କାହାଣୀ ପରି ଲାଗୁଥିବା ଏମିତି କଥାଟି ନିରାଟ ସତ । ଏମିତି ଜଣେ ବ୍ୟକ୍ତିଙ୍କ ସତ କାହାଣୀ ଏବେ ପଦାକୁ ଆସିଛି । ସେ ହେଉଛନ୍ତି ଜଳନ୍ଧର ନାୟକ । ଫୁଲବାଣୀ ସଦର ମହକୁମାଠାରୁ ମାତ୍ର ୧୬ କିମି ଦୂର ଉତୁଡ଼ି ଜଳପ୍ରପାତ ନିକଟ ଘଞ୍ଚ ପାହାଡ଼ଭରା କୁମିଗାଁର ଅଧିବାସୀ । ହାତରେ ଟାଙ୍ଗିଆ ଓ ଫାଉଡ଼ା ଧରି ଏକଲା ଦୁଇଟି ପାହାଡ଼କୁ କାଟି ୮ ଫୁଟିଆ ରାସ୍ତା ବାହାର କରିସାରିଲେଣି । ଆଉ ୩ ଟି ପାହାଡ଼ କାଟି ରାସ୍ତା ସଫା କାମରେ ଲାଗିଛନ୍ତି । ନିଜ ପରିବାରକୁ ଦୁନିଆ ସହ ସଂଯୋଗ କରିବାକୁ ଏକା ଏକା ସଂକଳ୍ପ ନେଇଛନ୍ତି ସେ । କିମ୍ବଦନ୍ତୀ କାହାଣୀ ପାଲଟିଥିବା ବିହାର ଗୟା ଜିଲ୍ଲାର ମାଉଣ୍ଟେନମ୍ୟାନ୍ ଭାବେ ପରିଚିତ ଦଶରଥ ମାନଝୀଙ୍କୁ ସେ ପଛରେ ପକାଇଦେଇଛନ୍ତି । ଦଶରଥ ନିଜ ପତ୍ନୀଙ୍କ ସ୍ମୃତିରେ ଦୁଇଟି ଜଙ୍ଗଲ କାଟି ରାସ୍ତା ତିଆରି କରିଥିବା ଯୋଗୁଁ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।
ଜଳନ୍ଧରଙ୍କ ପରିବାରକୁ ମିଶାଇ ତାଙ୍କ ଗାଁ କୁମିଗାଁରେ ସମୁଦାୟ ୪ଟି ପରିବାର ରହୁଥିଲେ । ଘଞ୍ଚ ପାହାଡ଼ ଘେରିରେ ଥିବା ଏହି ଗାଁ ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ରାସ୍ତାଘାଟ କିଛି ନାହିଁ । ବିଜୁଳି ସ୍ୱପ୍ନ । ଝରଣାପାଣି ବଞ୍ଚିବାର ସାହାରା । ଦୁନିଆର ଆଲୁଅ ଦେଖିବା ପାଇଁ ୩ ପରିବାର କେବେଠୁ ଗାଁ ଛାଡ଼ି ପଳାଇଯାଇଛନ୍ତି । ଆଉ ରହିଯାଇଛନ୍ତି ଏକା ଜଳନ୍ଧରଙ୍କ ପରିବାର । ପରିବାର ବୋଲେ ଜଳନ୍ଧର, ବାପା, ପତ୍ନୀ ଏବଂ ତିନି ସନ୍ତାନ । ନିଜ ଭିଟାମାଟି ନ ଛାଡ଼ିବାର ସଂକଳ୍ପ ନେଇ ଜଳନ୍ଧର ବିକଳ୍ପ ଚିନ୍ତା କରିଥିଲେ । ଗାଁକୁ ରାସ୍ତା ପକାଇବା ପାଇଁ ନିଜେ ହାତରେ ଟାଙ୍ଗିଆ ଓ ଫାଉଡ଼ା ଧରିଥିଲେ । ଆଉ ପାହାଡ଼ କାଟି ରାସ୍ତା ସଫା କରିବା କାମରେ ଲାଗିଯାଇଥିଲେ । ଦୁଇବର୍ଷ ହେଲା ଅବିଶ୍ରାନ୍ତ ଭାବେ ସେ ଏହି କାମରେ ଲାଗିଛନ୍ତି । ଏ ପର୍ଯ୍ୟନ୍ତ ଦୁଇଟି ପାହାଡ଼ କାଟି ୮ ଫୁଟିଆ ରାସ୍ତା ବାହାର କରିସାରିଲେଣି । ବାକି ତିନୋଟି ପାହାଡ଼ କାଟି ରାସ୍ତା ବାହାର କରିବାକୁ ୫ ବର୍ଷ ଟାର୍ଗେଟ୍ ନେଇଛନ୍ତି । ରାସ୍ତା ବାହାର କରି ନିଜ ପରିବାରକୁ ଦୁନିଆ ସହ ସଂଯୋଗ କରାଇବାକୁ ଦୃଢ଼ ସଂକଳ୍ପ ତାଙ୍କର ।
ସ୍ମରଣଯୋଗ୍ୟ, ବିହାରର ଗୟା ଜିଲ୍ଲାର ଦଶରଥ ମାନଝୀ ନିଜ ପତ୍ନୀଙ୍କ ସ୍ମୃତିରେ ଦୁଇଟି ପାହାଡ଼ କାଟି ୩୬୦ ଫୁଟ ଲମ୍ବ, ୩୦ ଫୁଟ ଚଉଡ଼ା ଏବଂ ୨୫ ଫୁଟ ଗଭୀରର ରାସ୍ତା ନିର୍ମାଣ କରିଥିଲେ । ସେଥିପାଇଁ ତାଙ୍କୁ ଦୀର୍ଘ ୨୨ ବର୍ଷ ଲାଗିଥିଲା । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ମାଉଣ୍ଟେନ୍ ମ୍ୟାନ୍ ଭାବେ ପରିଚିତ ହୋଇଥିଲେ ।