ଭୁବନେଶ୍ୱର: ନୂଆବର୍ଷରେ ସମସ୍ତେ ଇଶ୍ୱରଙ୍କ ଆର୍ଶିବାଦ ଲୋଡ଼ନ୍ତି । ନିଜର ଓ ପରିବାରର ସୁଖ,ଶାନ୍ତି ଭିକ୍ଷା କରନ୍ତି । ବ୍ୟକ୍ତିଗତ ସ୍ୱାର୍ଥର ଉପରକୁ ଯାଇ ଅନେକ ମାନବ ସମାଜର ସୁଖ,ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ରାଜନୈତିକ ଦଳଗୁଡ଼ିକ ନିଜର ସମୃଦ୍ଧି ଓ ପତିଆରା ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରନ୍ତି । ତେବେ ଏଥର ନୂଆବର୍ଷରେ ବିଜେପିବାଲାଙ୍କୁ ଏସବୁ ଭଲ ଲାଗିନି । ‘ଆପେ ବଞ୍ଚିଲେ ବାପର ନାଁ’ ନ୍ୟାୟରେ ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ୱାନ୍ ପଏଣ୍ଟ ପ୍ରୋଗ୍ରାମ୍(ଗୁହାରି) ରଖିଛନ୍ତି । ୧୨୦ ପ୍ଲସ୍ ବିଧାୟକ କାମନାରେ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରି ସିଂହଦ୍ୱାର ସମ୍ମୁଖରେ୧୨୧ ଦ୍ୱୀପ ଜାଳିଛନ୍ତି । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା ବଦଳରେ ବିଜେପି ନେତାଙ୍କ ୧୨୦ ଆତୁରତା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ନୂଆବର୍ଷ ସଂଧ୍ୟାରେ ମହାପ୍ରଭୁଙ୍କ ଆର୍ଶିବାଦ ପାଇଁ ପଲଟନ ଧରି ପୁରୀ ଶ୍ରୀମନ୍ଦିର ଯାଇଥିଲେ ବିଜେପି ସଂଗଠନ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ମୁଖପାତ୍ର ସଜ୍ଜନ ଶର୍ମା ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା । ଜଗନ୍ନାଥଙ୍କ ନିକଟରେ ସେମାନେ ପୂଜାର୍ଚ୍ଚନା କରି ଅମିତ୍ ଶାହାଙ୍କ ମିଶନ୍ ୧୨୦+ ର ସଫଳତା ପାଇଁ ଆର୍ଶିବାଦ ଭିକ୍ଷା କରିଥିଲେ । ଏହି କାମନାରେ ସେମାନେ ସିଂହଦ୍ୱାର ସମ୍ମୁଖରେ ଜାଳିଥିଲେ ୧୨୧ ଟି ଦ୍ୱୀପ । ଦଳର ମନସ୍କାମନାକୁ ସର୍ବଜାନୀନ କରିବାକୁ ବି ପଛାଇ ନ ଥିଲେ । ଦଳର ମିଡ଼ିଆ ସେଲ୍ ପକ୍ଷରୁ ସବୁ ଗଣମାଧ୍ୟମକୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା । ଖବରଟିକୁ ଯେମିତି ହେଲେ ଟିକେ ବସାଇବାକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ୍ ରେ କହିବାକୁ ଭୁଲି ନ ଥିଲେ ବିଜେପି ନେତା । ତେବେ ମହାପ୍ରଭୁଙ୍କ ନିକଟରେ ମିଶନ୍ ୧୨୦ ପ୍ଲସ୍ ର ସଫଳତା କାମନା କରି ଆର୍ଶିବାଦ ଭିକ୍ଷା କରିବା ଏବଂ ୧୨୧ ଦ୍ୱୀପ ଜାଳିବାର ଖବର ପ୍ରସାରିତ କରିବା ପଛରେ ବିଜେପିର କି ଉଦ୍ଦେଶ୍ୟ ରହିଛି ତାହା ଅନେକଙ୍କୁ ବୁଝାପଡ଼ିନାହିଁ ।
Khyamata lobha re andha…yanka pai party bada,mati nuhe