ଭୁବନେଶ୍ୱର: ଭୁବନେଶ୍ୱରଠାରେ ବାର୍ କାଉନସିଲ୍ ଅଫ ଇଣ୍ଡିଆ ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ପ୍ରତି ଅସୌଜନ୍ୟ ଆଚରଣ ରାଜ୍ୟ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ବାର୍ କାଉନସିଲ୍ ଅଫ ଇଣ୍ଡିଆ ପକ୍ଷରୁ ଓଡ଼ିଶା ବାର୍ କାଉନସିଲ୍ ର ୭ ଜଣ ବରିଷ୍ଠ ସଭ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ରାଜ୍ୟ ବାର୍ କାଉନସିଲ୍ ସଭ୍ୟ ପଦରୁ ସେମାନଙ୍କୁ କାହିଁକି ବହିଷ୍କାର କରା ନ ଯିବ ତାହାର ଜବାବ ମଗାଯାଇଛି । ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ର ଜବାବ ରଖିବାକୁ ବାର୍ କାଉନସିଲ୍ ଅଫ ଇଣ୍ଡିଆର ଯୁଗ୍ମ ସଚିବ ଅଶୋକ କୁମାର ପାଣ୍ଡେ ଗତ ୧୨ ତାରିଖରେ ଚିଠି କରିଛନ୍ତି । କାରଣଦର୍ଶାଅ ନୋଟିସ୍ ଜାରି ପାଇଥିବା ସଭ୍ୟମାନେ ହେଲେ ସୀତାଶୁଂ ଦ୍ୱିବେଦୀ, ଅସୀମ ଅମିତାଭ ଦାଶ, ଜ୍ଞାନରଂଜନ ମହାନ୍ତି, ନିରଞ୍ଜନ ପଣ୍ଡା, ବିଭୂପ୍ରସାଦ ତ୍ରିପାଠୀ, ଅରୂପାନନ୍ଦ ଦାସ ଏବଂ ମାନସ କୁମାର ଚାନ୍ଦ ।
ଗତ ଏପ୍ରିଲ୍ ୨୨ ତାରିଖରେ ଆଇନଜୀବୀମାନଙ୍କର ଏକ ଜାତୀୟ କନଭେନସନ୍ ଆୟୋଜିତ ହୋଇଥିଲା ଭୁବନେଶ୍ୱରରେ । ୧୭ ଟି ରାଜ୍ୟରୁ ୩୦୦ ପ୍ରତିନିଧି ସେଥିରେ ଯୋଗଦେଇଥିଲେ । ଓଡ଼ିଶା ବାର୍ କାଉନସିଲ୍ ଏହାର ଆୟୋଜନ କରିଥିଲା । ଲ’ କମିସନ୍ ଅଫ ଇଣ୍ଡିଆର ଆଡଭୋକେଟସ୍ ଆକ୍ଟ,୧୯୬୧ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଏହି କନଭେନସନ୍ ଡକାଯାଇଥିଲା । ତେବେ ଆଇନଜୀବୀମାନେ ଏହି ସଂଶୋଧନ ପ୍ରସ୍ତାବକୁ ପ୍ରବଳ ବିରୋଧ କରିଥିଲେ । ପ୍ରାୟ ସବୁ ରାଜ୍ୟର ବାର୍ କାଉନସିଲ୍ ଏହି ସଂଶୋଧନ ବିଲ୍ ବିପକ୍ଷରେ ମତ ଦେଇଥିଲେ । ଏହି ସଂଶୋଧନ ଆଇନଜୀବୀମାନଙ୍କ ସ୍ୱାଧୀନତାକୁ କ୍ଷୂର୍ଣ୍ଣ କରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ତେବେ କନଭେନସନ୍ ରେ ବାର୍ କାଉନସିଲ୍ ଅଫ ଇଣ୍ଡିଆ ଅଧ୍ୟକ୍ଷ ମନନ କୁମାର ମିଶ୍ର ଭାଷଣ ଦେବାକୁ ଗଲାବେଳେ ତାଙ୍କୁ ପ୍ରବଳ ବିରୋଧ ହୋଇଥିଲା । ଓକିଲମାନେ ତାଙ୍କୁ ଠେଲାପେଲା କରି କହିବାର ସୁଯୋଗ ଦେଇ ନ ଥିଲେ । ଏହି ମାମଲାରେ ଓଡ଼ିଶା ବାର୍ କାଉନସିଲ୍ ର ଉପରୋକ୍ତ ୭ ଜଣ ବରିଷ୍ଠ ସଭ୍ୟଙ୍କୁ ବାର୍ କାଉନସିଲ୍ ଅଫ ଇଣ୍ଡିଆ ଦୋଷୀ ଦର୍ଶାଇଛି ।