ରାୟଗଡ଼ା/କଳାହାଣ୍ଡି: ଆଜି ବନ୍ୟାଜଳରେ ଭାସୁଛି ରାୟଗଡ଼ାର କଲ୍ୟାଣସିଂହପୁର । ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଅଚାନକ ନାଗାବଳୀ ଓ କଲ୍ୟାଣୀ ନଦୀ ଉଛୁଳିଥିଲା ଏବଂ ବନ୍ୟାଜଳ ମାଡ଼ି ଆସିଥିଲା କଲ୍ୟାଣପୁର ଟାଉନ୍ ଓ ସଦର ଅଞ୍ଚଳକୁ । କଲ୍ୟାଣପୁରସିଂହପୁର ଟାଉନ ସମେତ ବାଲିପଦର, ବିଲଉଣ୍ଡା, ମାଝିଗୁଡ଼ା, କୁମ୍ଭୀରଗୁଡ଼ା ଆଦି ଗାଁରେ ୫ରୁ ୮ ଫୁଟ ଉଚ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ୧୦ ହଜାର ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି । ରହିବାକୁ ବାସ, ପିଇବା ପାଣି, ଯୋଗାଯୋଗ ଓ ବିଜୁଳି ବ୍ୟବସ୍ଥା କଟିଯାଇଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣିରେ ୭ ଟି ପୋଲ ଭାଙ୍ଗି ଭାସିଯାଇଛି । ଥେରୁବାଲି ନିକଟ କାର୍ତ୍ତିକଗୁଡ଼ା ନିକଟରେ ରେଳୱେ ବ୍ରିଜ୍ ଭାଙ୍ଗିଯାଇଛି । କଲ୍ୟାଣପୁରରୁ ରାୟଗଡ଼ା ଓ ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
କଳାହାଣ୍ଡିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅବସ୍ଥା ଅଣାୟତ୍ତ ହୋଇପଡ଼ିଛି । ଜୁନାଗଡ଼ ନିକଟରେ ହାତୀ ନଦୀ ପୋଲ ଭାସିଯାଇଛି । ଜୟପୁର, ନବରଙ୍ଗପୁର ଓ କୋରାପୁଟକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଅନେକ ରାସ୍ତାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି । ରାୟଗଡ଼ା ଓ କଳାହାଣ୍ଡିରେ ବର୍ଷା ଓ ବନ୍ୟା ବିତ୍ପତ୍ତି ଯୋଗୁଁ ରେଳ ଚଳାଚଳ ସାଂଘାତିକ ପ୍ରଭାବିତ ହୋଇଛି । ଜଳଘେରିରେ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ହେଲିକପ୍ଟରକୁ ଲଗାଯାଇଛି । ଓଡ୍ରାଫ୍ ଟିମ୍, ସିଆରପିଏଫ୍ ଜବାନ ଏବଂ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି । ଦୁଇଟି ଜିଲ୍ଲାର ବିଡ଼ିଓ, ତହସିଲଦାରମାନଙ୍କୁ ହେଡକ୍ୱାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିସନର ବନ୍ୟାସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଛନ୍ତି ।
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲ୍ୟାଣସିଂହପୁର ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଅଫିସରମାନେ ସ୍ଥିତି ପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଘନୀଭୂତ ହେଉଛି । ଏହାର ପ୍ରଭାବରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନେ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।