ଭୁୁବନେଶ୍ୱର: ‘କାଳିଆ’ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହାର ଶେଷ ତାରିଖ ଜାନୁଆରୀ ୧୦ ଧାର୍ଯ୍ୟ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ‘କାଳିଆ’ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ଏହି ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନର ଶେଷ ତାରିଖ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘କାଳିଆ’ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ୍ ନ ପଡ଼ନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି ।