ଭୁବନେଶ୍ୱର: ଚାଷୀଙ୍କ ହକ୍ ମାଗି ଆଜି ଦିଲ୍ଲୀରେ ନିଜର ଶକ୍ତି ଦେଖାଇଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ୱ ନେଇ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବିଚାର ବିରୋଧରେ ପ୍ରବଳ ବର୍ଷିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି । ୨୦୧୪ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇ ଭୁଲିଗଲା । ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ହେଲା ନାହିଁ । ଚାଷୀଙ୍କ ପ୍ରତି ଏ ଅନ୍ୟାୟକୁ ଆଉ ସହିବାର ନାହିଁ । ଚାଷୀଙ୍କ ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ବଜ୍ର ଘୋଷଣା କରିଥିଲେ । ଏହି ଅବସରରେ ରାଜ୍ୟମାନଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ଦାବି ପୁଣି ଥରେ ଉଠାଇବାକୁ ଭୁଲି ନ ଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ରାଜରାସ୍ତାରେ ଓଡ଼ିଶାର ହକ୍ ମାଗି କେନ୍ଦ୍ର ସରକାରଙ୍କ ଉପରେ କଠୋର ମନୋଭାବ ଦେଖାଇଥିଲେ । ଦିଲ୍ଲୀର ତାଲକୋତ୍ରା ଷ୍ଟାଡିୟମ୍ ରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ଆୟୋଜିତ କୃଷକ ଅଧିକାର ସମାବେଶରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ସ୍ୱାମୀନାଥନ୍ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ତାର ଦାୟିତ୍ୱରୁ ଖସି ଯାଇପାରିବ ନାହିଁ । ନିର୍ବାଚନ ସମୟରେ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଆମେ ଭୁଲିଯିବା ଉଚିତ ନୁହେଁ । ବିଜେପି କ୍ଷମତାକୁ ଆସିଲା ପରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି ।
ମୁଖ୍ୟମନ୍ତ୍ରୀ ରାଜ୍ୟମାନଙ୍କୁ ଆର୍ଥିକ ସ୍ୱାୟତତ୍ତା ଦାବି ପୁଣି ଉଠାଇଥିଲେ । କହିଥିଲେ, ନିକଟରେ ମୁଁ ରାଜ୍ୟମାନଙ୍କୁ ଆର୍ଥିକ ସ୍ୱାୟତତ୍ତା ଦାବି କରିଥିଲି । ଆମର ଆର୍ଥିକ ସ୍ୱାୟତତ୍ତା ଥିଲେ, ଆଜି ଆମର ଚାଷୀ ଭାଇଭଉଣୀମାନଙ୍କୁ ଦିଲ୍ଲୀ ଆସିବା ଦରକାର ହୋଇ ନ ଥାଆନ୍ତା । ଆମେ ଆମର ପାଣ୍ଠିରୁ ଚାଷୀକୁ ହକ୍ ଦେଇଥାଆନ୍ତୁ । ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ହକ୍ । ଏହା କାହାର ଦୟା ନୁହେଁ । ବିଜୁ ଜନତା ଦଳ ଚାଷୀଙ୍କ ହକ୍ ପାଇଁ କାମ କରି ଆସୁଛି ଏବଂ କରି ଚାଲିବ । ଚାଷୀର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆରମ୍ଭ କରିଥିବା ‘କାଳିଆ’ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ଏହାକୁ ପ୍ରଗତିଶୀଳ କାର୍ଯ୍ୟକ୍ରମ ବୋଲି କହିଥିଲେ । ବିଗତ ସାଢ଼େ ଚାରି ବର୍ଷରେ କୃଷି କ୍ଷେତ୍ରରେ ଆମେ ୩୦ ହଜାର କୋଟି ଟଙ୍କା ବ୍ୟୟ କରିଛୁ । ଆମେ ପ୍ରତିଶ୍ରୁତି ଦେଉ ଓ ଏହା ପୂରଣ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଜୁ କୃଷକ ଜନତା ଦଳ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶ ଓ ଧାରଣା କାର୍ଯ୍ୟକ୍ରମରେ ଦଳୀୟ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଜେଡ଼ିର ସମସ୍ତ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା, ଜିଲ୍ଲାସ୍ତରୀୟ ନିର୍ବାଚିତ ପ୍ରତିନିଧି ଓ କୃଷକ ନେତା ଯୋଗଦେଇଥିଲେ । ସମାବେଶ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ବିଜେପିର ଟକ୍କର, କଂଗ୍ରେସ ବି ପଛରେ ପଡ଼ିଲାନି
ଚାଷୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବିଚାର ପ୍ରତିବାଦରେ ବିଜେଡ଼ିର ଦିଲ୍ଲୀ ସମାବେଶ ଚାଲିଥିବା ବେଳେ ଭୁବନେଶ୍ୱରରେ ତାକୁ ଟକ୍କର ଦେବାକୁ ଉଦ୍ୟମ କରିଥିଲା ବିଜେପି । ଧାନମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି କୃଷକ ମୋର୍ଚ୍ଚା ସମାନ୍ତରାଳ ଆନ୍ଦୋଳନ କରିଥିଲା । କୃଷକ ମୋର୍ଚ୍ଚା କର୍ମୀମାନେ ସଚିବାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେଠାରେ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା ।






