ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ଶାସନରେ ନାରୀମାନେ ସୁରକ୍ଷିତ ନାହାନ୍ତି । ସେମାନଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି । ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଟିଭି ଏବେ ପ୍ରତିଦିନ ଏଭଳି ଖବରକୁ ଧରି ତୁମ୍ବିତୋଫାନ କରୁଛି । ମହିଳାମାନଙ୍କୁ ନ୍ୟାୟ ଓ ସମ୍ମାନ ମିଳୁ ବୋଲି ଚିଲୋଉଛି । ହେଲେ ପଣ୍ଡାଙ୍କ ମିଡ଼ିଆ ସଂସ୍ଥା ଏହି ମହିଳାମାନଙ୍କ ଇଜ୍ଜତ ସହ କେମିତି ଖେଳିପାରେ ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି । ଦିଲ୍ଲୀ “କୃଷକ ଅଧିକାର ଯାତ୍ରା’ ଯାତ୍ରାରେ ଯାଇଥିବା ବିଜେଡ଼ିର ମହିଳା ନେତ୍ରୀମାନଙ୍କ ଉଦ୍ଦେଶ୍ୟରେ ସଂସ୍ଥାର ୱେବ୍ ପୋର୍ଟାଲ୍ ରେ ଅତ୍ୟନ୍ତ ଅରୁଚିକର କଥା ଲେଖାଯାଇଛି । ବିଜେଡ଼ିର କିଛି ଆଗଧାଡ଼ିର ବିଧାୟକ ଓ ନେତା ଦିଲ୍ଲୀ ପଞ୍ଚତାରକା ହୋଟେଲରେ କୁଆଡେ ସୁରାସାକିରେ ମଦମସ୍ତ ଅଛନ୍ତି ଏବଂ ଦଳର ଆଶାୟୀ ନେତ୍ରୀମାନେ ଏହି ଯୁବନେତାମାନଙ୍କୁ ଭେଟିବାକୁ ଭିଡ଼ ଜମେଇଛନ୍ତି । ଏହାର ଏକ କାର୍ଟୁନ୍ ଚିତ୍ର ବି କରାଯାଇଛି । ଏହା ବି ଲେଖାଯାଇଛି ଯେ ଆନ୍ଦୋଳନ ଆଳରେ ମହିଳା, ଯୁବ ଓ ଛାତ୍ର ନେତାମାନେ ମଉଜମସ୍ତି ଓ ପିକନିକ୍ କରିବାକୁ ଯାଇଛନ୍ତି । ୪୦ ଘଣ୍ଟାର ଦିଲ୍ଲୀ ଯାତ୍ରା ବେଳେ ଟ୍ରେନ୍ ଭିତରେ ଭରପୁର ମଉଜମସ୍ତି କରିଛନ୍ତି ।
ଅତି ସାଧାରଣ ଭାବେ ବୁଝିଲେ, ଏହି ଲେଖାରେ ବିଜେଡ଼ି ମହିଳା ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଯାଇଛି । ନିର୍ଦ୍ଦିଷ୍ଟ ଭାବେ କେଉଁ ଟିକେଟ ଆଶାୟୀ ମହିଳା କେଉଁ ଯୁବନେତାଙ୍କୁ ପ୍ରଲୋଭନ କରିବାକୁ ଭିଡ଼ ଜମାଇଛନ୍ତି ତଥ୍ୟ ପ୍ରମାଣ ସହ ଲେଖିଥିଲେ ଆପତ୍ତି ନ ଥାଆନ୍ତା । ମାତ୍ର ୨୦୦ ବିଜେଡ଼ି ନେତ୍ରୀ ଦିଲ୍ଲୀ ଯାଇଥିବା ଦର୍ଶାଇ ସମସ୍ତଙ୍କ ଉଦ୍ଦେଶ୍ୟରେ ଅରୁଚିକର ଲେଖା ଲେଖିବା ଓ ତାହାକୁ ‘ଚର୍ଚ୍ଚା’, ‘କୁଆଡେ’ର ଆଖ୍ୟା ଦେଇ ମହିଳାଙ୍କ ଇଜ୍ଜତ ସହ ଖେଳ ଖେଳିବା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବୁଦ୍ଧିଜୀବୀ ମହଲକୁ ଏହା ଅତ୍ୟନ୍ତ ଲଜ୍ଜିତ କରିଛି । ବିଜେଡ଼ିର ମହିଳା ନେତ୍ରୀଙ୍କୁ ଉପଭୋଗ୍ୟର ମାଧ୍ୟମ ବୋଲି ବିବେଚନା କରିବାର ଦୁଃସାହାସ ପଣ୍ଡା ମିଡ଼ିଆ ସଂସ୍ଥାର କେମିତି ହେଲା ବୋଲି ପ୍ରଶ୍ନ ଉଠିଛି ।
ମହିଳାଙ୍କ ସମ୍ମାନ ଓ ଇଜ୍ଜତ ପରିବା ହାଟର ଆଳୁ, ପିଆଜ ନୁହେଁ । ମହିଳାଙ୍କ ସମ୍ମାନ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ଏଭଳି ଛନଛନିଆ ଖବର କରିବା ଓ ‘ଗସିପ୍’ ଗଳି ରେ ସ୍ଥାନିତ କରୁଥିବା ଗଣମାଧ୍ୟମର ଚରିତ୍ର ଓ ମାନସିକତା କେଉଁସ୍ତରର ତାହା ସଚେତନ ନାଗରିକଙ୍କୁ ଆନ୍ଦୋଳିତ କରିଛି । ପୂର୍ବରୁ ଏହି ‘ଗସିପ୍ ଗଳି’ ରେ ବହୁ ନେତା ଓ ଅଫିସରଙ୍କ ଚରିତ୍ର ସଂହାର କରାଯାଇଛି । ଶୁଣାକଥା ନାଁରେ ସେମାନଙ୍କ ବେଡ଼ରୁମ୍ ଭିତର କଥା ଲେଖିବାକୁ ବି ପଛାଇନାହିଁ ଏହି ସଂସ୍ଥା । କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କର ବି ଚରିତ୍ର ସଂହାର କରାଯାଇଛି ।
କାହାର ସାଧୁତା ଓ ବ୍ୟକ୍ତିଗତ ଚରିତ୍ର ବିରୋଧରେ ଲେଖିଲା ବେଳେ ଟିକନିକ ପ୍ରମାଣପତ୍ର ନିହାତି ଦରକାର । ସାମ୍ବାଦିକତାର ଏହି ପାଠକୁ ତଥାକଥିତ ବଡ଼ ସଂସ୍ଥାର ବିଜ୍ଞ ମାଲିକ ଓ ବିଜ୍ଞ ସାମ୍ବାଦିକଙ୍କୁ ଅବୁଝା ନାହିଁ । ମାତ୍ର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସାମ୍ବାଦିକତାକୁ ଅତି ହୀନସ୍ତରକୁ ନେବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ସଂସ୍ଥାର ମୁଖ୍ୟ ଜଣେ ମହିଳା ସେହି ସଂସ୍ଥାଠାରୁ ମହିଳାଙ୍କ ଇଜ୍ଜତ ରକ୍ଷା ବେଶୀ ଆଶା କରିବା କଥା ବୋଲି କୁହାଯାଉଛି ।