ଭୁୁବନେଶ୍ୱର: ମାନବ ସମାଜର ବିକାଶ ପାଇଁ ଯୋଗାଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଏହି ଯୋଗାଯୋଗର ବିଶେଷ ତାରମତ୍ୟ ପରିଲକ୍ଷିତ ହେଉଛି । ଯୋଗାଯୋଗରେ ରହିଥିବା ଏହି ବିରାଟ ପାର୍ଥକ୍ୟକୁ କିଭଳି ହ୍ରାସ୍ କରାଯାଇପାରିବ, ସେଦିଗରେ ଉଦ୍ୟମ କରିଛନ୍ତି ଭୁବନେଶ୍ୱରସ୍ଥିତ ଜାଭିୟର୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସ୍କୁଲ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ ।
ଅନୁଷ୍ଠାନର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏ ସମ୍ପର୍କିତ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି । କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ଷ୍ଟ୍ରାଟେଜିକ୍ ପବ୍ଲିକ୍ କମ୍ୟୁନିକେସନ୍” ।
ଗାଁ ଗୁଡ଼ିକରେ ଯୋଗାଯୋଗ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକକୁ ହଟାଇ ବିଭିନ୍ନ ସୂତ୍ରରୁ ଆବଶ୍ୟକ ସୂଚନା ପ୍ରଦାନ ମାଧ୍ୟମରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଆହୁରି ଉନ୍ନତ ଓ ସରଳ କରିବା ଥିଲା ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କର୍ମଶାଳା ଆୟୋଜିତ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ଗ୍ରାମାଞ୍ଚଳରେ ସଠିକ୍ ପହଞ୍ଚାଇ ଯୋଜନାରୁ ସେମାନେ କିଭଳି ସୁଫଳ ପାଇବେ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଛାତ୍ରଛାତ୍ରୀ । ଏଥିରେ ଗଣମାଧ୍ୟମର ବିଶେଷ ଭୂମିକା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା ।
ଜାଭିୟର୍ ସ୍କୁଲ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ ର ଡିନ୍ ଡ. ଏସ.ପେପିନ୍ ଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିବା ଡେଭଲେପମେଣ୍ଟ କୋର୍ସର ଏହି କାର୍ଯ୍ୟକ୍ରମ ଥିଲା ଏକ ଅଂଶବିଶେଷ । ପିଆର୍ ବା ଲୋକସମ୍ପର୍କ ବିଷୟକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା ।