ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜୁନ୍ ୩୦ ତାରିଖରେ ଗିରଫ ହୋଇଥିଲେ ପପୁ ପମ୍ ପମ୍ । ପୁରୀର ନନ୍ଦିଘୋଷ ଆପାର୍ଟମେଣ୍ଟରେ ଲୁଚିଥିବା ବେଳେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ତାଙ୍କୁ କୁଆଡେ ଠାବ କଲେ । ପୁଲିସ ଗଣମାଧ୍ୟମରେ ଏକଥା ଛାତି ଫୁଲାଇ ଘୋଷଣା କରିବା ପରେ ପପୁ ଗିରଫଦାରୀକୁ ନେଇ ଚାଲିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଲା । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପୁଲିସ ଖାତାରେ ଫେରାର ପପୁ ଗିରଫ ଦିନ ହିଁ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ହାଇକୋର୍ଟରେ ନିଜେ ଆଫିଡେଭିଟ୍ ଦେଇ ଆଗୁଆ ଜାମିନ୍ ଆବେଦନରେ ଦସ୍ତଖତ କରିଥିଲେ । ପୁଲିସ ଆଖିରେ ମୋଷ୍ଟ ୱାଣ୍ଟେଡ୍ ପପୁ ହାଇକୋର୍ଟ ଗଲେ ଅଥଚ ପୁଲିସକଳ ଜାଣିପାରିଲା ନାହିଁ । ଓଲଟି ସେଇ ଏକାଦିନରେ ପୁରୀରୁ ତାଙ୍କୁ ଗିରଫ କରିଥିବା କହିଲା । ପପୁ ଗିରଫର ଏହି ଜଟିଳ ଗଣିତ ଏବେ ସାଧାରଣଲୋକଙ୍କ ମୁଣ୍ଡ ଖରାପ କରିଦେଇଛି ।
ହାଇକୋର୍ଟ କାଗଜପତ୍ର କହୁଛି, ୩୦ ତାରିଖରେ ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍ ପପୁ ଆସିଥିଲେ ଆଗୁଆ ଜାମିନ୍ ଆବେଦନ ପାଇଁ କଟକ ହାଇକୋର୍ଟକୁ । ତାଙ୍କର ଓକିଲ ଥିଲେ ଅଶ୍ୱିନୀ କୁମାର ଦାସ । କେସ୍ ନମ୍ବର ଥିଲା ଏବିଏଲ୍ ଏପିଏଲ୍ -୧୧୦୦୬/୨୦୧୬ । ନିୟମ ଅନୁଯାୟୀ, ଅଭିଯୁକ୍ତ ପୁଲିସ ଏଫଆଇଆର୍ କପି ସଂଲଗ୍ନ ସହ ନିଜର ଠିକଣା, ପରିଚୟର ଆଫିଡେଭିଟ୍ ଗୁନ୍ଥି ଆଗୁଆ ଜାମିନ୍ ଆବେଦନ କରିବେ । ହାଇକୋର୍ଟରେ ଏହା ଫାଇଲ୍ ହେବା ମାତ୍ରେ କପି ନିମିଷକେ ଯିବ ଆଡଭୋକେଟ୍ ଜେନେରାଲ୍ଙ୍କ ଅଫିସକୁ । ସେହି ରସିଦ ଆସିଲା ପରେ ଯାଇ କେସ୍ଟି ତାଲିକାଭୁକ୍ତ ହେବ । ସୁତରାଂ ପପୁ ଆଗୁଆ ଜାମିନ୍ ଆବେଦନ କଲାବେଳେ ନିଜେ ହାଇକୋର୍ଟରେ ଉପସ୍ଥିତ ରହିଥିବେ । ନଚେତ୍ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ଧରାହେବ । ଯଦି ଜାଲିଆତି ନ କରି ପପୁ ସତରେ ହାଇକୋର୍ଟ ଯାଇଥିଲେ ତେବେ ପୁଲିସ ତାଙ୍କୁ ପୁରୀରୁ ଗିରଫ କଲା କେମିତି ? ପୁଲିସର ଏହା ନାଟକବାଜି ନୁହେଁ କି ବୋଲି ଏବେ ପ୍ରଶ୍ନ ଉଠିଲାଣି ।
ସୂଚନାଯୋଗ୍ୟ, ପପୁଙ୍କ ବିରୋଧରେ ନାବାଳିକା ଯୌନ ନିର୍ଯ୍ୟାତନା ମାମଲା ମହିଳା ଥାନାରେ ଜୁନ୍ ୨୭ ତାରିଖରେ ରୁଜୁ ହୋଇଥିଲା । ମାମଲା ରୁଜୁ ହେଲା କ୍ଷଣି ପପୁ ଅନ୍ତର୍ଦ୍ଧାନ ହୋଇଗଲେ । ଏହା ପରେ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଗଣମାଧ୍ୟମ ସାମନାରେ ବହୁ କସରତ୍ କଲା । ଖଣ୍ଡଗିରିରେ ତାଙ୍କ ବନ୍ଦ ଘରେ ନୋଟିସ୍ ଝୁଲାଇ ଫେରିଲା । ସେପଟେ ଜୁନ୍ ୨୯ ତାରିଖରେ ପପୁଙ୍କୁ ଦଳରୁ ବହିଷ୍କୃତ କଲା ବିଜେଡ଼ି । ଆଉ ପରଦିନ ଗିରଫ କଲା ପୁରୀରୁ । ମଜ୍ଜାର କଥା ୨୮ ତାରିଖରେ ପପୁ ଗିରଫ ହୋଇଥିବା ପ୍ରଚାର ହୋଇଥିଲା । ଏବେ ପପୁଙ୍କ ଗିରଫ ଏପିସୋଡ୍ ସରିଥିଲେ ମଧ୍ୟ ତାଙ୍କର ଆଗୁଆ ଜାମିନ୍ ଆବେଦନ ଅଧ୍ୟାୟଟି ମାମଲାକୁ ଗଡ଼ବଡ଼ କରିଛି ।