ଭୁୁବନେଶ୍ୱର: ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କରି ରାଜ୍ୟକୁ କରେନା ସଂକ୍ରମଣରୁ ରକ୍ଷା କରିବା ସରକାରଙ୍କ ପାଇଁ ଏବେ ବଡ଼ ଚାଲେଞ୍ଜ୍ ହୋଇଛି । ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭାବପୂର୍ଣ୍ଣ ସାଙ୍ଗକୁ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଖୋଜି ବାହାର କରିବାକୁ ଜୋରଦାର ଉଦ୍ୟମ ଲଗାଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ସମସ୍ତ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ପାଣ୍ଡିଆନ୍ ଲେଖିଛନ୍ତି, ନିଜାମୁଦ୍ଦିନ୍ ମାର୍କଜ୍ ରୁ ଫେରିଥିବା ବ୍ୟକ୍ତିମାନଙ୍କ ଟ୍ରେସିଂ ରାଜ୍ୟ ଓ ଦେଶ ପାଇଁ ଚାଲେଂଜ ହୋଇଛି । ସମସ୍ତ ନିଜାମୁଦ୍ଦିନ୍ ଫେରନ୍ତା ୧୦୪ କୁ କଲ୍ କରି ଡାକ୍ତରଙ୍କ ପରାମର୍ଶରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିନମ୍ର ନିବେଦନ କରିଛନ୍ତି । ଟେଷ୍ଟିଂ ପାଇଁ ଆଗେଇ ଆସୁଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବେ ।
ସିଭିଲ୍, ପୁଲିସ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଚିହ୍ନଟ କରି ଡାକ୍ତରୀ ସହାୟତା ଦେବା ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାପାଳ ଏବଂ ଏସପି ମାନେ ସେମାନଙ୍କ ଅଞ୍ଚଳରେ ଥିବା ଧାର୍ମିକ ନେତାଙ୍କୁ ଅନୁରୋଧ କରି ସେମାନଙ୍କ ସହଯୋଗ ନେଇପାରିବେ । ପ୍ରଶାସନ ଏବଂ ପୁଲିସ ନିଜ ଚାନେଲ୍ ଜରିଆରେ ସେମାନଙ୍କୁ ଚିହ୍ନଟ କରି ସହଯୋଗ ପାଇଁ ବିଶ୍ୱାସ ଦିଅନ୍ତୁ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ୧୦୪ ସଦାବେଳେ ପ୍ରସ୍ତୁତ ରହିଛି । ଏଥିରେ ସାମାନ୍ୟ ବିଳମ୍ବ ସଂପୃକ୍ତ ବ୍ୟକ୍ତି, ତାଙ୍କ ପରିବାର ଏବଂ ରାଜ୍ୟର ଅଶେଷ କ୍ଷତି ପରିବ । ଆସନ୍ତା ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ୍ ଲେଖିଛନ୍ତି ।
ସୂଚନାଯୋଗ୍ୟ, ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ସମସ୍ତେ ସରକାରଙ୍କୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବପୂର୍ଣ୍ଣ ନିବେଦନ କରିଛନ୍ତି । ଡରନ୍ତୁ ନାହିଁ କି ବିଳମ୍ବ କରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥୀରେ ଅଛି । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।