– ଦଳବେହେରା ପରିବାରର ଜଣେ ସଦସ୍ୟ କୋଲକତା ଯାଇଥିଲେ
– ବମିଖାଲ ତିନି ଆକ୍ରାନ୍ତଙ୍କ ବାପା ଭୋପାଳରେ ଆକ୍ରାନ୍ତ
– ପୁରୀ ଜିଲ୍ଲାର ଆକ୍ରାନ୍ତ ବ୍ୟକ୍ତି ଗୌତମନଗର ଅଞ୍ଚଳର ପୋଷ୍ଟମ୍ୟାନ୍
ଭୁବନେଶ୍ୱର: ପଞ୍ଚମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ବାହାର ରାଜ୍ୟ ଲିଙ୍କ୍ ର ଖୁଲାସା ହୋଇଛି । ନିକଟରେ ତାଙ୍କ ପରିବାରର ଜଣେ ସଦସ୍ୟ କୋଲକତା ଯାଇ ୪ ଦିନ ରହିଥିଲେ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ପ୍ରେସ୍ ମିଟ୍ କରି ଏହା ଜଣାଇଛନ୍ତି । ପ୍ରଦୀପ୍ତ ଦଳବେହେରା, ତାଙ୍କ ଝିଅ, ପତ୍ନୀ ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ୫ ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କର ବାହାର ଦେଶ କିମ୍ବା ରାଜ୍ୟର ଲିଙ୍କ୍ ନ ଥିବା ଜଣାଇଥିଲେ । ଯାହାକି ସରକାର ଓ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିଲା । ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦୃଢ଼ୀଭୂତ ହୋଇଥିଲା । ମାତ୍ର ଏବେ ତାଙ୍କର ବାହାର ରାଜ୍ୟ ଲିଙ୍କ୍ ଜଣାପଡ଼ିଛି ।
ସେହିଭଳି ବମିଖାଲ ୩ କରୋନା ଆକ୍ରାନ୍ତଙ୍କ ଅନ୍ୟ ରାଜ୍ୟ ଲିଙ୍କ୍ ମିଳିଛି । ବମିଖାଲର ଏହି ତିନି ଭାଇଙ୍କ ବାପା ଭୋପାଳରେ ରୁହନ୍ତି । ସେଠାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାପାଙ୍କ ସଂସ୍ପର୍ଶରେ ଏହି ତିନି ଭାଇ ଆସିଛନ୍ତି ।
ପୁରୀ ଜିଲ୍ଲାରୁ ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟ ନିକଟରେ ଦିଲ୍ଲୀ ଯାଇଥିଲେ । ସଂପୃକ୍ତ ବ୍ୟକ୍ତି ଭୁବନେଶ୍ୱର ବିଜେବି ନଗର ସବ୍ ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି । ପୋଷ୍ଟ ମ୍ୟାନ୍ ହୋଇଥିବାରୁ ଏହି ଲକ୍ ଡାଉନ୍ ସମୟରେ ମଧ୍ୟ କୋର୍ଟ ଏବଂ ଗୌତମନଗର ଅଞ୍ଚଳରେ ଚିଠି ବାଣ୍ଟିଛନ୍ତି ।
ତେଣୁ ସଂପୃକ୍ତ ବ୍ୟକ୍ତି(ପୋଷ୍ଟମ୍ୟାନ)ଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ବିଏମସି କମିଶନର ଅନୁରୋଧ କରିଛନ୍ତି । ୧୦୪ ନମ୍ବରରେ ଡାଏଲ୍ କରି ପଞ୍ଜିକରଣ କରନ୍ତୁ ଏବଂ ନିଜେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହନ୍ତୁ ବୋଲି କମିଶନର ପରାମର୍ଶ ଦେଇଛନ୍ତି ।