ପୁରୀ: ଗତକାଲି ପୁରୀ ଜିଲ୍ଲାରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ଗାଁ ପିପିଲି ବ୍ଲକ୍ ଦାନଗହିର ଗାଁ ଅଞ୍ଚଳକୁ ୧୧ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରି ଦିଆଯାଇଛି । ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହି ନିଷ୍ପତ୍ତି ନିଆଯାଇ ସକାଳ ୭ଟାରୁ ସଟ୍ ଡାଉନ୍ କଟକଣା କାର୍ଯ୍ୟକାରୀ କରାଯାଇଛି ।
ଦାନଗହିର ଗାଁ ଏବଂ ଏହାର ଚତୁଃପାଶ୍ୱର୍କୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଯେଉଁଥିରେ ରହୁଛି ଦାନଗହିର ଛକ, ଜୟପୁର ଛକ, ଜୟପୁର ଶାସନ ଛକ । ଏହି ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଅର୍ଥାତ ଅଞ୍ଚଳରୁ କେହି ବାହାରକୁ ଯାଇପାରିବେ ନାହିଁ କି ବାହାରୁ କେହି ଆସିପାରିବେ ନାହିଁ । ଘରୁ ମଧ୍ୟ ଲୋକ ବାହାରି ପାରିବେ ନାହିଁ । ଆବଦ୍ଧ ଅଞ୍ଚଳରେ ଥିବା ସବୁ ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନବଜାର ବନ୍ଦ ରହିବ ।
ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ଦାୟିତ୍ୱ ଉପଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ସ୍ୱାସ୍ଥ୍ୟ, ପରିମଳ ଓ ଅନ୍ୟାନ୍ୟ ଅତ୍ୟବଶ୍ୟକ ସେବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।