ଫୁଲବାଣୀ/ବଲାଙ୍ଗୀର: ଭୁବନେଶ୍ୱରର କିମସ୍ ପରେ ଏବେ କନ୍ଧମାଳ ଓ ବଲାଙ୍ଗୀରରେ ଦୁଇଟି କୋଭିଡ୍ ହସ୍ପିଟାଲ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି କିମସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏଥିପାଇଁ ରାଜ୍ୟ ସରକାର, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାପାଳ ଏବଂ କିମସ୍ ମଧ୍ୟରେ ଦୁଇଟି ପୃଥକ୍ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷରିତ ହୋଇ କାମ ତ୍ୱରାନ୍ୱିତ କରାଯାଇଛି ।
ଶୁକ୍ରବାର ଦିନ ପ୍ରଥମଟି ରାଜ୍ୟ ସରକାର, ଓଏମ୍ସି ଓ କିମ୍ସ ମଧ୍ୟରେ ସ୍ୱାକ୍ଷର ହୋଇଛି । କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଓ କିମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ ଏହି ଚୁ୍କ୍ତିରେ ସ୍ୱାକ୍ଷର କରିଛନ୍ତି । ଚୁକ୍ତି ଅନୁସାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରାଯିବ ଓ ୧୦ଟି ଆସିୟୁ ସହ ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କରାଯିବା ନେଇ ଯୋଜନା ରହିଛି । ଏହି ହସ୍ପିଟାଲ୍ ପରିଚାଳନାର ସମସ୍ତ ଖର୍ଚ୍ଚ ଓଏମ୍ସି ବହନ କରିବ ।
ସେହିପରି ଦ୍ୱିତୀୟ ଚୁକ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ୍ ଡାକୁଆଙ୍କ ସହ ସ୍ୱାକ୍ଷରିତ ହୋଇଛି । ୧୦ଟି କ୍ରିଟିକାଲ୍ କେୟାର ବେଡ୍ ସହ ଏଠାରେ ମୋଟ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଓଏମ୍ସି ସହଯୋଗରେ ଚାଲିବ ।
ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ଦୁଇ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି । ଏଥିପାଇଁ କିମ୍ସ ସମସ୍ତ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବ । ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଜିଲ୍ଲାରେ କୋଭିଡ୍ ୧୯ ହସ୍ପିଟାଲ୍ ଆରମ୍ଭ କରାଯାଉଥିବା ବେଳେ ଭୁବନେଶ୍ୱର ପରେ କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ କୋଭିଡ୍ ହସ୍ପିଟାଲ୍ ଆରମ୍ଭ ହେଉଥିବା ଅତି ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।