ଭୁୁବନେଶ୍ୱର: ଆମ ଓଡ଼ିଆରେ ଗୋଟେ କଥନ ଅଛି ଯେ ଗାଲୁଆ କ’ଣ ଗଛରୁ ଫଳନ୍ତି! ଆଜି ଭୁବନେଶ୍ୱରରେ ସଟ୍ ଡାଉନ୍ ବେଳେ ଏମିତିକା ଗାଲୁଆ ନୁହେଁ ତ ଡିହ ଗାଲୁଆଙ୍କୁ ଦେଖିବାକୁ ମିଳିଛି । ଶେଷରେ ସଟ୍ ଡାଉନ୍ ବା କର୍ଫ୍ୟୁ ଭଳି କଟକଣାକୁ ମଧ୍ୟ ସେମାନେ ଭ୍ରୃକ୍ଷେପ କରିନାହାନ୍ତି । ରାସ୍ତାକୁ ଆସିବାର ବିଭିନ୍ନ ଆଳ ଦେଖାଇଥିଲେ ମଧ୍ୟ ପୁଲିସକୁ ତାହା ସନ୍ତୁଷ୍ଟ କରିନାହିଁ ।

ମୋଟାମୋଟି କହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ, ପୁଲିସ କାହାରି ଅନୁରୋଧ କିମ୍ବା ତାଗିଦ୍ ସେମାନଙ୍କୁ କାଟୁ କରିନି । କରୋନା ଭୟବହତା ବଢ଼ୁଥିବା ବେଳେ ନିଜର, ପରିବାରର ଓ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କର ଜୀବନକୁ ବାଜି ଲଗାଇବାକୁ ଦୁଃସାହସ କରିଛନ୍ତି ।
କାଲି ମୁଖ୍ୟ ଶାସନ ସଚିବ ଓ ଡିଜି ଘୋଷଣା କରିଥିଲେ ଯେ ସଟ୍ ଡାଉନ୍ ବେଳେ ଯେଉଁମାନେ ରାସ୍ତାକୁ ଆସିବେ ସେମାନଙ୍କଠାରୁ ଫାଇନ୍ ଆଦାୟ ହୋଇ ମାମଲା ରୁଜୁ ହେବ, ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ରେ ରଖାଯିବ । ସେହି ଅନୁଯାୟୀ, ସଟ୍ ଡାଉନ୍ କଟକଣା ଭାଙ୍ଗିଥିବା ଡିହ ଗାଲୁଆ ଓ ଅମାନିଆଙ୍କୁ ଆଜି ରାସ୍ତାରୁ ଉଠାଇ ନେଇଛି ପୁଲିସ । ଏହି ରିପୋର୍ଟ ହେଲାବେଳକୁ, ରାଜଧାନୀର ବିଭିନ୍ନ ରାସ୍ତାରେ ବୁଲୁଥିବା ୪୫ ଜଣଙ୍କୁ ପୁଲିସ ଧରିନେଇ କ୍ୱାରେଣ୍ଟାଇନ୍ ରେ ଛାଡ଼ିଛି । ନିୟମ ଭାଙ୍ଗିଥିବା ଅନ୍ୟ ୬୪ ଜଣଙ୍କୁ ପୁଲିସ ଅଟକ ରଖିଛି । କଟକ, ଭଦ୍ରକ ଓ ଯାଜପୁରରୁ ମଧ୍ୟ ଏଭଳି ଡିହ ଗାଲୁଆଙ୍କ ଖବର ଆସୁଛି ।







