ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରେ ବଡ଼ ଧରଣର ହମଲା ହୋଇଛି । ମୁଖାପିନ୍ଧା ଗୁଣ୍ଡାମାନେ ସଂଘବଦ୍ଧ ହୋଇ ଅତର୍କିତ ଆକ୍ରମଣ କରିଛନ୍ତି । ଜେଏନୟୁ ଛାତ୍ରସଂଘ ସଭାପତି ଆଇଶି ଘୋଷଙ୍କୁ ସେମାନେ ସେମାନେ ଠେଙ୍ଗାରେ ପିଟି ରକ୍ତାକ୍ତ କରିଛନ୍ତି । ଶିକ୍ଷକମାନଙ୍କୁ ମଧ୍ୟ ସେମାନେ ଛାଡ଼ିନାହାନ୍ତି । ଦୁର୍ବୃତ୍ତଙ୍କ ଠେଙ୍ଗା ଓ ପଥର ମାଡ଼ରେ ଆଇଶିଙ୍କ ସମେତ ୩୦ ଛାତ୍ରଛାତ୍ରୀ ଏବଂ ୧୨ ଜଣ ପ୍ରଫେସର ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଏମସ୍ ରେ ଭର୍ତ୍ତି କରାଯାଇଛି ।
ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦରୁ ଏହି କାଣ୍ଡ ହୋଇଛି । ବିଜେପିର ଛାତ୍ର ସଂଗଠନ ଏଭିପିପି ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜେଏନୟୁରେ ଏହି ହମଲା ଦେଶବାସୀଙ୍କୁ ସ୍ତବଧ୍ କରିଛି । ପୁଲିସର ଆଢ଼ୁଆଳରେ ଏଭଳି ଆକ୍ରମଣ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ରବିବାର ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ୫୦ରୁ ଉଦ୍ଧ୍ୱର୍ ଯୁବକ ଜେଏନୟୁ କ୍ୟାମ୍ପସ୍ ରେ ପ୍ରବେଶ କରିଥିଲେ । ନିଜ ମୁହଁ ଲୁଚାଇବା ପାଇଁ ସମସ୍ତେ ମାସ୍କ ଭିଡ଼ିଥିଲେ । ସମସ୍ତଙ୍କ ହାତରେ ଥିଲା ଲାଠି ଏବଂ ବୋଲଡର୍ । କେହି କିଛି ବୁଝିବା ପୂର୍ବରୁ ସେମାନେ ବିଭିନ୍ନ ହଷ୍ଟେଲ୍ ରେ ପଶି ରବାବ୍ ଆରମ୍ଭ କରିଥିଲେ । ଅଶ୍ଲୀଳ ଭାଷାରେ ଗାଳି କରିବା ସହ ବୋଲଡର୍ ମାଡ କରିଥିଲେ । ଏଥିଯୋଗୁଁ ଅନେକ କାର୍ ଭାଙ୍ଗିରୁଜି ଯାଇଛି ।
ସୂଚନା ଅନୁଯାୟୀ, ଦୁବୃର୍ତ୍ତମାନେ ଜେଏନୟୁ ଛାତ୍ରସଂଘ ସଭାପତି ଆଇଶି ରହୁଥିବା ହଷ୍ଟେଲ୍ କୁ ପଶି ତାଙ୍କୁ ଘୋଷାରି ଆଣିଥିଲେ । ବିଧା,ଗୋଇଠା ମାରିବା ସହ ଲାଠିରେ ମୁଣ୍ଡକୁ ପ୍ରହାର କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଆକ୍ରମଣକାରୀମାନେ ଅନ୍ୟ ହଷ୍ଟେଲ୍ ମୁହାଁଇଥିଲେ । ବିପକ୍ଷ ଛାତ୍ରଗୋଷ୍ଠୀକୁ ଖୋଜି ଖୋଜି ଅନୁରୂପ ଢ଼ଙ୍ଗରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବାକୁ କିଛି ପ୍ରଫେସର ଉଦ୍ୟମ କରିବାରୁ ଆକ୍ରମଣକାରୀଙ୍କଠାରୁ ପ୍ରହାର ଖାଇଥିଲେ । ସେମାନଙ୍କ କାର୍ ଗୁଡ଼ିକୁ ପଥରମାଡ଼ କରି ଭାଙ୍ଗିଥିଲେ । କ୍ୟାମ୍ପସ୍ ରେ ଦୀର୍ଘ ସମୟ ଧରି ସେମାନଙ୍କ ଉତ୍ପାତ ଓ ଆତଙ୍କରାଜ ଚାଲିଥିଲା ।
ଖବର ପାଇ ପୁଲିସ କ୍ୟାମ୍ପସ୍ ରେ ପହଞ୍ଚି ଛଟପଟ ଅବସ୍ଥାରେ ଥିବା ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଗୁରୁତର ଆହତ ଛାତ୍ର ସଂସଦ ସଭାନେତ୍ରୀଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ନିଜକୁ ଅଜଣା ସଜାଇଥିବା ଆକ୍ରମଣକାରୀମାନେ ଏବିଭିପି ଗୁଣ୍ଡା ବୋଲି ଜେଏନୟୁରେ ହମଲା, ଛାତ୍ରସଂଘ ପକ୍ଷରୁ ଟୁଇଟ୍ କରାଯାଇଛି ।
ଅନ୍ୟପକ୍ଷରେ ଏହି କାଣ୍ଡ ବାମ ସମର୍ଥିତ ଏସଏଫଆଇ, ଏଆଇଏସଏ ଏବଂ ଡିଏସଏଫ ଛାତ୍ରଗୋଷ୍ଠୀ ଭିଆଇଥିବା ଏବିଭିପି ପାଲଟା ଅଭିଯୋଗ କରିଛି । ଆକ୍ରମଣରେ ୨୫ ଜଣ ଏବିଭିପି ସମର୍ଥକ ଛାତ୍ର ଆହତ ଏବଂ ୧୧ ଜଣ ନିଖୋଜ ହୋଇଥିବା ଦାବି କରାଯାଇଛି ।
ଗୃହମନ୍ତ୍ରୀ ଅମିତ୍ ଶାହା ଘଟଣା ଉପରେ ତୀକ୍ଷଣ ନଜର ରଖି ଦିଲ୍ଲୀ ପୁଲିସକୁ ସତର୍କ କରାଇଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଦିଲ୍ଲୀ ପୁଲିସକୁ ଘଟଣା ସମ୍ପର୍କରେ ଜେଏନୟୁ ଆଟାକ୍ ଖବର ପାଇବା କ୍ଷଣି ପ୍ରିୟଙ୍କା ଗାନ୍ଧୀ ଏମସରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
ଜେଏନୟୁର ସମସ୍ତ ଗେଟ୍ ଓ ସଂଲଗ୍ନ ରାସ୍ତାକୁ ବନ୍ଦ କରାଯାଇ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।