ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟ କଂଗ୍ରେସ ଅବସ୍ଥାଠୁଁ ବଳିପଡ଼ିଛି ବିଜେପିର ଅବସ୍ଥା । ବସନ୍ତ ପଣ୍ଡାଙ୍କୁ ରାଜ୍ୟ ସଭାପତି ଚୟନ ନେଇ ଗୋଷ୍ଠୀ ବିବାଦ ତୀବ୍ର ଆକାର ଧାରଣ କରିଛି । ଏହା ବିଜେପିକୁ ତିନିଗୋଷ୍ଠୀ କରିଦେଇଛି । ବସନ୍ତ ପଣ୍ଡାଙ୍କୁ ନେଇ ବିଦ୍ରୋହ ଦାନାବାନ୍ଧି ସାରିଲାଣି ଏବଂ ବିଧିବଦ୍ଧ ଭାବେ ଘୋଷଣା ହେଲା ପରେ ବିଦ୍ରୋହକୁ କେହି ଅଟକେଇପାରିବେନି ତେଣିକି ପାର୍ଟିର ଯାହା କ୍ଷତି ହେଉ ନା କାହିଁକି । ଏହି ଆଭାସ ବି ମିଳିସାରିଲାଣି ।
ରାଜ୍ୟ ସଂଗଠନକୁ ହାତମୁଠାରେ ରଖି ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ କେନ୍ଦ୍ରମନ୍ତ୍ରୀ ହେବା ଦିନଠୁଁ ସ୍ୱପ୍ନ ଦେଖିଲେଣି ଧର୍ମେନ୍ଦ୍ର ପ୍ରଧାନ ଓରଫ୍ ମୁକୁ । କେନ୍ଦ୍ରରେ ତାଙ୍କର ଦବଦବା ଥିବାରୁ ତାଙ୍କ ପାଇଁ ଏହା ଚାଲେଞ୍ଜକର ନ ଥିଲା । ସେବେଠାରୁ ସେ ବସନ୍ତ ପଣ୍ଡାଙ୍କୁ ପ୍ରୋଜେକ୍ଟ କରି ରଖିଥିଲେ । ଆଉ ଏବେ ସେ ତାହା କରିକି ଦେଖାଇବାକୁ ଯାଉଛନ୍ତି । ବସନ୍ତ ପଣ୍ଡାଙ୍କୁ ସଭାପତି ଆସନରେ ବସାଇ ସଖି କଣ୍ଢେଇ କରିବେ ଧର୍ମେନ୍ଦ୍ର। ଆଉ ଯେମିତି ନଚାଇବେ ବସନ୍ତ ସେମିତି ନାଚିବେ । ନିଜେ ସଂଗଠନକୁ ସଜାଇ ମୁକୁମୟ କରିବେ ରାଜ୍ୟ ବିଜେପିକୁ । ୨୦୧୯ ନିର୍ବାଚନରେ ଦଳକୁ ବିଜୟୀ କରାଇ ମୁଖ୍ୟମନ୍ତ୍ରୀ ଚଉକି ଚଢ଼ିବେ ଧର୍ମେନ୍ଦ୍ର । ଏହି ସ୍ୱପ୍ନରେ ବିଭୋର ଧର୍ମେନ୍ଦ୍ର ତେଣୁ ବସନ୍ତଙ୍କ ହାତରେ ଦଳର ନେତୃତ୍ୱ ରଖିବା ପାଇଁ ଯୋଜନା କରି ସଫଳ ହେବାକୁ ଯାଉଛନ୍ତି ।
ସେପଟେ ଧର୍ମେନ୍ଦ୍ରଙ୍କ ବିରୋଧୀ ଭାବେ ଜଣାଶୁଣା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ କେନ୍ଦ୍ରୀୟ ନେତୃତ୍ୱର ଧର୍ମେନ୍ଦ୍ର ହାବଭାବ ଜାଣି ନୀରବ ରହିଯାଇଛନ୍ତି । ଧର୍ମେନ୍ଦ୍ର ପ୍ରଭାବିତ ହାଇକମାଣ୍ଡ ବି ତାଙ୍କୁ ଗୁରୁତ୍ୱ ଦେଉନାହିଁ କି ପଦୁଟିଏ ପଚାରୁନି । ଅପମାନିତ ଜୁଏଲ୍ ମାନଭଞ୍ଜନ ପାଇଁ ଅଷ୍ଟ୍ରେଲିଆ ପଳାଇଥିବା ଖବର ମିଳିଛି ।
ତେବେ ବସନ୍ତ ପଣ୍ଡାଙ୍କୁ ସଭାପତି କରାଇ ନ ଦେବା ପାଇଁ ବିଜେପିର ପ୍ରମୁଖ ଶକ୍ତିଶାଳୀ ଗୋଷ୍ଠୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏହି ଗୋଷ୍ଠୀରେ ଅଛନ୍ତି କେ.ଭି.ସିଂହଦେଓ, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ଜୟନାରାୟଣ ମିଶ୍ର ଓ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନେତା । ଏହି ଗୋଷ୍ଠୀ କସ୍ମିନ୍ କାଳେ ବସନ୍ତଙ୍କୁ ସଭାପତି ଆସନରେ ବସାଇବାକୁ ଚାହୁଁନାହାନ୍ତି । ବସନ୍ତଙ୍କୁ ବ୍ୟକ୍ତିଗତ ଭାବେ ସେମାନଙ୍କ ବିରୋଧ ନାହିଁ ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦଳର ଚାବିକାଠି ଦେବାକୁ ସେମାନେ ଚାହୁଁନାହାନ୍ତି । ଉଚ୍ଚଆକାଂକ୍ଷୀ ଧର୍ମେନ୍ଦ୍ରଙ୍କ ହାତରେ ଡୋରି ରହିଲେ ଦଳ ବରବାଦ ହେବା ଥୟ । ଏହି ବାର୍ତ୍ତା ସେମାନେ ହାଇକମାଣ୍ଡଙ୍କୁ ଦେଇସାରିଛନ୍ତି ।
ସେମାନଙ୍କର ଯୁକ୍ତି ବିଜୟ ମହାପାତ୍ର ହିଁ ଏକମାତ୍ର ବ୍ୟକ୍ତି ଯିଏ ଦଳକୁ ସଠିକ୍ ମାର୍ଗରେ ପରିଚାଳିତ କରି ଶକ୍ତିଶାଳୀ କରିପାରିବେ । ତେଣୁ ତାଙ୍କୁ ସଭାପତି କରାଯାଉ । ଯଦି ସଭାପତି ହେବାକୁ ବିଜୟଙ୍କ ପାଖରେ କିଛି ଦଳୀୟ ମାନଦଣ୍ଡର ଅଭାବ ରହୁଛି ତେବେ ବରଂ କନକ ବର୍ଦ୍ଧନ ସିଂହଦେଓଙ୍କୁ ଆଉ ଥରେ ଚାନସ୍ ଦିଆଯାଉ । ଆଉ ଯଦି ସେୟା ସମ୍ଭବ ନ ହେଉଛି ତେବେ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରାଯାଉ । ତାଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବେ ଏବଂ ମିଳିମିଶି ଦଳକୁ ଶକ୍ତିଶାଳୀ କରିପାରିବେ । କିନ୍ତୁ ଧର୍ମେନ୍ଦ୍ରଙ୍କ ହାତରେ ଦେଇ ଦଳକୁ ବରବାଦ୍ କର ନାହିଁ ବୋଲି ହାଇକମାଣ୍ଡଙ୍କୁ ବୁଝାଇବାକୁ ଚେଷ୍ଟା ଚଲାଇଛନ୍ତି ।
ଏହି ଶକ୍ତିଶାଳୀ ଗୋଷ୍ଠୀର ଉଦ୍ୟମକୁ ଧର୍ମେନ୍ଦ୍ର ବାଏଁ ବାଏଁ ପଣ୍ଡ କରିବାର ସାମର୍ଥ ଯୋଗାଡ଼ କରିସାରିଛନ୍ତି । ଏମିତି ଦେଖିଲେ ଧର୍ମେନ୍ଦ୍ର ବାହିନୀରେ ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ଭଳି ହାତଗଣତି ପ୍ରଭାବଶାଳୀ ନେତା ଅଛନ୍ତି । କେନ୍ଦ୍ରୀୟ ନେତୃତ୍ୱର ଆର୍ଶିବାଦ ଧରିଥିବା ଧର୍ମେନ୍ଦ୍ରଙ୍କର ବଳ ହେଉଛନ୍ତି ଏହି ହାତଗଣତି ନେତା । ବସନ୍ତଙ୍କୁ ସଭାପତି କରିବା ପଛରେ କେନ୍ଦ୍ରୀୟ ନେତୃତ୍ୱର ମୋହର ସାଙ୍ଗକୁ ଧର୍ମେନ୍ଦ୍ର ସଂଘ ପରିବାର ସମର୍ଥନ ଚାଲ୍ ବି ଖେଳିଛନ୍ତି । ତେଣୁ ମୈଦାନରେ ଧର୍ମେନ୍ଦ୍ରଙ୍କ ଜିତାପଟ ସୁନିଶ୍ଚିତ ସତ ହେଲେ ଦଳ ପାଇଁ ଆଗକୁ ଘୋର ବିପଦ ଆଣିଦେବା ଜଳ ଜଳ ଦିଶିଲାଣି ।
ଇତିମଧ୍ୟରେ ନିର୍ବାଚିତ ହୋଇଥିବା ଅଧିକାଂଶ ଜିଲ୍ଲା ସଭାପତିମାନେ ବସନ୍ତ ପଣ୍ଡାଙ୍କୁ ସଭାପତି କରାଇ ନ ଦେବାକୁ ଅଡି ବସିଛନ୍ତି । ମାତ୍ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ ସମସ୍ତଙ୍କୁ ବୁଝାସୁଝା କରି ବସନ୍ତଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇ ଯିବାକୁ ଦିଲ୍ଲୀରୁ ନିର୍ଦେଶ ଧରି ଆସିଛନ୍ତି । ଯଦି ଶେଷ ମୁହୁର୍ତ୍ତରେ କିଛି ନ ଘଟେ ତେବେ ଆଉ ମାତ୍ର କେଇ ଘଣ୍ଟା ପରେ ବସନ୍ତ ପିନ୍ଧିବେ ସଭାପତି ମୁକୁଟ ଓ ଧର୍ମେନ୍ଦ୍ର ଧରିବେ ବିଜେପି ସଂଗଠନ ଡୋରି ।