ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦୀର୍ଘ ୪୦ ବର୍ଷ ଉପରେ ରାଜନୀତି କଲେଣି ଡାକ୍ତର ଦାମୋଦର ରାଉତ । ଦକ୍ଷତା ଓ ବିଚକ୍ଷଣତା ତାଙ୍କୁ ରାଜନୀତିରେ ସଫଳତା ଆଣିଦେଇଛି । ପଶୁ ଡାକ୍ତର ଚାକିରି କରୁଥିଲେ । ବିଜୁ ବାବୁ ତାଙ୍କୁ ରାଜନୀତିକୁ ଆଣି ପ୍ରତିଷ୍ଠିତ କରାଇଲେ । ପରିଣତ ବୟସରେ ବି ରାଜନୀତି ସଫଳତାର ସ୍ୱାଦ ଚାଖୁଥିବା ଦାମ ଏବେ ନବୀନ ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ । ଅର୍ଥ, ଯଶ, ଖ୍ୟାତିରେ ଭଗବାନ ତାଙ୍କୁ ଊଣା କରିନାହାନ୍ତି । ହେଲେ ଭଗବାନ ତାଙ୍କୁ ଶୃଙ୍ଖଳା ଜ୍ଞାନ ଦେଇନାହାନ୍ତି । ଦେଇଥିଲେ ହୁଏତ ସରକାର କି ପାର୍ଟି ନିଷ୍ପତ୍ତିକୁ ସର୍ବସାଧାରଣରେ ସବୁବେଳେ ସମାଲୋଚନା କରନ୍ତେ ନାହିଁ କି ଦେବାଶିଷ ସାମନ୍ତରାୟଙ୍କ ଭଳି ଜୁନିୟରଙ୍କ ସଙ୍ଗେ କଳି କରନ୍ତେନି । ଆଉ ବିଷ୍ଣୁ ଦାସଙ୍କୁ ଛିଛକାର କରି ମନ୍ତବ୍ୟ ଦିଅନ୍ତେନି ।
ବିଜେଡ଼ିର ଭିତିରି ଖବର କହୁଛି, ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ବାଲା ଯେତେ ଟେନସନ୍ ଦେଉନାହାନ୍ତି ତାଠାରୁ ଅଧିକ ଟେନସନ୍ ଦେଉଛନ୍ତି ଦାମବାବୁ । ତାଙ୍କର ତୁଣ୍ଡଦୋଷରେ ସଂକ୍ରମିତ ହୋଇଛି ଦଳ । ଚିଟ୍ଫଣ୍ଡ ହେଉ କି ବ୍ରହ୍ମବିଭ୍ରାଟ ହେଉ ଦାମଙ୍କ ତୁଣ୍ଡ ସରକାର ଓ ଦଳକୁ ଅଡୁଆରେ ପକାଇଛି । ଯେଉଁ ନବୀନଙ୍କ ଭାବମୂର୍ତ୍ତି ପାଇଁ ବିଜେଡ଼ି ଆଜି ଲୋକଙ୍କ ହୃଦୟ ଜିତିଛି ଓ ଦାମ ନାଲିବତୀ ଚଢ଼ୁଛନ୍ତି ସେହି ନବୀନଙ୍କ ଭାବମୂର୍ତ୍ତିକୁ ସଙ୍କଟକୁ ଟାଣି ଆଣୁଛନ୍ତି ଦାମ ।
କଟକ ମେୟର ଅନୀତା ବେହେରାଙ୍କ ଇସ୍ତଫା ପ୍ରସଙ୍ଗର ଟିକନିକ୍ ଖବର ଦାମ ଜାଣିଛନ୍ତି । କେଉଁ ପରିସ୍ଥିତିରେ କାହା ନିଦେ୍ର୍ଧଶରେ ଅନୀତାଙ୍କୁ ଇସ୍ତଫା ଦେବାକୁ କୁହାଗଲା ତାହା ଦାମଙ୍କୁ ବେଶ୍ ମାଲୁମ୍ । ତେବେ ସୁପ୍ରିମୋଙ୍କର ଏହି ନିଷ୍ପତ୍ତି ଠିକ୍ ହେଉ କି ଭୁଲ୍ ହେଉ, ଦାମ ସବୁ ଜାଣି ବି ସର୍ବସାଧାରଣରେ ତାହାକୁ ସମାଲୋଚନା କରିବା ଜଣେ ଦାୟିତ୍ୱବାନ ନେତା ଓ ବରିଷ୍ଠ ମନ୍ତ୍ରୀଙ୍କ ପକ୍ଷେ ଠିକ୍ ନୁହେଁ । ସେଥିସହ ଦେବାଶିଷଙ୍କ ଭଳି ବୟସ, ଅଭିଜ୍ଞତା ଓ ରାଜନୀତିରେ ତାଙ୍କଠୁ ବହୁ ତଳେ ଥିବା ଜଣେ ଦଳୀୟ ବିଧାୟକଙ୍କ ସହ ବ୍ୟକ୍ତିଗତସ୍ତରକୁ ଯାଇ କଳି କରିବା ବି ଶୋଭନୀୟ ନୁହେଁ । ଦାମ-ଦେବାଶିଷ ସମ୍ପର୍କ ବିଜେଡ଼ିରେ କାହାକୁ ଅଜଣା ନୁହେଁ । ଅତୀତରେ ଦେବାଶିଷ ଟୋକା ଲଗାଇ ଦାମଙ୍କ କଛା ଖସାଇ ଦେଇଥିଲେ ସମସ୍ତେ ଜାଣନ୍ତି । ମାତ୍ର ସେଇ ଆଳରେ ବିଜେଡ଼ି ଭାବମୂର୍ତ୍ତିକୁ ସଙ୍କଟରେ ପକାଇବା ଅନ୍ତତଃ ଦାମଙ୍କ ପରି ଜଣେ ବରିଷ୍ଠ ନେତାଙ୍କଠାରୁ ଆଶା କରୁନାହାନ୍ତି ଦଳୀୟ ନେତା ଓ କର୍ମୀ ।
ସବୁଠାରୁ ବଡ଼କଥା ହେଲା, ନବୀନଙ୍କ ଧୈର୍ଯ୍ୟ । ଲଗାମହୀନ ତୁଣ୍ଡ ଯୋଗୁଁ ଅତୀତରେ ପ୍ୟାରୀମୋହନ ମହାପାତ୍ରଙ୍କ ଇସାରାରେ ଦାମଙ୍କ ମନ୍ତ୍ରୀ ପଦ ଯାଇଥିଲା । ମାତ୍ର ଏଥର ପୁଣି ମନ୍ତ୍ରୀ ହେଲା ପରେ ଦାମଙ୍କ ତୁଣ୍ଡଦୋଷ ବେଶୀ ବାହାରିଛି । ଦଳର ଶୃଙ୍ଖଳାଜ୍ଞାନ ଭୁଲିଯାଇଛନ୍ତି ସେ । ଦାମଙ୍କ ଏହି ଆଚରଣ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କେତେଥର ତାଗିଦ୍ ବି କରିଥିବା ଖୋଦ୍ ଦାମବାବୁ ଅନେକବାର କହିଛନ୍ତି । ମାତ୍ର ନିଜକୁ ସୁଧାରିପାରିନାହାନ୍ତି । ଦାମବାବୁ ଭଲରେ ଜାଣିଛନ୍ତି ସେ ଯେଉଁ ଦଳରେ ଅଛନ୍ତି ତାହାର ସ୍ଥିତି କେବଳ ନବୀନ ପଟ୍ଟନାୟକ ଯୋଗୁଁ ଅଛି । ଏଇ ମୁହୁର୍ତ୍ତରେ ନବୀନ ତାଙ୍କ ନାଲିବତୀ ଖସାଇଦେଲେ ଦାମ ଘରେ ବସି ଅତୀତକୁ ଭାବିବା ଛଡ଼ା ଆଉ କିଛି କରିପାରିବେନି । ନିଜକୁ ଯେତେ ଶକ୍ତିଶାଳୀ ଭାବିଲେ ବି ତାଙ୍କ ହାତରେ ଗଣ୍ଡେ ବିଧାୟକ ନାହାନ୍ତି । ତାଙ୍କଠାରୁ ପ୍ରବଳ ପ୍ରତାପୀ ପ୍ରଫୁଲ୍ଲ ଘଡ଼ାଇଙ୍କର ଅବସ୍ଥା ଦାମ ଦେଖୁଥିବେ । ଆଉ ସେଥିରୁ ଯଦି ବୁଝିପାରୁନାହାନ୍ତି ତାହାହେଲେ ତାଙ୍କ ପାଇଁ ଦୁର୍ଭାଗ୍ୟ । ନିଜ ତୁଣ୍ଡବଳରେ ଦଳର ସେ ଯେତିକି କ୍ଷତି କରୁନାହାନ୍ତି ତାହାଠାରୁ ଅଧିକ କ୍ଷତି କରୁଛନ୍ତି ନିଜର । ଧ୍ୟୈର୍ଯ୍ୟର ସହ ସମ୍ଭାଳି ଚାଲିଥିବା ନବୀନ ହିଁ ଦାମଙ୍କ ସାହା । ଦାମଙ୍କ ଉପରେ ଝୁଲୁଥିବା ଖଣ୍ଡା ଉପରେ ଏବେ ସମସ୍ତଙ୍କ ନଜର ।