ଭୁବନେଶ୍ୱର: ନିଜ ଦଳ ଓ ନେତାଙ୍କ କାର୍ଯ୍ୟକଳାପକୁ ପସନ୍ଦ କରୁ ନ ଥିବା ବୈଜୟନ୍ତ ଓରଫ୍ ଜୟ ପଣ୍ଡା ଏବେ ଦଳ ଛେଉଣ୍ଡ ହୋଇଯାଇଛନ୍ତି । ଅଜିତ ଯୋଗୀଙ୍କ ବାଣରେ ଘାଇଲା ଜୟଙ୍କ ଘାଆରେ ଚୂନ ମାରିଛି ତାଙ୍କ ନିଜ ନାପସନ୍ଦ ଦଳ । ‘ଅଜିତ୍ ଯୋଗୀ ଆଣିଥିବା ସାଂଘାତିକ ଅଭିଯୋଗର ଜବାବ ନିଜେ ବୈଜୟନ୍ତ ଦେବା ଉଚିତ୍’ । ବିଜେଡ଼ି ପକ୍ଷରୁ ମୁଖପାତ୍ର ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହା କହିଛନ୍ତି । ସେ କହିଛନ୍ତି, ଯାହା ନାଁରେ ଅଭିଯୋଗ ନିଜେ ସେ ତାହାର ପ୍ରତିକ୍ରିୟା ରଖନ୍ତୁ । ଅଭିଯୋଗ ଠିକ୍ କି ଭୁଲ୍ ସ୍ପଷ୍ଟ କରନ୍ତୁ । ୟା ତା ଦ୍ୱାରା ପ୍ରତିକ୍ରିୟା ରଖିବା ଠିକ୍ ନୁହେଁ । ଦଳର ଅନ୍ୟତମ ମୁଖପାତ୍ର ସମୀର ଦାଶ ବି ସମାନ କଥା କହିଛନ୍ତି । ନିଜେ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ନ ରଖି ଅନ୍ୟ ଆଡକୁ(ତୃତୀୟ ମହଲା) ଦୋଷ ଠେଲିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ବିଜେଡ଼ି ମୁଖପାତ୍ରଙ୍କ ବୟାନ ଜୟଙ୍କୁ ଅଧିକ ବିପଦ ଘେରକୁ ଖାଲି ଟାଣିନି ବରଂ ଦଳ ତାଙ୍କୁ ପର କରିଦେଇଛି ।
ସେପଟେ ଅଜିତ୍ ଯୋଗୀ ଆଜି ପୁଣି ଥରେ ଚାଲେଞ୍ଜ ଦୋହରାଇଛନ୍ତି । ସେ ଯେଉଁ ତଥ୍ୟ ଦେଇଛନ୍ତି ଠିକ୍ । ଜୟ ପଣ୍ଡାଙ୍କର ସାହସ ଥିଲେ ସାମନା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଚିଦାମ୍ବରମ୍ ଲିଙ୍କ୍ ନେଇ ଅଜିତ୍ ଯୋଗୀଙ୍କ ଅଭିଯୋଗକୁ ସିଧା ସାମନା କରି ନ ପାରି ନିଜର ରାଜନୈତିକ ସଚିବଙ୍କ ଦ୍ୱାରା ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କ ଷଡ଼ଯନ୍ତ୍ର ଆଳ ଦେଖାଇ ବାଏଁ ବାଏଁ ଉଡାଇ ଦେଇଥିଲେ ଜୟ । ମାତ୍ର ନିଜ ଦଳର ଆହ୍ୱାନ ତାଙ୍କୁ ଅଣନିଶ୍ୱାସୀ କରିଦେଇଛି । ତାଙ୍କର ନିରବତା ଧୀରେ ଧୀରେ ସ୍ୱୀକାରୋକ୍ତିର ରୂପ ନେଉଥିବା ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଗତକାଲି ଦିନ ତମାମ ଟୁଇଟ୍ ରେ ସକ୍ରିୟ ଥିଲେ ଜୟ । ଏଣୁତେଣୁ ଟୁଇଟ୍ କରୁଥିଲେ । ହେଲେ ଯୋଗୀଙ୍କ ଅଭିଯୋଗ ଉପରେ ଟୁଇଟ୍ ହାଣ୍ଡଲ ଅଚଳ ଥିଲା । ଆଜି ବି ସେୟା । ଟୁଇଟରେ ଅଛନ୍ତି ହେଲେ ନିଜ ସତୀତ୍ୱ(!)ର ଚେହେରାକୁ ଟୁଇଟ୍ କରୁନାହାନ୍ତି । କୁଆଡେ ନ ହେଲେ ନାହିଁ ନିଜ ଟିଭିରେ ବି ପ୍ରତିକ୍ରିୟା ରଖିବାର ସାହାସ କରିପାରୁନାହାନ୍ତି । ଯୋଗୀଙ୍କ ଅଭିଯୋଗ ଉପରେ ତାଙ୍କ ପାଟି, ଟୁଇଟ୍ ସଂଧ୍ୟା ସୁଦ୍ଧା ଅଚଳ ରହିଛି ।
ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ବିଜେଡ଼ି ସାଂସଦଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଉପରେ ମୁଖ୍ୟ ବିରୋଧୀ ଦଳର ପ୍ରତିକ୍ରିୟାଶୂନ୍ୟତା ବୈଜୟନ୍ତଙ୍କ ପାଇଁ ଆର୍ଶିବାଦ ନୁହେଁ ବରଂ ଅଭିଶାପ ସାବ୍ୟସ୍ତ ହୋଇଥିବା କୁହାଯାଉଛି । ବିଜେଡି ବିରୋଧରେ କଥାକଥାକେ ଗର୍ଜୁଥିବା ରାଜ୍ୟ ବିଜେପି ତୁଣ୍ଡ ବନ୍ଦ ହୋଇଯିବା ଘଟଣା ବୈଜୟନ୍ତଙ୍କ ଅସଲ ଚେହେରାକୁ ସର୍ବସାଧାରଣ କରାଇଛି । ବିଜେପି ସହ ତାଙ୍କର ସମ୍ପର୍କ ଆଉ ଗୋପନ ନୁହେଁ ବରଂ ମଧୁର ବୋଲି ପ୍ରମାଣିତ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହା ଜୟଙ୍କ ପାଇଁ କେତେ ଆର୍ଶିବାଦ ହେବ ତାହା ଜଣାପଡି ନ ଥିଲେ ମଧ୍ୟ ବିଜେଡ଼ିରୁ ଯେ ସେ ସଫା ତାହା ଅନ୍ତତଃ ପରିଷ୍କାର ହୋଇଯାଇଛି ।