ଭୁୁବନେଶ୍ୱର: ପି. ଚିଦାମ୍ବରମ୍ ଙ୍କ ପୁଅ କାର୍ତ୍ତିଙ୍କ ଦ୍ୱାରା ଅନୁଗୃହୀତ ଅଭିଯୋଗ ନେଇ ଚର୍ଚ୍ଚାରେ ଥିବା ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଓରଟେଲ୍ କମ୍ୟୁନିକେସନ୍ ସଂସ୍ଥାର ସାମ୍ରାଜ୍ୟ ଆଖି ଖୋସିଦେଲା ଭଳି । ରାଜନୈତିକ ପ୍ରଭାବ, ଅର୍ଥବଳ, ବାହୁବଳ ଖଟାଇ ସାରା ଓଡ଼ିଶାରେ କେବୁଲ୍ ସାମ୍ରାଜ୍ୟ ବିସ୍ତାର କରିଛି କମ୍ପାନୀ । ଛତିଶଗଡ଼ରେ ବି ଚେର ଲମ୍ବାଇଛି । ମାତ୍ର ଅପରେସନ୍ ସକ୍ସେସ୍ ପେସେଣ୍ଟ ଡେଡ୍ ଭଳି ଅବସ୍ଥା ହୋଇଛି ସଂସ୍ଥାର । ଦୁଇବର୍ଷ ଭିତରେ କମ୍ପାନୀର ସେୟାର ବଜାର ପ୍ରଚଣ୍ଡ ମାଡ଼ ଖାଇଛି । ସେୟାର ମୂଲ୍ୟ ପିଛା ଖସିଛି ୧୪୩ ଟଙ୍କା । ଯେଉଁ ନିବେଶକ କମ୍ପାନୀର ସେୟାରକୁ ଆରମ୍ଭ ବେଳେ(ଆଇପିଓ) ୧୮୧ ଟଙ୍କାରେ କିଣିଥିଲେ ଆଜିକା ଦିନରେ ସେୟାର ବଜାରରେ ତାହାର ମୂଲ୍ୟ ରହିଛି ମାତ୍ର ୩୭ ଟଙ୍କା ୯୦ ପଇସା । ଦେବାଳିଆ କମ୍ପାନୀର ସେୟାରକୁ ଧରି ନିବେଶକମାନେ ଏବେ ମୁଣ୍ଡ ପିଟୁଛନ୍ତି । ଏମିତିକି କମ୍ପାନୀର କର୍ମଚାରୀମାନେ ସେମାନଙ୍କ ଝାଳବୁହା ଟଙ୍କାରେ ସେୟାର କିଣି ଫସିଯାଇଛନ୍ତି । କମ୍ପାନୀ ବିପୁଳ କ୍ଷତିରେ ଚାଲୁଥିବାରୁ ଏହି କର୍ମଚାରୀଙ୍କ ସଙ୍କଟ ଦ୍ୱିଗୁଣିତ ହୋଇଛି ।
ଅନୁସନ୍ଧାନରୁ ଜଣାପଡ଼ିଛି, ୨୦୧୫ ମାର୍ଚ୍ଚ ୩ ତାରିଖରେ ଓରଟେଲ୍ କମ୍ପାନୀ ସେୟାର ବଜାରରେ ପ୍ରବେଶ କରିଥିଲା । କମ୍ପାନୀର ପ୍ରତି ସେୟାରକୁ ୧୮୧ ଟଙ୍କାରେ ବିକ୍ରୀ କରିଥିଲା । ସେତେବେଳେ କମ୍ପାନୀ ମୂଲ୍ୟ ଦର୍ଶାଯାଇଥିଲା ୬୦୦ କୋଟି । ଜୟ ପଣ୍ଡାଙ୍କ ଏହି ଲାଭଜନକ ସଂସ୍ଥାର ସେୟାର କିଣିବାକୁ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା । ଏହି ସୁଯୋଗରେ କମ୍ପାନୀ ଖୋଲା ବଜାରରେ ସେୟାର ବିକ୍ରୀରୁ ୧୭୦ କୋଟି ଟଙ୍କା ଉଠାଇଥିଲା । ୨୦୧୬ ଅଗଷ୍ଟ ୪ ତାରିଖ ଅର୍ଥାତ୍ ଆଜିକୁ ଠିକ୍ ବର୍ଷକ ତଳେ ସେହି ସେୟାର ମୂଲ୍ୟ ବଢ଼ିବା ପରିବର୍ତ୍ତେ ୧୭୧ ଟଙ୍କାକୁ ଖସି ଆସିଥିଲା । ଆଉ ଆଜିକା ଦିନ ଅର୍ଥାତ ୨୦୧୭ ଅଗଷ୍ଟ ୪ ତାରିଖରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଓରଟେଲ ସେୟାର ମୂଲ୍ୟ ରହିଛି ମାତ୍ର ୩୭ ଟଙ୍କା ୯୦ ପଇସା । ବର୍ଷକ ଭିତରେ ପ୍ରତି ସେୟାର ମୂଲ୍ୟ ୧୩୩ ଟଙ୍କା ୧୦ ପଇସା ହ୍ରାସ ପାଇଛି । କମ୍ପାନୀର ମୂଲ୍ୟ ୬୦୦ କୋଟିରୁ ଖସି ୧୧୫ କୋଟିରେ ପହଞ୍ଚିଛି । ଦୁଇବର୍ଷ ତଳେ କମ୍ପାନୀ ନିଜ ସେୟାର୍ ବିକି ବଜାରରୁ ଉଠାଇଥିବା ୧୭୦ କୋଟିର ମୂଲ୍ୟ ପହଞ୍ଚଛି ମାତ୍ର ୩୭ କୋଟି ୫୮ ଲକ୍ଷ ଟଙ୍କାରେ ।
ଉପରକୁ ଚହଟ ଚିକ୍କଣ ଦେଖାଯାଉଥିବା ଓରଟେଲ୍ କମ୍ପାନୀର ଏହି ଦହନୀୟ ଅବସ୍ଥା ନିବେଶକଙ୍କ ନିଦ ହଜାଇ ଦେଇଛି । କମ୍ପାନୀ ସେୟାର କିଣି ସେମାନେ ଠକାମୀରେ ପଡ଼ିଯାଇଛନ୍ତି । ଜୟଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ଆକର୍ଷଣରେ ସେମାନେ ଫସିଛନ୍ତି । କମ୍ପାନୀର ଲାଭ କ୍ଷତି ହିସାବରେ ବ୍ୟାପକ ହେରଫେର ହୋଇଥିବା ଅନେକ ଅଭିଯୋଗ ଉଠାଇଛନ୍ତି । ସେବି ଦ୍ୱାରା ଏହାର ତଦନ୍ତ କରିବାକୁ ଦାବି ଉଠିଲାଣି ।