ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ଆଜି ପୁଣି ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜୟପୁରଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଭାଷଣ ଦେଇ ରାହୁଲ ଆରମ୍ଭରୁ ରାଫେଲ୍ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । କହିଥିଲେ, ମୋଦି ଦେଶଭକ୍ତି କଥା କହୁଛନ୍ତି । ହେଲେ ବାୟୁସେନା ଟଙ୍କା ଅମ୍ବାନୀଙ୍କୁ ଦେଉଛନ୍ତି । ଫାଇଟର ପ୍ଲେନ୍ ତିଆରିରେ ଅମ୍ବାନୀଙ୍କ ଅଭିଜ୍ଞତା ନ ଥାଇ ମଧ୍ୟ ତାଙ୍କର ଫାଇଦା ପାଇଁ ମୋଦୀ ଫ୍ରାନ୍ସ କମ୍ପାନୀ ସହ ଡିଲ୍ କରିଥିଲେ । ଅନୀଲ ଅମ୍ବାନୀଙ୍କୁ ମୋଦି ନିଜେ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି ବୋଲି ରାହୁଲ କହିଥିଲେ ।
ସେହିଭଳି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନକୁ ସମାଲୋଚନା କରିଥିଲେ ରାହୁଲ । ଏଠି କେଇଜଣ ଅଫିସରଙ୍କୁ ଧରି ନବୀନ ଶାସନ କରୁଛନ୍ତି । ଶାସନର ପୂରା ଫାଇଦା ନବୀନଙ୍କ ବନ୍ଧୁମାନେ ପାଉଛନ୍ତି ବୋଲି ରାହୁଲ କହିଥିଲେ । ଆପଣମାନଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ସର୍ବଦା ଚେଷ୍ଟା କରିଛି ଏବଂ ଆଗକୁ କରିବୁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିଲେ । ରାହୁଲ ତାଙ୍କ ଭାଷଣରେ ଛତିଶଗଡ଼ର ଉଦାହରଣ ଦେଇ କହିଥିଲେ ଯେ ଶିଳ୍ପ ନକଲେ ଜମି ଫେରସ୍ତ ପାଇଁ ଆମେ ଛତିଶଗଡ଼ରେ ନିୟମ କରିଛୁ । ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ୍ ୨୫୦୦ ହୋଇଥିଲା ବେଳେ ଓଡ଼ିଶାରେ ତାହା ୧୬୦୦ ଟଙ୍କା ରହିଛି । ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ, ଧାନ କ୍ୱିଣ୍ଟାଲ୍ ୨୫୦୦ରୁ କମ ହେବନି । ୧୦ ଦିନ ମଧ୍ୟରେ ଚାଷୀ ଋଣ ଛାଡ଼ ହେବ ।
ଆଜି ଆର୍ନ୍ତଜାତୀୟ ମହିଳା ଦିବସରେ ମହିଳାଙ୍କ ପାଇଁ ବିଭିନ୍ନ ପ୍ରତିଶ୍ରୁତିର ସୁଯୋଗ ଛାଡ଼ି ନ ଥିଲେ ରାହୁଲ । ସେ ପ୍ରତିଶ୍ରୁତି ଦେଇଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ଝିଅଙ୍କୁ ବିବାହ କିଟ୍ ଦିଆଯିବ । ବିଧବାଙ୍କ ଭତ୍ତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ ଅଫିସର ନିଯୁକ୍ତ ହେବେ । ମହିଳାମାନଙ୍କ ପାଇଁ ଫାଇନାନ୍ସିଆଲ୍ କର୍ପୋରେସନ୍ ଗଠନ ହେବ । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ ବୋଲି ରାହୁଲ କହିଥିଲେ ।