ଭୁବନେଶ୍ୱର: ଚାରି ଦିନ ତଳେ ବିଜେପିରେ ଯୋଗଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ମୁଖପାତ୍ର ପଦରେ ନିଯୁକ୍ତି ଦେଇଛନ୍ତି ଅମିତ୍ ଶାହା । ବୈଜୟନ୍ତଙ୍କ ଏହି ନିଯୁକ୍ତି ତାଙ୍କୁ ବିଜେପିରେ କ୍ଷମତାଶାଳୀ କରିଦେଇଛି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଧର୍ମେନ୍ଦ୍ର ନୁହଁନ୍ତି, ବୈଜୟନ୍ତ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଜେଡ଼ିରୁ ବିତାଡ଼ିତ ବୈଜୟନ୍ତ ବର୍ଷେ କାଳ ନୂଆ ଦଳ ଅନ୍ୱେଷଣରେ ରହିଲା ପରେ ଗତ ୪ ତାରିଖରେ ବିଜେପିରେ ଯୋଗଦେଇଥିଲେ । ବିଜେପିରେ ମିଶିବା ପାଇଁ ସେ ସୁପର୍ ବାର୍ଗେନ୍ ରେ ଥିବା ଚର୍ଚ୍ଚା ହୋଇଥିଲା । ସେହି ଚର୍ଚ୍ଚା ସତ ବୋଲି ଆଜି ପ୍ରମାଣିତ ହୋଇଛି । ବୈଜୟନ୍ତ ଯାହା ଚାହୁଁଥିଲେ ତାଙ୍କୁ ମିଳିଯାଇଛି ।
କୌତୁହଳର କଥା, ବୈଜୟନ୍ତ ଦଳରେ ଯୋଗଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳର କିଛି ମହଲ ବିଚାର କରୁଥିଲେ । ସଂଯୋଗକୁ ମେଲ୍ ଟୁଡ଼େ ନାମକ ଇଂରାଜୀ ଟାବଲଏଡରେ ଏମ.ଆର. ପରାଜଂପେଙ୍କ ଏକ ରାଜନୈତିକ ସମୀକ୍ଷା ପ୍ରକାଶ ପାଇଛି । “ ‘ଜୟ ହୋ’ ଫର୍ ବିଜେପି ଇନ ଓଡ଼ିଶା” ଶୀର୍ଷକ ନିବନ୍ଧରେ ଓଡ଼ିଶାରେ ବୈଜୟନ୍ତ ହିଁ ବିଜେପିକୁ ସଫଳତାର ସିଢ଼ି ଚଢ଼ାଇ ପାରିବେ ବୋଲି କୁହାଯାଇଛି । ଓଡ଼ିଶାରେ ବିଜେପି ବହୁତ ବାଟ ଯିବାର ଅଛି । ନେତାମାନେ ଇର୍ଷା, କନ୍ଦଳ ନ କରି ବୈଜୟନ୍ତଙ୍କୁ ସମର୍ଥନ କଲେ ଯାଇ ଦଳକୁ ସଫଳତା ମିଳିବ ବୋଲି କୁହାଯାଇଛି । ବୈଜୟନ୍ତଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ଉପସ୍ଥାପିତ କରୁ ବୋଲି ଲେଖକଙ୍କ ମତ । ଏହି ଲେଖାଟିକୁ ବୈଜୟନ୍ତ ତାଙ୍କ ଟୁଇଟର ବକ୍ସରେ ସ୍ଥାନ ଦେଇ ରିଟୁଇଟ୍ କରିଛନ୍ତି । ଅର୍ଥାତ୍ ଲେଖକଙ୍କ ମତକୁ ବୈଜୟନ୍ତଙ୍କର ପସନ୍ଦ ହୋଇଛି ।
ବୈଜୟନ୍ତଙ୍କର ଅଭିଳାଷ ଯେ ସତ ହୋଇପାରେ ତାହା ତାଙ୍କର ନିଯୁକ୍ତିରୁ ବାରି ହେଉଛି । ଅନ୍ୟପକ୍ଷରେ ଦୀର୍ଘ ୪ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଚାର କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭୂମିକାକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ଆଣିଛି । ପୂର୍ବଭଳି ଦଳରେ ତାଙ୍କର ଶୀର୍ଷ ଭୂମିକା ରହିବ ନା ସେଇ ଜାଗା ବୈଜୟନ୍ତ ନେବେ ତାହା କର୍ମୀମହଲରେ ଆଲୋଚନାର ବିଷୟ ହୋଇଛି । କିଛି ଦିନ ତଳେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମ ତାଙ୍କୁ ଧର୍ମେନ୍ଦ୍ରଙ୍କ ବିକଳ୍ପ କହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କରିଥିଲା । ତେବେ ପରିବର୍ତ୍ତିତ ସ୍ଥିତିରେ କାହାର କେଉଁ ଭୂମିକା ରହିବ ତାହାକୁ ସମସ୍ତେ ନଜର ରଖିଛନ୍ତି ।