ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ପୂର୍ବରୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଥିଲେ । ଆଜି ବିଧିବଦ୍ଧ ଭାବରେ ତାଙ୍କୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଉପାଧି ମିଳିଛି । ତେଣୁ ଏଥିରେ ନୂଆ କଥା କିଛି ନାହିଁ । ବୈଜୟନ୍ତ ପଣ୍ଡା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ନିଯୁକ୍ତି ହେବା ପରେ ବିଜେଡ଼ି ଏହି ପ୍ରତିକ୍ରିୟା ଦେଇଛି ।
ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି, ବୈଜୟନ୍ତ ବିଜୁ ଜନତା ଦଳରେ ଥାଇ ୨୨ ବର୍ଷ ହେଲା ବିଜେପି ଉପରେ ଆଖି ରଖିଥିବା ନିଜେ ମାନିଛନ୍ତି । ତେଣୁ ଦିଲ୍ଲୀରେ ସେ ବିଜେପିର ମୁଖପାତ୍ର ଭାବେ ଆଗରୁ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇସାରିଛି । ବିଜେଡ଼ି ପୁଣିଥରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ବୈଜୟନ୍ତ ପଣ୍ଡା ବିଜେଡ଼ି ଛାଡ଼ି ନ ଥିଲେ । ବରଂ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ପରେ ଦଳର ପ୍ରାଥମିକ ସଦସ୍ୟତା କାଟି ଦିଆଯାଇଥିଲା । ଆହୁରି ସାଂଘାତିକ କଥାଟି ହେଲା ସେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଲୁଚାଇଥିବା ତଥ୍ୟ । ଏକ ମାଇନିଂ କମ୍ପାନୀରୁ ଦରମା ବାବଦ ୬ କୋଟି ଟଙ୍କା ଆୟ କରିଥିଳେ ମଧ୍ୟ ଓଡ଼ିଶା ଲୋକଙ୍କୁ ଲୁଚାଇ ରଖିଥିଲେ । ବୈଜୟନ୍ତଙ୍କର ଏହି ଦୋନମ୍ବରୀ କାର୍ଯ୍ୟର ଉଚିତ ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ବୋଲି ଡ. ପାତ୍ର କହିଛନ୍ତି ।