ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । ନବ ଦାସ, ଭୂପିନ୍ଦର ସିଂ, ପ୍ରଣବ ପ୍ରକାଶ ଦାସ ଓ କୁସୁମ ଟେଟୋ ସେଠାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ପ୍ରତି ଆକର୍ଷିତ ହୋଇ ବିଜେଡ଼ିରେ ଯୋଗଦେଇଥିବା କହିଛନ୍ତି ସୁନିତା ।
ବିଜେଡ଼ିରେ ସୁନିତାଙ୍କ ଯୋଗଦାନ ଝାରସୁଗୁଡ଼ାରେ ଜିଲ୍ଲାରେ କଂଗ୍ରେସ ପାଇଁ ଆଉ ଏକ ଆଘାତ ଆଣିଛି । ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ ସୁନିତା । କଂଗ୍ରେସ ଟିକେଟରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ିବାକୁ ଚାହୁଁଥିଲେ । ମାତ୍ର ଟିକେଟ ପାଉ ନ ଥିବା ଜାଣିବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ।
ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଥିବା ନବ ଦାସ କିଛିଦିନ ତଳେ ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ସେହିଭଳି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ଏବେ ସୁନିତା ସେମାନଙ୍କ ରାସ୍ତା ଧରିଲେ । ଝାରସୁଗୁଡ଼ାରୁ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ବେଳେ ଝିଅ ସୁନିତାଙ୍କ ପାଇଁ ସୁନ୍ଦରଗଡ଼ ଲୋକସଭା ଆସନ ଉପରେ ଆଖି ରଖିଥିଲେ । ମାତ୍ର କଂଗ୍ରେସରେ ଯୋଗଦେଇଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କିଙ୍କ ନାଁ ସୁନ୍ଦରଗଡ଼ ପାଇଁ ସୁପାରିଶ ହୋଇଥିବା ଜାଣିବା ପରେ ସେ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବିଜେଡ଼ି ତାଙ୍କୁ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି ।
ସୁନିତା ବିଜେଡ଼ିରେ ଯୋଗଦେବା ପରେ ହେମାନନ୍ଦ ତାଙ୍କ ପରିବାରେ ଏକଘରିକିଆ ହୋଇଯାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇଭାଇ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ତେବେ ସୁନିତାଙ୍କ ବିଜେଡ଼ି ଯୋଗଦାନ ଉପରେ ହେମାନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ଝିଅର ନିଜସ୍ୱ ନିଷ୍ପତ୍ତି । ସେଥିରେ ତାଙ୍କର କୌଣସି ଭୂମିକା ନାହିଁ । ଝିଅ ବିଜେଡ଼ି ପାଇଁ ପ୍ରଚାର କରିବ, ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି ବୋଲି ହେମାନନ୍ଦ କହିଛନ୍ତି ।
ତେବେ ବିଜେଡ଼ିରେ ସୁନିତାଙ୍କ ଯୋଗଦାନ ଦଳକୁ ଫାଇଦା ହେବା ନେଇ ଅନେକଙ୍କ ସନ୍ଦେହ ରହିଛି । ଝାରସୁଗୁଡ଼ାରେ ଅସଲ ବିଜେଡ଼ି କର୍ମୀଙ୍କୁ ଏହା ହଜମ ହେଉନାହିଁ । ଏକାସାଙ୍ଗରେ ନବ ଦାସଙ୍କୁ ବିଧାୟକ ଓ ସୁନିତା ବିଶ୍ୱାଳଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସେମାନେ ଗ୍ରହଣ କରିବେ ନା ନାହିଁ ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ଜଣାପଡ଼ିବ ।