ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ସହ ପପୁ ପମ୍ ପମ୍ ଆଜି ରାତିରେ ଝାରପଡ଼ା ଜେଲ୍ ଯାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ ଙ୍କ ଆବାସିକ କୋର୍ଟରେ ଦୁହିଁଙ୍କୁ କମିଶନରେଟ୍ ପୁଲିସ ହାଜର କରିଥିଲା । ଉଭୟଙ୍କ ଜାମିନ୍ ଆବେଦନ ବିଚାରକୁ ଆସନ୍ତା ଜୁଲାଇ ୪ ତାରିଖକୁ ରଖି ମାଜିଷ୍ଟ୍ରେଟ୍ ଦୁହିଁଙ୍କୁ ଜେଲ୍ ପଠାଇ ଦେଇଛନ୍ତି । ପୁଲିସ ସହ ଲୁଚକାଳି ଖେଳିଥିବା ପପୁଙ୍କୁ ଆଜି ସକାଳେ କମିଶନରେଟ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ପୁରୀ ନନ୍ଦିଘୋଷ ଆପାର୍ଟମେଣ୍ଟରୁ ଗିରଫ କରିଥିଲା । ପପୁଙ୍କୁ ଗିରଫ ପାଇଁ ସାରା ରାଜ୍ୟରେ ଆନେ୍ଦାଳନ ତୀବ୍ର ହେଉଥିବା ବେଳେ ୱାଇ.ବି.ଖୁରାନିଆଙ୍କ ଟିମ୍ ଗିରଫ କରିବାକୁ ସମର୍ଥ ହୋଇଛନ୍ତି ।
ଆଜି ସକାଳୁ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ପପୁ ଓ ପ୍ରଦୀପଙ୍କୁ ପୁରୀରୁ ଗିରଫ କରିଥିଲେ । ମାତ୍ର ଗିରଫ ଖବରକୁ ଅତ୍ୟନ୍ତ ଗୋପନ ରଖାଯାଇଥିଲା । ଏକ ଅଜଣା ଜାଗାରେ ଦୁହିଁଙ୍କୁ ଦୀର୍ଘ ସମୟ ଜେରା କଲା ପରେ ପୁଲିସ ଗିରଫ ଖବର ଘୋଷଣା କରିଥିଲା । ଗିରଫ ଖବଚୁ ଗଣମାଧ୍ୟମରୁ ଲୁଚାଇବା ପାଇଁ ପୁଲିସ ଦିନ ତମାମ କସରତ୍ କରିଥିଲା । ଅପରାହ୍ନ ୩ଟାରେ ସ୍ୱତନ୍ତ୍ର ସ୍କ୍ୱାଡ୍ର ନେତୃତ୍ୱ ନେଉଥିବା ଅତିରିକ୍ତ ଡିସିପି ପପୁଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ଘୋଷଣା କରି ଗଣମାଧ୍ୟମରୁ ସାମୟିକ ଦୃଷ୍ଟି ହଟାଇବାକୁ ଉଦ୍ୟମ କରିଥିଲେ । ମାତ୍ର ତାଙ୍କ ବକ୍ତବ୍ୟର ୨ ଘଣ୍ଟା ନ ପୂରୁଣୁ ପପୁ ଗିରଫ ହୋଇଥିବା ଘୋଷଣା କରିଥିଲେ କମିଶନରେଟ୍ ପୁଲିସ । ପପୁ ଗିରଫ ହୋଇଥିବାର ଖବର ଗତକାଲିଠାରୁ ପ୍ରଚାର ହୋଇଥିଲା । ବିଜେଡ଼ିର ଷ୍ଟାର୍ କ୍ୟାମ୍ପନର୍ ଥିବା ପପୁଙ୍କୁ ଦଳ ଗତକାଲି ବହିଷ୍କାର କରିବା ପରେ ଗିରଫ ନାଟକ ରୋଚକ ମୋଡ଼ ନେଇଥିଲା । ତେବେ ସେ ଯେମିତି ନାଟକ ହେଉ ନା କାହିଁକି ପପୁଙ୍କ ଗିରଫ ପୁଲିସକୁ ବିଳମ୍ବରେ ହେଉ ପଛେ ସଫଳତା ଆଣିଦେଇଛି ।