ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋ ହାତେଇଥିବା ପେଟ୍ରୋଲ୍ ପମ୍ପର ସିବିଆଇ ତଦନ୍ତ ହେବ । ବିଭାଗୀୟ ମନ୍ତ୍ରୀଙ୍କ ସୁପାରିଶରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଆଇଓସିଏଲ୍ କୁ ଏହି ମାମଲାଟି ସିବିଆଇକୁ ହସ୍ତାନ୍ତର ପାଇଁ ପରାମର୍ଶ ଦେଇଥିବା ଆଇଓସିଏଲ୍ ଏକ ପ୍ରେସ୍ ବିବୃତିରେ ଜଣାଇଛି । କେନ୍ଦ୍ରାପଡ଼ା ସହରରେ ଥିବା ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦ୍ୱୀପସ୍ଥିତ ଅସ୍ଥାୟୀ କୋକୋ ପେଟ୍ରୋଲ୍ ଟାଙ୍କି ଆବଣ୍ଟନର ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଥିବା କୁହାଯାଇଛି ।
ପ୍ରେସ୍ ରିଲିଜ୍ ରେ କୁହାଯାଇଛି.. ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ବା ଆଇଓସିଏଲ୍ ଦ୍ୱାରା ଜଣେ ଅପରାଧୀକୁ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରାଯାଇଥିବା ମାମଲା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଥିଲା । ଏହା ଉପରେ ଏକ ରିପୋର୍ଟ ପଠାଇବାକୁ ଆଇଓସିଏଲ୍ କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଇଓସିଏଲ୍ ଦେଖିଲା, କେନ୍ଦ୍ରାପଡ଼ା ସହରର ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦ୍ୱୀପର କୋକୋ ପେଟ୍ରୋଲ୍ ଟାଙ୍କି(ଆଡହକ୍ ଡିଲରସିପ୍) ଆବଣ୍ଟନରେ ଗାଇଡ଼ଲାଇନ୍ ର ଉଲ୍ଲଂଘନ ହୋଇଛି । ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସୁପାରିଶରେ ମାମଲା ସିବିଆଇକୁ ପଠାଗଲା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟିଟୋ ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ ସେହି ଆଇଓସିଏଲ୍ ହିଁ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରିଛି । ଗାଇଡ଼ଲାଇନ୍ ର ଉଲ୍ଲଂଘନ ସେହି ଆଇଓସିଏଲ୍ ହିଁ କରିଛି । ପ୍ରଚ୍ଛନ୍ନରେ ଆଇଓସିଏଲ୍ ଏହା ସ୍ୱୀକାର କରିଛି । ତେବେ ଏକଥା ଜଣାଶୁଣା ଯେ ପେଟ୍ରୋଲ୍ ପମ୍ପ ଆବଣ୍ଟନରେ ସବୁବେଳେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଆସୁଛି । ବିନା ସୁପାରିଶରେ ଏହା ପାଇବା କଷ୍ଟକର ବ୍ୟାପାର । ଯିଏ ଉପରେ ଧରାଧରି କରିପାରିଲେ ସେ ଟାଙ୍କିଟିଏ ହାତେଇବାରେ ଅସୁବିଧା ନାହିଁ । ଟିଟୋ କ୍ଷେତ୍ରରେ କିଏ ସୁପାରିଶ କରିଥିଲା ତାହା ଏବେ ପ୍ରଶ୍ନବାଚୀ । ନିଶ୍ଚିତ ଭାବେ ବଡ଼ବଡ଼ିଆଙ୍କ ସୁପାରିଶ ଯୋଗୁଁ ନୀତି ନିୟମ ଦେଖାଯାଇନାହିଁ । ସିବିଆଇ ପାଇଁ ଏବେ ତାହାର ଉତ୍ତର ଖୋଜିବାର ବେଳ । ତେବେ ସିବିଆଇ ସେୟାଡ଼କୁ ଯିବ ନା ନାହିଁ ଏବେଠୁଁ କହିବା ମୁସ୍କିଲ୍ ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କାଳେ ନିଜ ଉପରକୁ ବିପଦ ଆସୁଥିବା ଜାଣି ଆଗତୁରା ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ସୁପାରିଶ କରିଛନ୍ତି । ଏହାଦ୍ୱାରା ତଦନ୍ତକୁ ବାଟବଣା କରିବାର ସୁବିଧା ମିଳିଯିବ । ଟିଟୋ ମାମଲା ସିବିଆଇକୁ ଯାଉଥିବା ଜାଣି କେହି କେହି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି । ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼େଇବା ଆମ ନେତାଙ୍କ ଅଭ୍ୟାସ ବୋଲି ବି କଟାକ୍ଷ ହେଉଛି ।
ତେବେ ସେ ଯାହା ହେଉ, ଟିଟୋର ଅପରାଧ କାର୍ଯ୍ୟକଳାପ ଓ ବିଶାଳ ବ୍ୟବସାୟ ସାମ୍ରାଜ୍ୟ ପଛରେ ରାଜନେତାଙ୍କର ଆର୍ଶିବାଦ ଥିବା କଥାକୁ ସମସ୍ତେ ବିଶ୍ୱାସ କରୁଛନ୍ତି । ବିଜେଡ଼ି, ବିଜେପି ଏବଂ କଂଗ୍ରେସ ସବୁ ଦଳର ନେତାଙ୍କ ଆର୍ଶିବାଦରେ ଟିଟୋ ଆଜି ବଳୀୟାନ୍ ବୋଲି ସବୁଆଡ଼େ ଚର୍ଚ୍ଚା ।