ଭୁବନେଶ୍ୱର: ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଆଜି ଗ୍ରହଣ ହୋଇଛି । ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଏଥିସହ ଦୀର୍ଘ ୧୮ ବର୍ଷର ସାଂସଦ ପଦକୁ ଆଜି ବାଏ ବାଏ କରିଛନ୍ତି ବୈଜୟନ୍ତ ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଦୁଇ ଥର ରାଜ୍ୟସଭା ଓ ଦୁଇଥର ଲୋକସଭାକୁ ଯାଇଥିଲେ ବୈଜୟନ୍ତ । ତେବେ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହେବା ପରେ ପରେ ବିଜେଡ଼ିଠାରୁ ମନ ଛଡ଼ାଇ ନେଇଥିଲେ । ଲୋକସଭାରେ ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନବୀନ ପଟ୍ଟନାୟକ ତାଙ୍କ ନାଁ ସୁପାରିଶ ନ କରିବାରୁ ସେ କୁଆଡ଼େ ରାଗିଗଲେ । ଖୋଦ୍ ବିଜେଡ଼ି ଏହି ଅଭିଯୋଗ ଆଣିଥିଲା । ଆଉ ସେବେଠାରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନରେ ବୈଜୟନ୍ତ ଲାଗିପଡ଼ିଥିବା କୁହାଗଲା । ଦଳୀୟ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତ ଜାନୁଆରୀ ୨୪ ତାରିଖରେ ବିଜେଡ଼ିରୁ ସେ ନିଲମ୍ବିତ ହୋଇଥିଲେ ।
ତାଙ୍କ ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ କି ବିଜେଡ଼ିର କୌଣସି ନେତା ଶେଷଦର୍ଶନ ପାଇଁ ନ ଯିବାର ଆଳ ଦେଖାଇ ଗତ ମେ ୨୮ ତାରିଖରେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଜୁନ୍ ୧୨ ତାରିଖରେ ସେ ସାଂସଦ ପଦରୁ ଇସ୍ତଫାପତ୍ର ପଠାଇଥିଲେ ବାଚସ୍ପତିଙ୍କ ପାଖକୁ । ମାତ୍ର ବାଚସ୍ପତି ଆଜି ପର୍ଯ୍ୟନ୍ତ ତାହା ଗ୍ରହଣ କରିନଥିଲେ ।
ଇତିମଧ୍ୟରେ ତାଙ୍କ ଇସ୍ତଫା ଗ୍ରହଣ କରିନେବାକୁ ବୈଜୟନ୍ତ ଆଜି ଦ୍ୱିତୀୟ ଥର ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଆଉ ପାର୍ଲିଆମେଣ୍ଟର ବର୍ଷା ଅଧିବେସନର ପ୍ରଥମ ଦିନରେ ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାପଡ଼ିଛି । ଆସନ୍ତାକାଲି ଏହା ବିଧିବଦ୍ଧ ଭାବେ ଘୋଷଣା ହେବ ।