ଭୁବନେଶ୍ୱର: ଟିଭି ଚାନେଲକୁ ହାରକିନ୍ ଦେଖାଇ ମହଙ୍ଗାରେ ପଡ଼ିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ଗତ ସପ୍ତାହରେ ଏକ ପ୍ରମୁଖ ଟିଭି ଚାନେଲର ଡିବେଟ୍ ପ୍ୟାନେଲରେ ତାଙ୍କୁ ପଚରା ନ ଯାଇ ଗେଷ୍ଟ ଠିକ୍ କରାଯାଇଥିବାରୁ ସଜ୍ଜନ ଉତକ୍ଷିପ୍ତ ହୋଇପଡ଼ିଥିଲେ । ତାଙ୍କ ବିନା ଅନୁମତିରେ ପ୍ୟାନେଲିଷ୍ଟଙ୍କୁ କେମିତି ଡକାଗଲା ବୋଲି ନିଉଜ୍ ଏଡିଟରଙ୍କୁ ଫୋନ୍ କରି କୈଫୟତ ମାଗିଥିଲେ । ତେବେ ନିଉଜ୍ ଏଡିଟର ସଜ୍ଜନଙ୍କ ନାଲିଆଖିକୁ ହଜମ କରିପାରି ନ ଥିଲେ । ଉପରକୁ ଜଣାଇଲେ । ସେଠୁଁ ନିଷ୍ପତ୍ତି ହେଲା ସଜ୍ଜନଙ୍କୁ ବୟକଟ୍ କରାଯିବ । ଟିଭିରେ ତାଙ୍କ ମୁହଁ ଦେଖାଇବା ଉପରେ ଅଙ୍କୁଶ ଲଗାଯିବ । ସେହି ନିଷ୍ପତ୍ତି ଅନୁଯାୟୀ ସଜ୍ଜନଙ୍କୁ ସଂପୃକ୍ତ ପ୍ରମୁଖ ଟିଭି ଚାନେଲ୍ ବୟକଟ୍ କରିଥିବା ଜଣାପଡ଼ିଛି ।
ତେବେ ସଂପୃକ୍ତ ଟିଭି ଚାନେଲକୁ ସଜ୍ଜନ ନୂଆ କରି ହାରକିନ୍ ଦେଖାଇନାହାନ୍ତି । ବିଜେପି ପକ୍ଷରୁ ମିଡ଼ିଆ ଉପରେ ତଥାକଥିତ ଅଘୋଷିତ ଏମର୍ଜ୍ଜେନ୍ସୀ ଜାରି ହୋଇ ସଜ୍ଜନଙ୍କ ଉପରେ ଦାୟିତ୍ୱ ଛଡ଼ାଯାଇଥିବାରୁ ସେ ହୋଇଛନ୍ତି ଟିଭି ଚାନେଲଗୁଡ଼ିକର ନିୟନ୍ତ୍ରକ । ତିନି ନମ୍ବର ୱାର୍ ରୁମ୍ ସହ ଯୋଗସୂତ୍ର ରଖି ସେ ଆଗକୁ ବଢ଼ୁଛନ୍ତି । ଅଧିକାଂଶ ଚାନେଲ ବି ସେମାନଙ୍କ ବୋଲକରା ହେବାକୁ ବାଧ୍ୟ ହୋଇଛନ୍ତି । ଯିଏ ବୋଲ ମାନୁନାହାନ୍ତି ଚାକିରିରୁ ବିଦା ହେଉଛନ୍ତି । ଏହାର ନଜିର ବି ସମସ୍ତେ ଦେଖିଛନ୍ତି । ଏହି ସୁଯୋଗରେ ସଜ୍ଜନ ଟିଭି ଚାନେଲଗୁଡ଼ିକୁ ନିଜ ଦଳର ଜାଗିରି ଭାବେ ଗ୍ରହଣ କରିନେଇଛନ୍ତି । ତାଙ୍କ ଦଳ ଉପରେ କୋଉ ଷ୍ଟୋରି ହେବ, ଡିବେଟ୍ କୁ କେଉଁ ଗେଷ୍ଟ ଯିବେ ତାଙ୍କ ଟିମ୍ ନିଷ୍ପତ୍ତି ନେଉଛନ୍ତି । ଏହା ପଛରେ କେଉଁ ଯାଦୁ ରହିଛି ତାହା ଆଲୋଚନା ନ କରିବା ଭଲ । ଯଦି ବା କୌଣସି ଚାନେଲ୍ ବାଇଚାନସ୍ ନିଜ ଇଚ୍ଛାରେ ବିଜେପି ବିରୋଧରେ ଷ୍ଟୋରି କରୁଛନ୍ତି କି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀରେ ନଥିବା ନେତାଙ୍କୁ ଗେଷ୍ଟ କରି ଡିବେଟ୍ କୁ ଡାକୁଛନ୍ତି ତାହାକୁ ଏହି ପରମଭକ୍ତମାନେ ଆଦୌ ସହିପାରୁନାହାନ୍ତି । ଚାନେଲର ତଳତଳିଆ ସାମ୍ବାଦିକଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରୁଥିବା ବେଳେ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଦେଉଛନ୍ତି ।
ଦୁଃଖ ଓ ଉଦବେଗର କଥା, କିଛି ଚାନେଲ୍ ମୁଣ୍ଡି ସଜ୍ଜନଙ୍କ ଭଳି ନେତାଙ୍କ ତାଗିଦ୍ ରେ ଛାନିଆଁ ହୋଇପଡୁଛନ୍ତି । ଯେଉଁଥିପାଇଁ ସଜ୍ଜନ ଓ ସହଚରଙ୍କ ମୁହଁ ବଢ଼ିଯାଇଛି । ଟିଭିରେ ତାଙ୍କ ଦଳର କେଉଁ ନିଉଜ୍ କିଭଳି ଯିବ, ନ ଯିବ, ଡିବେଟ୍ ରେ କ’ଣ ଆଲୋଚନା ହେବ, ଗେଷ୍ଟ କିଏ ରହିବେ ସେସବୁ ତାଙ୍କ ଟିମ୍ ହିଁ ନିଷ୍ପତ୍ତି ନେବେ ବୋଲି ଏକପ୍ରକାର ହୁକୁମ୍ ଜାରି କରିଛନ୍ତି । ଅନେକ କ୍ଷେତ୍ରରେ ସେୟା ହିଁ ଘଟୁଛି । ବେଳେ ବେଳେ ତାଗିଦ୍ ଓ ନାଲିଆଖି ଅତିଶୟ ହେବାରୁ କିଛି ଚାନେଲ୍ ବାଲାଙ୍କ ସ୍ୱାଭିମାନ ମନେପଡିଯାଉଛି । ବାଧ୍ୟବାଧକତାରୁ ସାମୟିକ ଭାବେ ବାହାରି ଆସିବାକୁ ବାଧ୍ୟ ହେଉଛନ୍ତି । ପ୍ରମୁଖ ଟିଭି ଚାନେଲ୍ କ୍ଷେତ୍ରରେ ସେୟା ହିଁ ଘଟିଛି । ସଜ୍ଜନ ଶର୍ମାଙ୍କ ନାଲିଆଖିକୁ ସମ୍ଭାଳି ପାରିନାହାନ୍ତି ।
ଖାଲି ଟିଭି ନୁହେଁ, ଖବରକାଗଜ ପାଇଁ ବିଜେପି ସମାନ ନୀତି କରିଛି । ତେବେ ମିଡ଼ିଆ ଉପରେ ନିୟନ୍ତ୍ରଣର ଚାବୁକ୍ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର ଉତ୍ପାତ ସୀମା ଟପିଥିବା ଦାଣ୍ଡରେ ପଡ଼ି ହାଟରେ ଚର୍ଚ୍ଚା ହେଲାଣି । ଗୁରୁତ୍ୱପୂର୍ଣ୍ଣ ଖବରକୁ କେମିତି ଚପାଇ ଦିଆଯାଏ ସେହି କଳାରେ ପାରଙ୍ଗମ ହୋଇସାରିଲେଣି । ନିଜ ଦଳର ମିଡ଼ିଆ ମ୍ୟାନେଜମେଣ୍ଟଦକ୍ଷତାକୁ ନେଇ ଏବେ ନେତାମାନେ ବେଶ୍ ଗର୍ବିତ । ମାଲିକ ଓ ସାମ୍ବାଦିକଙ୍କୁ ସନ୍ତୁଷ୍ଟ କରିବା କୌଶଳର ସଫଳତା ତାଙ୍କୁ ନିର୍ବାଚନ ବୈତରଣୀ ପାର୍ କରାଇବାର ସ୍ୱପ୍ନରେ ବୁଡ଼ାଇ ଦେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ନିକଟରେ ଏକ ପ୍ରମୁଖ ଖବରକାଗଜର ସର୍ବେସର୍ବାଙ୍କୁ ରାଜ୍ୟସଭା ଥୋପ ଦେଖାଇ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣିବାରେ ବିଜେପି ପାୱାରଫୁଲ୍ ଗୋଷ୍ଠୀ ସକ୍ଷମ ହୋଇଛନ୍ତି । ବିହାରରୁ ଧର୍ମେନ୍ଦ୍ରଙ୍କ ଜାଗାରେ ତାଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇଛି ।