ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୨% ଲୋକଙ୍କର କୌଣସି ଲକ୍ଷଣ ନାହିଁ । ଅର୍ଥାତ୍ କୋଭିଡ୍ ଲକ୍ଷଣ ନ ଥିବା ଏହି ଲୋକଙ୍କର ସାମ୍ପଲ୍ ଟେଷ୍ଟରୁ ପଜିଟିଭ୍ ବାହାରିଛି । ଲକ୍ଷଣ ନ ଥାଇ ବି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଥିବାରୁ ଆମକୁ ଅଧିକ ସତର୍କ ରହିବାର ଅଛି । ଲକ୍ ଡାଉନ୍ ଉଠୁ କି ନ ଉଠୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିଜେ ଯତ୍ନବାନ ହେବାର ଅଛି । କାମ ନ ଥିଲେ ଅଯଥା ବାହାରକୁ ଯିବାନାହିଁ, ସାମାଜିକ ଦୂରତ୍ୱ ବଜାୟ ରଖିବା, ୨୦ ସେକେଣ୍ଡ୍ ଲାଗି ହାତକୁ ଭଲ ଭାବେ ପରିଷ୍କାର ରଖିବା । ନଚେତ୍ ଆମର ଅସାବଧାନତା ଆମକୁ ଅଜାଣତରେ କୋଭିଡ୍ ସଂକ୍ରମିତ କରିପାରେ ।

ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାବାସୀଙ୍କୁ ଏହି ସତର୍କ କରାଇଛନ୍ତି । ସେ କହିଛନ୍ତି, ସଂକ୍ରମିତ ଲୋକଙ୍କର ଲକ୍ଷଣ ପ୍ରକାଶ ନ ପାଇବାର କାରଣ ହେଉଛି ଇମ୍ୟୁନିଟି ବା ପ୍ରତିରୋଧକ ଶକ୍ତି । ଓଡ଼ିଶା ଲୋକଙ୍କର ଏହି ପ୍ରତିରୋଧକ ଶକ୍ତି ଅଧିକା ଥିବାରୁ ସଂକ୍ରମିତ ହେଲେ ବି ଲକ୍ଷଣ ପ୍ରକାଶ ପାଉନାହିଁ । ବର୍ତ୍ତମାନ ଚିକିତ୍ସତ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କର ସାଧାରଣ କାଶର ଲକ୍ଷଣ ଅଛି । ସେମାନଙ୍କ ପାଇଁ ହସ୍ପିଟାଲ୍ ରେ ଚିକିତ୍ସାର ବି ଆବଶ୍ୟକତା ପଡୁନି । ମାତ୍ର ଅନ୍ୟକୁ ସଂକ୍ରମଣ ରୋକିବା ସକାଶେ ହସ୍ପିଟାଲ୍ ରେ ରଖାଯାଇଛି ।

ଓଡ଼ିଶାରେ ଅଧିକମାତ୍ରାରେ କୋଭିଡ୍ ବ୍ୟାପିନି । ଏହାର ତଥ୍ୟ ଦେଇଛନ୍ତି ଶ୍ରୀମତୀ ପଣ୍ଡିତ । ଭାରତବର୍ଷର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆମ ଓଡ଼ିଶାର ପଜିଟିଭିଟି ହାର୍ ସବୁଠାରୁ କମ୍ । ଦେଶରେ ଏହି ହାର ୪.୩% ଥିଲା ବେଳେ ଦିଲ୍ଲୀରେ ପଜିଟିଭିଟି ହାର ୮.୪%, ମହାରାଷ୍ଟ୍ରରେ ୭% ଅଛି । ଓଡ଼ିଶାରେ ଏହି ହାର ଅଛି ୦.୪% । ଅର୍ଥାତ୍ ୨୫୦ ଜଣଙ୍କର ଟେଷ୍ଟିଂ କଲେ ଆମେ ଜଣେ ପଜିଟିଭ୍ ପାଉଛୁ ।
ଓଡ଼ିଶାରେ ଟେଷ୍ଟିଂ ହାର ବି ସର୍ବାଧିକ ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ । ଚାରି ସପ୍ତାହ ତଳେ ଆମର ସପ୍ତାହକୁ ୫୦୦ ଟେଷ୍ଟିଂ ହେଉଥିବା ବେଳେ ଏବେ ୫୦୦୦ ଟେଷ୍ଟିଂ ହେଉଛି । ୮ଟି ଲାବୋରେଟୋରିରେ ଦୈନିକ ପ୍ରାୟ ୨୪୦୦ ଟେଷ୍ଟିଂ ହେଉଛି । ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୪୫୨ ଜଣଙ୍କର ଟେଷ୍ଟିଂ ହେଉଥିବା ବେଳେ ଓଡ଼ିଶାରେ ୬୬୬ ଜଣଙ୍କର ଟେଷ୍ଟିଂ ହେଉଛି । ଏହା ଆହୁରି ବଢ଼ିବାକୁ ଯାଉଛି ।







