ଭୁବନେଶ୍ୱର: ଆଜି ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ଦିନରେ ୭ ଜଣ ପଜିଟିଭ୍ ଚିହ୍ନଟ ହେଲେଣି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ କୁ ବଢ଼ିଛି ।
ବାଲେଶ୍ୱରର ନୂଆ ୩ ପଜିଟିଭ୍ ଙ୍କ ବୟସ ଓ ଟ୍ରାଭେଲ୍ ହିଷ୍ଟ୍ରି ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏମାନେ ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୪୪, ୬୧ ଏବଂ ୬୩ ବର୍ଷ । ସମସ୍ତେ କୋଲକତା ଫେରନ୍ତା । କୋଲକତାରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେମାନଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି ।
ଆଜି ସକାଳେ ଭୁବନେଶ୍ୱରର ମଧୁସୂଦନ ନଗରରୁ ଜଣେ ୭୭ବର୍ଷ ବୃଦ୍ଧଙ୍କର ପଜିଟିଭ୍ ବାହାରିଥିଲା । ୪୧ ନଂ ପୂର୍ବ ଆକ୍ରାନ୍ତଙ୍କ ସେ ନିକଟ ସମ୍ପର୍କୀୟ । ଗତ ୯ ତାରିଖରେ ତାଙ୍କର ସାମ୍ପଲ୍ ଟେଷ୍ଟ ହୋଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ବାହାରିଥିଲା । ତେବେ ଘରେ କ୍ୱାରେଣ୍ଟାଇନ୍ ରେ ଥାଇ ସେ ଅସୁସ୍ଥ ଅନୁଭବ କରିବା ପରେ ପୁଣି ଥରେ ଟେଷ୍ଟ କରାଇବାରୁ ପଜିଟିଭ୍ ବାହାରିଛି । ସେପଟେ ପ୍ରଥମ ଥର ପାଇଁ କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।