ଭୁବନେଶ୍ୱର: ଲୋକଙ୍କୁ ନାଲି ଆଖି ଦେଖାଇବାର ସୁଯୋଗ ପାଇଲେ ଆମ ରାଜ୍ୟର ଖାକି ବାବୁମାନଙ୍କର ଭାଉ ଦେଖିବା କଥା । ‘ଧ’ ଇସାରା ପାଇଲା କ୍ଷଣି ପୂରା ଝାମ୍ପି ପଡ଼ିବାର ବଳ ପାଆନ୍ତି । ସବୁ ପୁଲିସ ବାବୁ ଯେ ସେୟା ସେକଥା ଆମେ କହୁନୁ । ମାତ୍ର ସେମାନଙ୍କ ସଂଖ୍ୟା ନଗନ୍ୟ । ପୁଲିସ ବାବୁମାନଙ୍କର ଏହି ସାଧାରଣ ଚରିତ୍ରକୁ ୧୯ ବର୍ଷର ନବୀନ ପଟ୍ଟନାୟକ ସରକାର ବଦଳେଇ ପାରିନାହାନ୍ତି । ବିଜୟ ଶର୍ମାଙ୍କ ଭଳି ଟାଣୁଆ ଅଫିସରଙ୍କ ହାତକୁ ପୁଲିସ ବିଭାଗର ନେତୃତ୍ୱ ଆସିଲା ପରେ ଅବସ୍ଥା ବଦଳିବ ବୋଲି ଆଶା କରାଯାଉଥିଲା । ମାତ୍ର ଯଥା ପୂର୍ବଂ ତଥା ପରଂ । ପୁଲିସ ଲୋକଙ୍କ ବନ୍ଧୁ ନୁହେଁ ଲୋକଙ୍କ ପାଇଁ ବନ୍ଧୁକ ହୋଇ ଆଜି ବି ରହିଛି ।
ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ କରିବାକୁ ଯାଇ ପୁଲିସ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ତିନି ମାସିଆ ମହଲତ ପୂର୍ବରୁ ଟ୍ରାଫିକ୍ ଧରପଗଡ଼ ଓ ଜରିମାନା ଆଦାୟ ଆଳରେ ଲୋକଙ୍କ ହୋସ୍ ଉଡ଼ାଇ ଦେଇଥିଲା । ଏକଥା ଆମେ କହୁନୁ । ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ସଚିବ ଜି. ଶ୍ରୀନିବାସ ପୁଲିସ ଡିଜି ଓ କମିଶନରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।







