ଭୁବନେଶ୍ୱର: ମହାନଦୀ ଜଳବିବାଦ ଘଟଣାରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ବିଧାନସଭା ଅଚଳ ହୋଇଯାଇଛି । ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ ଆସନରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ । କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି-ବିଜେଡ଼ି ବିରୋଧୀ ନାରାବାଜି କରିଥିଲେ । ସେପଟେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ବିଧାୟକମାନେ ନାରାବାଜି କରି କେନ୍ଦ୍ରରେ ଥିବା ସେମାନଙ୍କ ସରକାରକୁ ସୁରକ୍ଷା ଯୋଗାଇଥିଲେ । ଓଡ଼ିଶାର ସାମୂହିକ ସ୍ୱାର୍ଥ କଥା ସେମାନେ ଭୁଲିଯାଇଥିଲେ ।
ମହାନଦୀ ଜଳବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଟ୍ରିବ୍ୟୁନାଲ୍ ଗଠନ ଦାବିକୁ ତକ୍ରାଳୀନ ଜଳସେଚନ ମନ୍ତ୍ରୀ ଉମାଭାରତୀ ହଁ କହିଥିଲେ । ଓଡ଼ିଶାରେ ରାଜନୈତିକ ପତିଆରା ବଢ଼ୋଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରିବ୍ୟୁନାଲ୍ ଗଠନ ନେଇ ନିଶ୍ଚିତବାଣୀ ଦେଇଥିଲେ । ମାତ୍ର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ନ କରାଇ ଗାଲୁଆ ଯୁକ୍ତି ଉପସ୍ଥାପନ କରିଛନ୍ତି । ଛତିଶଗଡ଼ ପାଇଁ ଓକିଲାତି କରି ଓଡ଼ିଶାର ଯୁକ୍ତିକୁ ମିଛ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି । ମାମଲାର ସମାଧାନ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଜରିଆରେ କରାଇବାକୁ ଓଲଟି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାଗିଛନ୍ତି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ଜାଣତରେ ଏହା ହୋଇଛି ନା ଅଜାଣତରେ ? ଚର୍ଚ୍ଚା ହେଉଛି, ନବୀନ ପଟ୍ଟନାୟକଙ୍କ ପତିଆରାରେ ବ୍ରେକ୍ ଦେବାକୁ ଏଭଳି କରାଯାଇଛି । ଆଉ ଏହା ପଛରେ କିଏ ନାୟକ ହୋଇପାରେ ତାହା ବି ଧୂମ୍ ଚର୍ଚ୍ଚା ହେଉଛି । ମହାନଦୀ ଜଳକୁ ଛତିଶଗଡ଼ ସମ୍ପୂର୍ଣ୍ଣ ନେଇଯାଉ ପଛେ ରାଜନୈତିକ ପତିଆରାର ଲଢ଼େଇ ସାଧାରଣ ଲୋକଙ୍କୁ ବି ବ୍ୟସ୍ତବିବ୍ରତ କରିଛି ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବେଇମାନି କରିଛନ୍ତି । ସମସ୍ତ ଆଇନକୁ ଉଲ୍ଲଂଘନ କରି ଟ୍ରିବ୍ୟୁନାଲ୍ ଗଠନକୁ ନାଁ କହିବା ଓଡ଼ିଶାବାସୀଙ୍କୁ ପ୍ରତାରଣା ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଅସନ୍ତୋଷ ବଢ଼ିଯାଇଥିବା ବେଳେ ବିଜେପି ପାଖରେ ଉତ୍ତର ନାହିଁ । ବିଜେପି ବିଧାୟକମାନେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଗର୍ବିତ ଅନୁଭବ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିଜେଡ଼ି ବିଧାୟକମାନେ ତୀବ୍ର ସମାଲୋଚନା କରି ଭାରତ ଇତିହାସରେ ପ୍ରଥମ ଘଟଣା ବୋଲି କହିଛନ୍ତି । ଏହା ବିରୋଧରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି ।