ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ଟିଭି ସାକ୍ଷାତକାରରେ ନକହି ନକହି ମଂଜି କଥା ଗୁଡ଼ାଏ କହିଛନ୍ତି । ବିଜେପିକୁ ଅହଂକାରର ଚକଡ଼ା ପୋକ ମାଡ଼ିଯାଇଛି ବୋଲି କିଛି ଦିନ ତଳେ ସେ ଦେଇଥିବା ମନ୍ତବ୍ୟ ଦଳରେ ଜ୍ୱଳନ ଖେଳାଉଥିବା ବେଳେ ବିଜୟ ସେଥିରେ ବିଛୁମାତି ମାରିଛନ୍ତି । ‘ରାଜ୍ୟ ବିଜେପିରେ ଏବେ ବହୁ ପୁରୁଣା ନେତା ଅଲୋଡ଼ା ହୋଇଯାଇଛନ୍ତି । ଦାୟିତ୍ୱରେ ଥିବା ନେତାଙ୍କ ଅହଂକାର ବଢ଼ିଯାଇଛି । କ୍ଷମତାକୁ ଆସିବା ପରେ ଅହଂକାରୀ ରହିବା ଠିକ୍ ନୁହେଁ’ ବୋଲି ବିଜୟ କହିଛନ୍ତି । ବ୍ୟକ୍ତିଗତ ଭାବେ ସେ କାହାରି ନାଁ ନେଇ ନ ଥିଲେ ମଧ୍ୟ ୨୦୧୯ ନିର୍ବାଚନ ନମ୍ର ଓ ଅହଂକାରର ଲଢ଼େଇ ହେବ ବୋଲି କହିଛନ୍ତି । ତେବେ କିଏ ନମ୍ର ଓ କିଏ ଅହଂକାରୀ ତାହା ଓଡ଼ିଶାବାସୀ ବିଚାର କରିବେ ବୋଲି ଜଣାଇ ଦେଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସେ ସ୍ୱୀକାର କରିବେ କି ନାଇଁ ସେ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନାହାନ୍ତି ବିଜୟ । ତେବେ ଦଳ ଯେବେ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ବିଚାର କରିବ ସେତେବେଳେ ସେ ନିଜ ନିଷ୍ପତ୍ତି ଜଣାଇବେ ବୋଲି ରୋକଠୋକ୍ କହିଛନ୍ତି । ବିଜେପିରେ ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା କିଏ ସେ ଓଜନ କରିନାହାନ୍ତି । ନିଜେ ନିଜକୁ କେହି ଓଜନ କରିପାରିବେନି, ଲୋକେ ତାଙ୍କୁ ଓଜନ କରିବେ ବୋଲି ବିଜୟ ବିଚକ୍ଷଣ ଉତ୍ତର ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନିଜକୁ ତୁଳନା କରିବାକୁ ସେ ସଙ୍କୋଚ କରିଛନ୍ତି । ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଓ ନିଜକୁ ସାଧାରଣ ଲୋକ କହି ଚୂନ ମାରିଛନ୍ତି !
ଏଠିକା ବିଜେପିର କାର୍ଯ୍ୟଧାରା ଓ ଥାଟମାଟକୁ ବିଜୟ ପସନ୍ଦ କରିନାହାନ୍ତି । ପ୍ରତିକଥାରେ ଜବରଦସ୍ତ ମନ୍ତବ୍ୟ ରଖିବା ଓ ପ୍ରେସମିଟ୍ କରି ସମାଲୋଚନା କରିବା ଠିକ୍ ନୁହେଁ । ଏହାଦ୍ୱାରା ଦଳ ଶସ୍ତା ହୋଇଯାଉଛି ଏବଂ ଓଜନ ରହୁନି ବୋଲି ତାଙ୍କର ମତ । ବିଜେପିରେ ସେ ଅଲୋଡ଼ା ବୋଲି ପରୋକ୍ଷରେ ଜଣାଇଥିଲେ ମଧ୍ୟ ସେଥିପ୍ରତି ଖାତିର କରିନାହାନ୍ତି । ତାଙ୍କର ରାଜନୈତିକ ଶତ୍ରୁ ଭାବେ ସେ ନିର୍ଦ୍ଦିଷ୍ଟ ଦଳ କି ବ୍ୟକ୍ତିବିଶେଷଙ୍କ ନାଁ କହିନାହାନ୍ତି । ଏପରିକି ନବୀନ ପଟ୍ଟନାୟକ ଓ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ନାଁ ନେଇନାହାନ୍ତି । ନିଜ ଦଳରେ ବି ତାଙ୍କୁ ହରାଇବା ପାଇଁ ଲୋକେ ଜାଲ ବିଛାଇଛନ୍ତି ବୋଲି ବିଜୟ କହିଛନ୍ତି । ‘ମୋ ପଛରେ ବାମ ଡାହାଣ ହୋଇ ସବୁବେଳେ ଚକ୍ରାନ୍ତକାରୀ ଓ ଷଡ଼ଯନ୍ତ୍ରକାରୀ ରହୁଛନ୍ତି । ମୁଁ ଜାଣେନା ସେମାନେ କାହିଁକି ରହନ୍ତି’ ବୋଲି ସେ କହିଛନ୍ତି ।
ବିଜୟ ମହାପାତ୍ରଙ୍କର ଏଇ କେଇପଦ କଥା କାହା ପାଇଁ ଉଦ୍ଦିଷ୍ଟ ତାହା ରାଜନୀତିରେ ରୁଚି ରଖିଥିବା ସମସ୍ତଙ୍କୁ ଜଣା । ଓଡ଼ିଶାରେ ବିଜେପି କାହା ଦ୍ୱାରା ପରିଚାଳିତ ତାହା ମଧ୍ୟ ସମସ୍ତେ ଦେଖୁଛନ୍ତି । ସୁତରାଂ ବିଜୟ ନିଜ ଦଳରେ କାହାରିକୁ ଅହଂକାରୀ କହୁଛନ୍ତି ତାହା ବଖାଣିବାର ଆବଶ୍ୟକତା ନାହିଁ । ତେବେ ଅହଂକାରୀଙ୍କୁ ସେ ଖାତିର କରି ନ ଥିଲେ ମଧ୍ୟ ଦଳୀୟ ଦୃଷ୍ଟିକୋଣରୁ ନିଜର ଅସହାୟତା ଦେଖାଇଛନ୍ତି । ଏଭଳି ଅସହାୟତାକୁ ଧରି ପଦ୍ମପୋଖରୀରେ ସେ ପହଁରିବେ ନା ବାଟ କାଟିବେ ତାହା ଉପରେ ସେ ମୁହଁ ଖୋଲୁ ନଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଅଙ୍କକଷା ଚାଲିଛି । ତେବେ ବିଜୟଙ୍କ ଭବିଷ୍ୟତ ଯାହା ହେଉ ନା କାହିଁକି ବିଜେପିର ସ୍ଥିତି ଯେ ଏଠି ସୁଧୁରିନାହିଁ କି ସୁଧୁରିବାର ନାହିଁ ତାହା ସୂଚେଇ ଦେଇଛନ୍ତି । ଅମିତ୍ ଶାହାଙ୍କ ମିସନ୍ ୧୨୦ ପ୍ଲସ୍ ର ଗଣିତ ସେ ବୁଝିପାରିନାହାନ୍ତି । ବିଜୟଙ୍କର ମନ୍ତବ୍ୟକୁ ଦଳର ଅନେକ ନେତା ସମର୍ଥନ କରିଛନ୍ତି । ବିଜେପିରେ ସେମାନେ ନିଜକୁ ତ୍ରାହି ତ୍ରାହି ଡାକିଲେଣି ବୋଲି କହିଛନ୍ତି । ଅବଶ୍ୟ ଧର୍ମେନ୍ଦ୍ରଙ୍କ କ୍ଷମତା ଡରରେ ସେମାନେ ପଦାକୁ ଆସିନାହାନ୍ତି ।