ଭୁବନେଶ୍ୱର: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିଜେପି ବିଧାୟକ ଦିଲ୍ଲୀପ ରାୟ ବିବାଦ ଛିଡ଼ା କରାଇବା ପରେ ଏବେ ତାହା ହଟ୍ ଟପିକ୍ ହୋଇଛି । ଏହି ପ୍ରସଙ୍ଗରୁ ଫାଇଦା ଉଠାଉଥିବା ବିଜେଡ଼ିକୁ ବିଜେପି ଯେତିକି ଶତ୍ରୁ କରିନି ଅଧିକ ଶତ୍ରୁ କରିଛି ଦିଲ୍ଲୀପଙ୍କୁ । ଦିଲ୍ଲୀପଙ୍କୁ ଦଳର ତଥାକଥିତ ମୁଣ୍ଡିଆଳମାନେ ମିଳିମିଶି ଆକ୍ରମଣ ଚଳାଇଛନ୍ତି । ଏତେ ରାଗ ଯେ ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ ବିଧାନସଭା ବଳ କେବଳ ରାଜ୍ୟ ସରକାରଙ୍କ ବିରୋଧରେ ଯିବା ସେମାନଙ୍କୁ ସନ୍ତୁଷ୍ଟ କରୁନାହିଁ । ନିଜ ବିଧାୟକଦଳର ଜ୍ଞାନ ଉପରେ ସେମାନଙ୍କ ମନ ପାଉନି । ବିଧାନସଭାରେ ପ୍ରସଙ୍ଗ ଉଠିଲା ମାତ୍ରେ ସେମାନେ ଜିଦ୍ କଲାଭଳି ପାର୍ଟି ଅଫିସରେ ପ୍ରେସମିଟ୍ କରୁଛନ୍ତି । ଗତ ୩ ଦିନର ଘଟଣାବଳୀ ତାହାର ଜ୍ୱଳନ୍ତ ଉଦାହରଣ ।
ବିଧାନସଭାରେ ଦିଲ୍ଲୀପ ରାୟଙ୍କୁ ଛାଡ଼ି ବିଜେପିର ୯ ବିଧାୟକ ଅଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଭଳି ଅଭିଜ୍ଞ, ଜ୍ଞାନୀ ନେତା ଅଛନ୍ତି । ମାତ୍ର ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ବିଳମ୍ବ ଇତିହାସ ଉପରେ ସତେ ଯେମିତି ସେମାନଙ୍କର ଜ୍ଞାନ ନାହିଁ, କିଛି ଜାଣିନାହାନ୍ତି । ସେମାନଙ୍କ ମୁହଁରୁ କଥାଗୁଡ଼ା ବିଜେପି ପରିଚାଳକଙ୍କୁ ନିଅଣ୍ଟ ଲାଗୁଛି । ବିଜେପି ବିଧାୟକମାନଙ୍କ ଦମ୍ ଉପରେ ସେମାନେ ପ୍ରଶ୍ନଚିହ୍ନ ଛାଡ଼ିଛନ୍ତି ।
କୁମ୍ଭୀର କାନ୍ଦଣା ନ କରି ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ କର ବୋଲି ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ବିଜେପିବାଲାଙ୍କୁ କହିଥିଲେ । ଦଳର ବିଧାୟକମାନେ ଭଲଭାବେ ଏହାକୁ କାଉଣ୍ଟର୍ କରିଥିଲେ । ମାତ୍ର ସେମାନଙ୍କ ସାମର୍ଥ ଉପରବାଲାଙ୍କୁ ସନ୍ତୁଷ୍ଟ କଲାନି । ସେମାନଙ୍କୁ ଅଣଦେଖା କରାଯାଇ ସମାନ୍ତରାଳ ଭାବେ ପାର୍ଟି ଅଫିସରେ ଦଳ ପକ୍ଷରୁ ପ୍ରେସ୍ ମିଟ୍ ଡକାଗଲା । ଦଳର ଉପସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ । ତୀର ମାରିଲେ ଦିଲ୍ଲୀପ ରାୟଙ୍କୁ । କୋୟଲ୍ ନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରି ଭୁଲିଯାଇଥିବାରୁ ବିଧାନସଭାରେ ପ୍ରଶ୍ନ କରିବାକୁ ଦିଲ୍ଲୀପଙ୍କୁ ପରାମର୍ଶ ଦେଲେ ।
ପରଦିନ(୬ ତାରିଖ)ରେ ନୀତିନ୍ ଗଡ଼କରୀଙ୍କ ଚିଠି ଉପରେ ବିଧାନସଭାରେ ତୁମ୍ବିତୋଫାନ ହେଲା । ସେତୁ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ ବିକ୍ରମ ଆରୁଖ ବିବୃତି ଦେଲା ପରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ କଡ଼ା ଜବାବ ଦେଲେ । ହଟ୍ଟଗୋଳ ହୋଇ ଗୃହ ମୁଲତବୀ ହେଲା । ହେଲେ ବିଜେପି ଉପରବାଲାଙ୍କ ମନ ପାଇଲାନି । ପାର୍ଟି ଅଫିସରେ ପ୍ରେସ୍ ମିଟ୍ କଲେ ପୃଥ୍ୱୀରାଜ ହରିଚନ୍ଦନ । ମୁଖ୍ୟମନ୍ତ୍ରୀଙ୍କୁ ଗାଳି କରିବା ସହ ଦିଲ୍ଲୀପ ରାୟଙ୍କ ଉପରେ ଉହୁଁକିଲେ । ଦିଲ୍ଲୀପ ତଥ୍ୟ ରଖି କଥା କୁହନ୍ତୁ ବୋଲି ପରାମର୍ଶ ଦେଲେ ।
ପରଦିନ ୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍ ପ୍ରସଙ୍ଗରେ ବିଧାନସଭା ତାତି ଥିଲା ବେଳେ ବିଜେପି ପାର୍ଟି ଅଫିସରେ ଦଳ ପ୍ରେସ୍ ମିଟ୍ ଡାକିଲା । ବିଷୟବସ୍ତୁ ଥିଲା ସେହି ବ୍ରାହ୍ମଣୀ ସେତୁ । ଭ୍ରୃଗୁ ବକ୍ସିପାତ୍ର ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜବାବ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତଥ୍ୟ ବଖାଣିଲେ । ଜଙ୍ଗଲ ଆଇନ ସମ୍ପର୍କିତ କେନ୍ଦ୍ରର ଗାଇଡ଼ଲାଇନ୍ ବିଷୟରେ ସାମ୍ବାଦିକଙ୍କୁ ବୁଝାଇଲେ । ଦିଲ୍ଲୀପ ରାୟ କିଛି ନ ବୁଝି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କଲେ ।
ବିଧାନସଭାରେ ପ୍ରସଙ୍ଗ ଉଠିଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ଅଣଦେଖା କରାଯାଇ ବାହାରେ ବିଜେପିର ଏଭଳି ପ୍ରେସମିଟ୍ ଓ ନିଜ ବିଧାୟକ ଦିଲ୍ଲୀପ ରାୟଙ୍କୁ ଟାର୍ଗେଟ୍ କରାଯିବା ଦଳୀୟ ବିଶୃଙ୍ଖଳା ପଦାକୁ ଆଣିଛି । ବିଧାନସଭାରେ ବସୁଥିବା ଦଳ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ମୁଖପାତ୍ର ପ୍ରଦୀପ ପୁରୋହିତଙ୍କ ଉପରୁ ଭରସା ତୁଟାଇ ପ୍ରେସମିଟ୍ ରେ ତାହା ସାମ୍ବାଦିକଙ୍କୁ ଜଣାଇବା ଅନେକ ନେତାଙ୍କୁ ଚକିତ କରିଛି । ଏହାକୁ ନେଇ ଦଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।