ଭୁବନେଶ୍ୱର: ବିଜେଡ଼ି ନେତ୍ରୀ ସଂଯୁକ୍ତା ମହଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବ୍ଲେଡ୍ ରେ ନିଜ ବାମ ହାତ କାଟି ସେ ଆତ୍ମହତ୍ୟା ଉଦ୍ୟମ କରିବାରୁ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିବା ସଂଯୁକ୍ତାଙ୍କୁ ଗତକାଲି ତାଙ୍କ ପଦରୁ ଅଚାନକ ଅବ୍ୟାହତି ଦିଆଯାଇଥିବାରୁ ସେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଆତ୍ମହତ୍ୟା ଉଦ୍ୟମର ରୁଟ୍ କୁହାଯାଉଥିବା ଦଳୀୟ କାର୍ଯ୍ୟାନୁଷ୍ଠାନ ପଛରେ ପାରିବାରିକ କନ୍ଦଳ ନା ଅନ୍ୟ କିଛି ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି ।
ସୂଚନାଯୋଗ୍ୟ, ସଂଯୁକ୍ତା ମହଲଙ୍କ ବିରୋଧରେ ତାଙ୍କ ମାଆ ନମିତା ପାତ୍ର, ଭଉଣୀ ରଶ୍ମିତା ବେହେରା ଏବଂ ନଣନ୍ଦ ଶୁଭସ୍ମିତା ପାତ୍ର ଗତ ୬ ତାରିଖରେ ଏକ ପ୍ରେସମିଟ୍ କରି ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାପରେ ସଂଯୁକ୍ତାଙ୍କ ପାରିବାରିକ କନ୍ଦଳ ସାମନାକୁ ଆସିଥିଲା । ତେବେ ସଂଯୁକ୍ତା ଏହାକୁ ଖଣ୍ଡନ କରିଥିଲେ । ମାତ୍ର ଗତକାଲି ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟ କର୍ମକର୍ତ୍ତା ବୈଠକ ବସି ସଂଯୁକ୍ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ହୋଇଥିଲା । ତାଙ୍କ ପାରିବାରିକ କନ୍ଦଳର କୁପ୍ରଭାବ ସଂଗଠନ ଉପରେ ପଡୁଥିବାରୁ ଶ୍ରୀମତୀ ମହଲଙ୍କୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ ଅବ୍ୟାହତି ଦିଆଯାଇଥିଲା । ଏହି ନିଷ୍ପତ୍ତି ଜାଣିବା ପରେ ସଂଯୁକ୍ତା ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ପାରିବାରିକ କଳହର ଦୋଷ ଲଦି ତାଙ୍କୁ ଅଯଥାରେ ବଦନାମ କରାଯାଉଛି ବୋଲି ସେ କହିଛନ୍ତି ।
ବିଜେଡ଼ି ମହିଳା ମୋର୍ଚ୍ଚାର ଉପସଭାପତି ସାଙ୍ଗକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିଲେ ସଂଯୁକ୍ତା ମାହାଲ୍ । ବିଜୁ ଶ୍ରମିକ ସାମ୍ମୁଖ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ମହିଳା ମୋର୍ଚ୍ଚା ଦାୟିତ୍ୱରୁ ଦଳ ତାଙ୍କୁ ହଟାଇ ନାହିଁ । ମାତ୍ର ବିଜୁ ଶ୍ରମିକ ଦାୟିତ୍ୱ ହରାଇ ସେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଜେଡ଼ି ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସଂଯୁକ୍ତାଙ୍କ ପାରିବାରିକ ସମସ୍ୟା ବାଦ୍ ତାଙ୍କ କାର୍ଯ୍ୟକଳାପକୁ ନେଇ ଦଳର କିଛି ମହଲରେ ଅସନ୍ତୋଷ ରହିଥିଲା । ବିଏମସିର ଅଧିକାଂଶ କର୍ପୋରେଟର ତାଙ୍କ କାର୍ଯ୍ୟକଳାପ ଉପରେ ଆପତ୍ତି ଉଠାଇବା ପରେ ଏହାର ତଦନ୍ତ ହୋଇଥିଲା । ଏହି ଘଟଣା ସହ ତାଙ୍କ ଉପରେ ଦଳୀୟ(ବିଜୁ ଶ୍ରମିକ ସାମ୍ମୁଖ୍ୟ) କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା ସନ୍ଦେହ କରାଯାଉଛି । ଘଟଣାର ରହସ୍ୟ ପଛରେ ଦଳର ଜଣେ କୁହାଳିଆ ନେତା ତଥା ମୁଖପାତ୍ରଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି ।