ନୂଆଦିଲ୍ଲୀ: ମଣିଷର ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା ଜାଣିହୁଏନି । ଆଜି ପବିତ୍ର ଦଶହରା ରାତିରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ପଞ୍ଜାବର ଅମୃତସରରେ ରାବଣପୋଡ଼ି ଦେଖି ଖୁସି ମନଉଥିବା ଲୋକେ ଟ୍ରେନ୍ ଆଗକୁ ଚାଲିଆସିବାରୁ ୫୦ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । ୬୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଆକଳନଠାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ଅମୃତସରର ଜୋଡା ଫାଟକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ରେଳ ଟ୍ରାକ୍ ଠାରୁ ଅଳ୍ପ ଦୂରରେ ଏକ ପଡ଼ିଆରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିଲା । ୭୦୦ରୁ ଅଧିକ ଲୋକ ଏହି ରାବଣପୋଡ଼ି ଉତ୍ସବ ଦେଖୁଥିଲେ । ପଡ଼ିଆ ବାହାରେ ଶତାଧିକ ଲୋକ ଟ୍ରେନ୍ ଲାଇନ କଡ଼ରେ ଛିଡ଼ା ହୋଇ ଉତ୍ସବ ଦେଖୁଥିଲେ । ତେବେ ଆତସବାଜି କାର୍ଯ୍ୟକ୍ରମ ଆରମ୍ଭ ହେଲାକ୍ଷଣି ଲୋକଙ୍କ ମଧ୍ୟରେ ଧାଁ ଧଉଡ଼ ଆରମ୍ଭ ହୋଇଯାଇଥିଲା । ଟ୍ରେନ୍ ଲାଇନ୍ ଆଡକୁ ଲୋକେ ଧାଇଁଥିଲେ । ଆଗରୁ ସେହି ଜାଗାରେ ଲୋକ ଛିଡ଼ା ହୋଇଥିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକାଂଶ ଲୋକ ଟ୍ରେନ୍ ଟ୍ରାକ୍ ଉପରକୁ ମାଡ଼ି ଆସିଥିଲେ । ଏହି ସମୟରେ ଜଳନ୍ଧରରୁ ଅମୃତସର ଦ୍ରୁତଗାମୀ ଟ୍ରେନ୍ ଆସୁଥିଲେ ମଧ୍ୟ ପ୍ରବଳ ବାଣ ଶବ୍ଦରେ ସେୟାଡ଼କୁ ନଜର କରିପାରି ନ ଥିଲେ । ଫଳରେ ଲୋକଙ୍କ ଉପରେ ଟ୍ରେନ ଚଢ଼ିଗଲା । ୫୦ ଜଣ ଟ୍ରେନ୍ ଚକ ତଳେ ସିଧା ଚାପି ହୋଇଗଲେ । ଆଉ ୬୦ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
ମିଳୁଥିବା ସୂଚନା ଅନୁଯାୟୀ, ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ଜାଗାଟି ଟ୍ରେନ୍ ଲାଇନଠାରୁ ମାତ୍ର ୪୦ ମିଟର ଦୂରରେ । ସେଠାରେ ଉତ୍ସବ ଆୟୋଜନ ପାଇଁ ପ୍ରଶାସନ ଏବଂ ରେଳବାଇ ପକ୍ଷରୁ ଅନୁମତି ନିଆଯାଇ ନ ଥିଲା । ଏଭଳି ଏକ ଜାଗାରେ ଉତ୍ସବ ପାଇଁ ଅନୁମତି ମିଳିବା ବି ସମ୍ଭବ ନ ଥିଲା । ମାତ୍ର ଆୟୋଜକମାନେ ବିନା ଅନୁମତିରେ ସେଠାରେ ରାବଣପୋଡ଼ି ଉତ୍ସବ କରୁଥିଲେ । ଯାହାର ଫଳ ଭୟାନକ ହୋଇଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତଦାରଖ କରୁଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।