ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ନିଜକୁ ଠକ ବୋଲି କହି ସତ୍ୟପାଠ କରିଛି ବୈଜୟନ୍ତ ପଣ୍ଡାଙ୍କ ଓରଟେଲ୍ ସଂସ୍ଥା । ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଜରିଆରେ ନିଜକୁ ଠକ ବୋଲି ଗ୍ରାହକଙ୍କୁ ଜଣାଇ ଦେଇଛି । ଓରଟେଲ୍ କେବୁଲ୍ରେ ଲୋକପ୍ରିୟ ଷ୍ଟାର୍ ଚାନେଲଗୁଡ଼ିକୁ ଦର୍ଶକ ଦେଖିବାରୁ ଦୀର୍ଘ ଦିନ ଧରି ବଞ୍ଚିତ ହୋଇଛନ୍ତି । ଓରଟେଲ୍ ସେଥିପାଇଁ ସର୍ବସାଧାରଣରେ ନିଜକୁ ଦୋଷୀ ବୋଲି ମାନିଛି । ଷ୍ଟାର୍କୁ ବାକିଆ ଦେୟ ପୈଠ କରି ନ ଥିବାରୁ ସେମାନେ ସିଗନାଲ୍ ବନ୍ଦ କରି ଦେଇଛନ୍ତି ବୋଲି ଉପଭୋକ୍ତାଙ୍କୁ ଗୁହାରି କରିଛି ଓରଟେଲ୍ ସଂସ୍ଥା । ତେବେ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ନିଜକୁ ଦେବାଳିଆ ଦର୍ଶାଇ ଲୋକଙ୍କ ସହଯୋଗ କାମନା ପଛରେ ଓରଟେଲ୍ର କ’ଣ ଉଦ୍ଦେଶ୍ୟ ତାହା ବୁଝିବା ଲୋକ ଠିକ୍ ବୁଝିଛନ୍ତି । ସେମାନଙ୍କ ମତରେ ସରକାର, ବ୍ୟାଙ୍କ ସବୁଠାରୁ କୋଟି କୋଟି ଟଙ୍କା ଖାଇ ମୁହଁ ପୋଛିବାର ଅଭ୍ୟାସ ରଖିଥିବା ଓରଟେଲ୍ ସଂସ୍ଥାର ଏକମାତ୍ର ଭରସା କୋର୍ଟ କଚେରୀ । କେସ୍ ଦାଏର କରି ଟଙ୍କା ଫାଙ୍କିବାର ଅଭ୍ୟାସ ଷ୍ଟାର୍ ସଂସ୍ଥା ପାଖରେ କାଟୁ କରି ନ ଥିବାରୁ ଗ୍ରାହକଙ୍କ ଶରଣ ପଶିବାକୁ ସଂସ୍ଥା ଏଭଳି ଚାଲ୍ ବିଛାଇଥିବା ସେମାନେ ଭାବୁଛନ୍ତି ।
ଓଡ଼ିଶା ବଜାରରେ କେବୁଲ୍ ସେବାର ଏକଚାଟିଆ ଅଧିକାର ରଖିଥିବା ବିଜ୍ଞ ବୈଜୟନ୍ତଙ୍କ ଓରଟେଲ୍ ସଂସ୍ଥା ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ପଟି ମାରି ଚାଲିଛି । ଗ୍ରାହକଙ୍କ ଟିଭି କି ନେଟ୍ ଅଚଳ ହୋଇ ପଡୁଥିଲେ ମଧ୍ୟ ସଜାଡ଼ିବାକୁ ଲୋକ ଆସୁନାହାନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଡିହ ଗାଲୁ ମାରୁଛନ୍ତି ସଂସ୍ଥା କର୍ମଚାରୀ । ସେପଟେ ଗ୍ରାହକଙ୍କଠାରୁ ମାସିକିଆ ଚଢ଼ା ପାଉଣା ଆଦାୟ କରିବାରେ ସଂସ୍ଥା ଭାରି ଆକ୍ଟିଭ୍ । ସେବା ଥାଉ କି ନ ଥାଉ ପାଉଣା ଆଦାୟରେ କିନ୍ତୁ କମ୍ପ୍ରମାଇଜ୍ ନାହିଁ । ମିଶ୍ରବାବୁ ଭଳି ହୃଷ୍ଟପୃଷ୍ଟ ଭଦ୍ର ଗୁଣ୍ଡାଙ୍କୁ ଉଚ୍ଚ ଦରମାରେ ପୋଷିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଚିକ୍କଣ ଟାଉଟରୀ ନହେଲେ କୋର୍ଟ କଚେରୀର ନାଲିଆଖି ଦେଖାଇ ଗ୍ରାହକଙ୍କୁ ଶୋଷଣ କରିବାକୁ ମିଶ୍ର ଭଳି ଲୋକଙ୍କୁ କର୍ତ୍ତୃପକ୍ଷ ନିଯୁକ୍ତ କରିଛନ୍ତି । ଗ୍ରାହକଙ୍କ ତୀବ୍ର ଅସନ୍ତୋଷକୁ ସଂସ୍ଥା ଓ ତାଙ୍କର ପୋଷା ଗୁଣ୍ଡାମାନେ ଚୂଳ ପ୍ରମାଣେ ଖାତିର କରୁନାହାନ୍ତି । ବରଂ ନିଜକୁ ସଚ୍ଚୋଟ ବୋଲାଇ ଓରଟେଲ୍ ପୀଡ଼ିତ ଗ୍ରାହକଙ୍କ ମୁଣ୍ଡରେ ଅପବାଦ ଲଦିବାକୁ ସଂସ୍ଥା ମୁଖିଆ ଉଦ୍ୟମ ଜାରି ରଖିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ସେବାକୁ ଖାତିର କରୁ ନ ଥିବା ସଂସ୍ଥା ସାଧାରଣ ଗ୍ରାହକଙ୍କୁ କିଭଳି ଚୂନ ମାରୁଛି ତାହାକୁ ଗ୍ରାହକ ଅଙ୍ଗେ ନିଭାଇଛନ୍ତି ।
ଏବେ ଖବରକାଗଜରେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ ଓରଟେଲ୍ ସଂସ୍ଥା ଲୋକଙ୍କୁ କ’ଣ ଜଣାଇବାକୁ ଚାହୁଁଛି ତାହା ବୁଝାପଡୁ ନ ଥିଲେ ମଧ୍ୟ ସଂସ୍ଥା ସମସ୍ତଙ୍କୁ ଚିତାକାଟି ଠକିବାରେ ଧୂରନ୍ଧର ବୋଲି ଆଗୁଆ ସତ୍ୟପାଠ କରିଛି । ଷ୍ଟାର୍ର ବକେୟା ଦେୟ ପୈଠ ନ କରି ଫାଙ୍କିବା ଉଦ୍ୟମରେ ଓରଟେଲ୍ ଉପଭୋକ୍ତାମାନଙ୍କ ସହଯୋଗ ଲୋଡି ନିଜକୁ ଲଜ୍ଜିତ କରିଛି । ଏହାକୁ ବଦଳାଇବାର ସମୟ ଆସିଛି ବୋଲି ସଂସ୍ଥା କହିବା ପଛରେ କି ବାର୍ତ୍ତା ରହିଛି ତାହା ତ ବୁଝାପଡୁନି । ହୋଇପାରେ ବକେୟା ଦେୟକୁ ଗ୍ରାହକଙ୍କ ମୁଣ୍ଡରେ ଖସାଇବାର ଏହା ଏକ ଚାଲ୍ । ବୈଜୟନ୍ତ ବାବୁଙ୍କ ସଂସ୍ଥାର ଏଭଳି ଉର୍ବର ମସ୍ତିଷ୍କ ଚାର୍ଲସ ଶୋଭରାଜ ଚାଲ୍କୁ ବି ଟପିବାକୁ ବସିଲାଣି । ନେଡି ଗୁଣ କହୁଣୀକୁ ବୋହିସାରିଥିଲେ ମଧ୍ୟ ଗ୍ରାହକ ଏହାର ପ୍ରତିବାଦ କରିବାର ଆବଶ୍ୟକତା ରହିଛି । ଠକ ମନବୃତ୍ତି ଛାଡ଼ି ଲୋକଙ୍କୁ ଯଦି ସେବା ଦେଇପାରୁନ ତେବେ ସଂସ୍ଥା ବନ୍ଦ କରିଦେଲେ ଇଜ୍ଜତ ବଞ୍ଚିଯାଆନ୍ତା ବୋଲି ସାଧାରଣ ଲୋକ ଟୀପ୍ପଣୀ ଦେଉଛନ୍ତି ।