ଭୁବନେଶ୍ୱର: ପ୍ରଫୁଲ୍ଲ ମଲ୍ଲିକଙ୍କ ପାଖରୁ ଗଲା ଡବଲ୍ ଜିଲ୍ଲାର ଯୋଜନା ବୋର୍ଡ ଦାୟିତ୍ୱ । ସୁଶାନ୍ତ ସିଂଙ୍କ ପାଖକୁ ଆସିଲା ଡବଲ୍ ଜିଲ୍ଲାର ଦାୟିତ୍ୱ । ଏହିଭଳି ଭାବେ ଆଜି ୩ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ ଦିଆଯାଇଥିଲା । ଏବେ ତାଙ୍କୁ ଦେବଗଡ଼ ଜିଲ୍ଲା ଦାୟିତ୍ୱରୁ ହଟିବାକୁ ପଡ଼ିଛି । ତାଙ୍କ ଜାଗାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ମଲ୍ଲିକ ଏବେ କେବଳ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବଲପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ସମ୍ଭାଳୁଛନ୍ତି । ଏବେ ପୁଣି ବଲାଙ୍ଗୀର ଜିଲ୍ଲା ଦାୟିତ୍ୱ ପାଇଛନ୍ତି । ସୁତରାଂ ସମ୍ବଲପୁର ସାଙ୍ଗରେ ବଲାଙ୍ଗୀର, ଦୁଇ ଦୁଇଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ସୁଶାନ୍ତ ସିଂ ।
ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କଳାହାଣ୍ଡି ଜିଲ୍ଲାକୁ ଅଣାଯାଇଛି । ଶ୍ରୀମତୀ ଟୁକୁନି ସାହୁଙ୍କ ଜାଗାରେ ନବ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି ।
ସୂଚନାଥାଉକି, ଅଗଷ୍ଟ ୯ରେ ଜିଲ୍ଲା ଯୋଜନା କମିଟି ଗୁଡ଼ିକର ପୁର୍ନଗଠନ କରିଥିଲେ ପଞ୍ଚମ ପାଳିର ବିଜେଡ଼ି ସରକାର । ୧୭ ଜଣ ମନ୍ତ୍ରୀଙ୍କୁ ୧୮ ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯାଇଥିଲା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ୫ ମାସ ନ ପୂରୁଣୁ ସେଥିରେ ଅଦଳ ବଦଳ କରାଯାଇଛି ।