ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍ଫଣ୍ଡ ଓ ବିରୋଧୀ ଦଳ ନେତାଙ୍କ ମାମଲାରେ ବାଉଳା ହୋଇଯାଇଛି ବିଜେଡ଼ି । ସବୁ ନିଷ୍ପତ୍ତିରେ ଯାବତୀୟ ଡିଫେକ୍ଟ ଧରିଛି । ସଞ୍ଜୟ ଦାସବର୍ମା ଓ ଜଷ୍ଟିସ୍ ଏମ୍.ଏମ୍. ଦାସଙ୍କ ଇସ୍ତଫା ଦାବିରେ ବିଧାନସଭା ଥରାଉଥିବା ବିରୋଧୀ ଦଳଙ୍କୁ ବିଜେଡ଼ି କାଉଣ୍ଟର କଲା ଗହମ ବଦଳରେ ଚାଉଳ ଅସ୍ତ୍ର ଧରି । ବିଧାନସଭାକୁ ବନ୍ଦ କରି ରାଜଭବନକୁ ପଦଯାତ୍ରାରେ ଗଲେ ଦଳର ସବୁ ମନ୍ତ୍ରୀ ଓ ବିଧାୟକ । ଗହମ ବଦଳରେ ଚାଉଳ ପାଇଁ ଲୁହ ଗଡ଼ାଇବାର ଅଭିନୟ କରୁଥିବା ବିଜେଡ଼ିକୁ ବିଧାନସଭା ଅଧିବେସନର ସକାଳୁ ସକାଳୁ ଏକଥା ମନେ ପଡ଼ିଲା । ପୂର୍ବଦିନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଏ ନେଇ ଚିଠି ଲେଖିଥିବାରୁ ବିଜେଡ଼ିର ବିଧାନସଭା ରଣନୀତିରେ ହଠାତ୍ ତାହା ପଶି ଆସିଲା । ବହୁ ଆଡମ୍ବରେ ଲଘୁକ୍ରିୟା ଭଳି ପ୍ରବଳ ଖରାରେ ମନ୍ତ୍ରୀ, ବିଧାୟକମାନେ ରାଜଭବନକୁ ପଦଯାତ୍ରାରେ ଯାଇଥିଲେ ମଧ୍ୟ ସେଠି ନାଁ ଭେଟ ମିଳିଲା ରାଜ୍ୟପାଳଙ୍କୁ ନା ତାଙ୍କର ସଚିବଙ୍କୁ । ଫଳରେ ବିଜେଡ଼ି ନେତା ଭାଣ୍ଡିଆ ହେବା ସାର ହେଲା । ରାଜଭବନ ତଳିଆ କର୍ମଚାରୀଙ୍କୁ ସ୍ମାରକପତ୍ର ଦେଇ ସଗର୍ବେ ଫେରିଆସିଲେ ବିଜେଡ଼ି ବାବୁମାନେ । ପୂର୍ବରୁ ସମୟ ନେଇଥିଲେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜି ନ ଥାଆନ୍ତା ।
ଆହୁରି ଲଜ୍ଜାର କଥା, ବିଧାନସଭା ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଗହମ ବଦଳରେ ଚାଉଳ ପ୍ରସଙ୍ଗକୁ ବିଜେଡ଼ି ଲୋକଙ୍କ ପାଖକୁ ନେବାକୁ ସ୍ଥିର କରିଛି । ଆସନ୍ତା ୧୪ ତାରିଖରେ ଜିଲ୍ଲା ସଦର ମହକୁମାରେ ଦଳ ଆନ୍ଦୋଳନ କରିବ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବ ବୋଲି ରଣନୀତି କରିଛି । ତେବେ ୧୪ ତାରିଖ ଅର୍ଥାତ୍ ଦ୍ୱିତୀୟ ଶନିବାର ଛୁଟି ଦିନରେ ବିଜେଡ଼ି କେଉଁ ଅଫିସ ଆଗରେ ବିକ୍ଷୋଭ କରିବ ଏବଂ ସେଠାରେ କିଏ ତାଙ୍କ କଥା ଶୁଣିବେ ତାହା ବିଜେଡ଼ିବାଲାଙ୍କୁ ଜଣା । ସମୟ ଧାର୍ଯ୍ୟ କରିବା ପୂର୍ବରୁ ବିଜେଡ଼ି ନେତାମାନେ ଦିନ/କାଳ ଦେଖିବାକୁ ବି ଭୁଲିଯାଇଛନ୍ତି । ଖାସ୍ ବାଉଳା ରୋଗ ଯୋଗୁଁ ।
ତେଣେ ବିଧାନସଭାକୁ ବି ଡରିଯାଇଛି ବିଜେଡ଼ି । ଅକ୍ଷୟ ତୃତୀୟାଟି ସରକାରୀ ଛୁଟି ଦିନ ନୁହେଁ । ସଚିବାଳୟ ସମେତ ସବୁ ସରକାରୀ ଦପ୍ତର ଖୋଲା । ମାତ୍ର ବାଚସ୍ପତିଙ୍କୁ ମନାଇ ରଖିଥିବା ବିଜେଡ଼ି ବିଧାନସଭାକୁ ଛୁଟି ଘୋଷଣା କରି ନରସିଂହ ମିଶ୍ରଙ୍କ ମାମଲାକୁ ଗଡ଼ାଇ ଦେବାର ସୁଯୋଗ ନେଇଛି । ସମାଧାନର ବାଟ ଧରିବାକୁ ଲଗାତର ଦୁଇ ଦିନ ଧରି ସର୍ବ ଦଳୀୟ ବୈଠକ ବସିଛି । ମାତ୍ର ବାଟ ବାହାରି ପାରି ନାହିଁ । ସୋମବାର ବିଧାନସଭା ଛୁଟି ହୋଇ ନ ଥିଲେ ହୁଏତ ପୁନର୍ବାର ସର୍ବଦଳୀୟ ବୈଠକ ବସି ବାଟ ବାହାରିଥାଆନ୍ତା ଓ ବିଧାନସଭା ସ୍ୱାଭାବିକ ହୋଇଥାଆନ୍ତା । ମାତ୍ର ଛୁଟି ହୋଇଯିବା ଯୋଗୁଁ ମୂଲ୍ୟବାନ ଗୋଟିଏ ଦିନ ମାଡ଼ ଖାଇଯାଇଛି । ଅକାମୀ ହୋଇଯାଇଥିବା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଖର୍ଚ୍ଚ ଦାବି ଆଲୋଚନାକୁ ବି ଶାସକ ଦଳର ପରବାଏ ନାହିଁ । ଏମିତି ଦିନ ଗଡେଇ ଦେଲେ ୧୨ ତାରିଖରେ ଗିଲୋଟିନ୍ ଓ ୧୩ ତାରିଖରେ ବ୍ୟୟମଂଜରୀ ବିଲ୍କୁ ଗୃହରେ ପାରିତ କରାଇ ବିଧାନସଭା ବନ୍ଦ କରିଦେବେ ସରକାର । ବିରୋଧୀ ଟେନସନ୍ ନ ବଢ଼ାଇ ବିଧାନସଭାକୁ ବନ୍ଦ କରିଦେଲେ କାମ ସରିଲା ବୋଲି ଶାସକ ଶିବିର ସ୍ଥିର କରିସାରିଥିବା ସୂଚନା ମିଳିଛି ।