ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କ ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଓଡ଼ିଶା ହେଲଥ୍ ଆଣ୍ଡ୍ ମେଡ଼ିକାଲ୍ ସର୍ଭିସ୍(ଓଏଚଏମଏସ୍)ଏବଂ ଶ୍ରମ ଓ ଇଏସଆଇ ବିଭାଗ ଅଧୀନରେ ଥିବା ଡାକ୍ତରମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ବହୁ ପୂର୍ବରୁ ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲ୍ ରେ କାର୍ଯ୍ୟରତ ଡାକ୍ତରମାନଙ୍କ ଅବସର ବୟସ ୬୫ ବର୍ଷ ବୃଦ୍ଧି କରାଯାଇସାରିଛି ।
ରାଜ୍ୟରେ କରୋନା ସଙ୍କଟ ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା ଅବସରରେ ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଉତ୍ସର୍ଗୀକୃତ ନୂଆ କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ ହେବ । ଏହା ତିନି ମାସ ପାଇଁ କାର୍ଯ୍ୟ କରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୦ କୋଟି ୬୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ କୋଟି ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରର ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ୍ ଦ୍ୱାରା ୩୦ ଶଯ୍ୟାର ଆଇସିୟୁ ସମେତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେବ । ସେହିପରି ନୀଳାଚଳ ହସ୍ପିଟାଲ୍ ରେ ୧୨୬ ଶଯ୍ୟା ଏବଂ ୧୫ ଆଇସିୟୁ ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେବ । ଚଳିତ ସପ୍ତାହରେ ଏହା କାର୍ଯ୍ୟକ୍ଷମ ହେବ ।
ବିଧାୟକବୃନ୍ଦ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ,ଏନଜିଓ,କର୍ପୋରେଟସ୍ ଏବଂ ରେସିଡେଣ୍ଟ ୱେଲଫେୟାର ଆସୋସିଏସନସ୍ ସହଭାଗିତାରେ ୧୩୮୫ ଶଯ୍ୟାର କୋଭିଡ୍ କେୟାର ହୋମ୍ ଗୁଡ଼ିକ ଖୁବ୍ ଶୀଘ୍ର ସ୍ଥାପିତ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ବସ୍ତି ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି କଟକ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ଗୁଡ଼ିକରେ ୯୨୫ ଅତିରିକ୍ତ ଶଯ୍ୟା ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । କଟକ ସହରର ସଂକୀର୍ଣ୍ଣ ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ପୂଜା କମିଟି ଓ ସାହି କମିଟିଗୁଡ଼ିକୁ ଏଥିରେ ସଂପୃକ୍ତ କରାଯିବ । ଅନ୍ୟପକ୍ଷରେ, ଏସସିବି ମେଡ଼ିକାଲ୍ କଲେଜରେ କୋଭିଡ୍-୧୯ ଟ୍ରେନିଂ ଆଣ୍ଡ ଇନଫରମେସନ୍ ସେଣ୍ଟର ଅତିଶୀଘ୍ର କାର୍ଯ୍ୟକାରୀ ହେବା ସହ ମୋଲେକୁଲାର ଜେନୋମି ଲାବ୍ କୁ ଉନ୍ନତ କରାଯିବ ।
ସାମାଜିକ ସଂଗଠନ ଏବଂ କର୍ପୋରେଟ୍ ଗୁଡ଼ିକ କୋଭିଡ୍ କେୟାର୍ ହୋମସ୍ ଏବଂ କୋଭିଡ୍ କେୟାର୍ ସେଣ୍ଟରସ୍ ସ୍ଥାପନ କରି କୋଭିଡ୍ ଯୁଦ୍ଧରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।